Tribute to Priyanka: ମୃତ୍ୟୁ ସହ ଲଢୁଥିଲେ, କିନ୍ତୁ ମନରେ ଥିଲା ଉତ୍ସାହ

tribute-to-priyanka:-ମୃତ୍ୟୁ-ସହ-ଲଢୁଥିଲେ,-କିନ୍ତୁ-ମନରେ-ଥିଲା-ଉତ୍ସାହ

ପ୍ରିୟଙ୍କା କୁଁୱାର ହାଡଜନିତ ଏକ କ୍ୟାନସର୍‌ରେ ପୀଡିତ ହୋଇ ଚିକିତ୍ସିତ ହେଉଥିଲେ। କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି।

ସେ ମୃତ୍ୟୁ ସହ ଲଢୁଥିଲେ, କିନ୍ତୁ ମନରେ ଥିଲା ଉତ୍ସାହ। ଜୀବନର ଶେଷ ପାହାଚରେ ବି ସେ ହାରିଯାଇ ନଥିଲେ। ମୃତ୍ୟୁକୁ ବି ସେ ଚାହୁଥିଲେ ଉତ୍ସବ କରିଦେବାକୁ। ଚାହୁଁଥିଲେ ହସି ହସି ବିଦାୟ ନେବେ।

କହିଲେ “ବାପା, ମୋ ପାଇଁ ଗୋଟେ କେକ୍ ଆଣ… ମୁଁ ମୋର ଜନ୍ମଦିନ ପାଳନ କରିବାକୁ ଚାହୁଁଛି।”

ଏହି ସମୟରେ ସେ ICUରେ ଥିଲେ, ମେସିନରେ ଲାଗିଥିଲେ, କିନ୍ତୁ ମନବଳ ଥିଲା ଦୃଢ଼।

Also Read

ଏହା ପରେ ICU ୱାର୍ଡ ସଜା ହେଇଥିଲା, ଏକ କେକ୍ ମଗାଗଲା। ପରିବେଶକୁ ପିଲାଙ୍କ ପରି ଆନନ୍ଦମୟ କରିବା ପାଇଁ ସମସ୍ତ ପ୍ରକାରର ଚେଷ୍ଟା କରାଗଲା। ICU ଭିତରେ ଏକ ଛୋଟ ଉତ୍ସବ ହୋଇଗଲା। ସେ ହସି ହସି କେକ୍ କାଟିଲେ ଆଉ ସମସ୍ତଙ୍କୁ ଖୁଆଇଲେ।

ସେ କହିଲେ – “ମୁଁ ଚାହୁଁଛି ଯେ ମୁଁ ଯେତେବେଳେ ଚାଲିଯିବି, କେହି କାନ୍ଦିବେ ନାହିଁ। ମୁଁ ହସି ହସି ବିଦା ହେବାକୁ ଚାହୁଁଛି।”

ହସ୍ପିଟାଲର ପରିବେଶ ହୋଇଯାଇଥିଲା ଭାବପ୍ରବଣ। କର୍ମଚାରୀଙ୍କ ଆଖିରେ ଥିଲା ଲୁହ, ଶାଶୁଘର ଲୋକେ ICU ଗ୍ୟାଲେରୀରେ କାନ୍ଦୁଥିଲେ। ତାଙ୍କୁ କିନ୍ତୁ କିଛି ଫରକ ପଡୁ ନଥିଲା। ମୁହଁରେ ଥିଲା ସେମିତି ହସ, ସମସ୍ତଙ୍କୁ ଦେଇଚାଲୁଥିଲେ ସାନ୍ତ୍ୱନା।

ଏମିତି ଏକ ଭାବବିହ୍ୱଳ ଦୃଶ୍ୟ ଉଦୟପୁରର ଏକ ଘରୋଇ ହସ୍ପିଟାଲରେ ଦେଖିବାକୁ ମିଳିଥିଲା।

ରାଜସ୍ଥାନର ଜାଲୋର ଜିଲ୍ଲାର ପଚାନୱା ଗାଁର ଝିଅ ପ୍ରିୟଙ୍କା କୁଁୱାର ଓରଫ ପିହୁ, କର୍କଟ ଭଳି ଏକ ବିପଦଜନକ ରୋଗ ସହିତ ଲଢ଼ିବା ବେଳେ ବି ତାଙ୍କର ହସ ଆଉ ସାହସ ହରାଇ ନଥିଲେ। ପିହୁ ମାତ୍ର ୨୭ ବର୍ଷ ବୟସରେ ଏ ଦୁନିଆ ଛାଡି ଚାଲିଗଲେ, କିନ୍ତୁ ତାଙ୍କ ଶେଷ ନିଶ୍ୱାସ ପର୍ଯ୍ୟନ୍ତ ତାଙ୍କ ଉତ୍ସାହର କାହାଣୀ ସମସ୍ତଙ୍କ ଆଖିରେ ଲୁହ ଆଣିଦେଲା।

ପିହୁଙ୍କ ଜନ୍ମ ୧୭ ଫେବୃଆରୀ ୧୯୯୮ରେ ଜାଲୋରର ପଚନାଭା ଗାଁରେ ହୋଇଥିଲା। ସେ କର୍ଣ୍ଣାଟକର ହୁବଲିରୁ BBA କରିବା ପରେ ଚାର୍ଟର୍ଡ ଆକାଉଣ୍ଟାଣ୍ଟ ପରୀକ୍ଷା ମଧ୍ୟ ପାସ୍ କରିଥିଲେ। ୨୬ ଜାନୁଆରୀ ୨୦୨୩ରେ ସେ ବିବାହ କରିଥିଲେ।

ବିବାହର କିଛି ଦିନ ପରେ ପିହୁଙ୍କ ଗୋଡ଼ରେ ଯନ୍ତ୍ରଣା ହୋଇଥିଲା। MRI ରୁ ଜଣାପଡିଥିଲା ଯେ ପିହୁ ହାଡଜନିତ ଏକ କ୍ୟାନସର୍‌ରେ ପୀଡିତ। ଏହା ପରେ ଚିକିତ୍ସାର ଏକ ଦୀର୍ଘ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ହେଲେ ଶେଷରେ ସେ ଜୀବନ ଯୁଦ୍ଧରେ ହାରିଯାଇଥିଲେ ଆଉ ହସି ହସି ଏ ଦୁନିଆରୁ ବିଦାୟ ନେଇଥିଲେ।

ଅଧିକ ଦେଖିବା ପାଇଁ କ୍ଲିକ୍ କରନ୍ତୁ: 

Scroll to Top