ପୁରୀରେ ଆଉ ଚଳିବନି ଟ୍ରାଭେଲ୍ ଏଜେନ୍ସିଙ୍କ ମନମାନି। ସାଇଡ୍ ସ୍ପଟ୍ ବୁଲାଇନେବା ବାହାନାରେ ପର୍ଯ୍ୟଟକଙ୍କୁ ଶୋଷଣରେ ଲାଗିବ ବ୍ରେକ୍। ବିନା ପଞ୍ଜୀକରଣରେ ମନଇଛା ଖୋଲି ପାରିବେନି ଦୋକାନ
ପୁରୀରେ ଆଉ ଚଳିବନି ଟ୍ରାଭେଲ୍ ଏଜେନ୍ସିଙ୍କ ମନମାନି । ସାଇଡ୍ ସ୍ପଟ୍ ବୁଲାଇନେବା ବାହାନାରେ ପର୍ଯ୍ୟଟକଙ୍କୁ ଶୋଷଣରେ ଲାଗିବ ବ୍ରେକ୍ ।ବିନା ପଞ୍ଜୀକରଣରେ ମନଇଛା ଖୋଲି ପାରିବେନି ଦୋକାନ । ଜଗନ୍ନାଥ ଧାମ ପୁରୀରେ ଛତୁ ଫୁଟିଲା ଭଳି ଗଢିଉଠିଛି ମାଳମାଳ ଟୁର୍ ଆଣ୍ଡ ଟ୍ରାଭେଲ୍ ଏଜେନ୍ସି। କେଉଁଠି ଅସାମାଜିକ ବ୍ୟକ୍ତି ମାଲିକ, ତ କେଉଁଠି ପର୍ଯ୍ୟଟନ ବିଭାଗ କି ପୌର ସଂସ୍ଥାର ନାହିଁ ଅନୁମତି। ବର୍ଷ ବର୍ଷ ଧରି ବେଆଇନ ଭାବେ ଚାଲୁଥିବା ଏସବୁ ଟ୍ରାଭେଲ୍ ଏଜେନ୍ସୀ ଯାତ୍ରୀଙ୍କୁ ଶୋଷଣ କରୁଥିବାର ମାଳ ମାଳ ଅଭିଯୋଗ ପରେ ଆକ୍ସନ ମୋଡକୁ ଆସିଛି ପୁରୀ ପୋଲିସ। ବିଭିନ୍ନ ସ୍ଥାନରେ କରୁଛି ଚଢାଉ, ବେଆଇନ୍ ଟ୍ରାଭେଲ୍ ଏଜେନସି ନାଁରେ ଖୋଲିଥିବା ଦୋକାନ ଭାଙ୍ଗିଛି, ମାଲିକଙ୍କୁ ଥାନାକୁ ଆଣିଛି।
ତେଣେ ପୁରୀ ଏସପି କହିଛନ୍ତି, ଅନେକ ଗୁଣ୍ଡାଶ୍ରେଣୀୟ ଲୋକ ଅନୁମତି ନନେଇ ଏଜେନସି ଖୋଲିଛନ୍ତି। ମନଇଚ୍ଛା ଯାତ୍ରୀଙ୍କୁ ଶୋଷଣ କରୁଛନ୍ତି, ପ୍ରତିବାଦ କଲେ ନାଲିଆଖି ଦେଖାଉଛନ୍ତି। ଅଦ୍ୟାବଧି ୬୩ଟି ଏଜେନ୍ସି ପଞ୍ଜିକୃତ ହୋଇନଥିବା ଜଣା ପଡ଼ିଲାଣି। ତେଣୁ ପୁରୀ ଆସୁଥିବା ପର୍ଯ୍ୟଟକଙ୍କ ସୁରକ୍ଷା ସାଙ୍ଗକୁ ଠକାମୀର ଶିକାରରୁ ରୋକିବାକୁ ପୋଲିସ ପଦକ୍ଷେପ ନେଉଛି। ଯାହାକୁ ଶ୍ରୀମନ୍ଦିର ସେବାୟତ ମଧ୍ୟ ସ୍ବାଗତ କରିଛନ୍ତି।
Also Read
ଏବେ ନଜର ପକାନ୍ତୁ ଟୁର୍ ଆଣ୍ଡ ଟ୍ରାଭେଲ୍ସ ଖୋଲିବାକୁ କଣ ରହିଛି ଗାଇଡଲାଇନସ। ନିୟମ ଅନୁସାରେ- ଏଜେନ୍ସି ଖୋଲିବାକୁ ହେଲେ ପ୍ରଥମେ ପର୍ଯ୍ୟଟନ ବିଭାଗର ଅନୁମତି ସହ ପୌର ପ୍ରଶାସନର ଟ୍ରେଡ୍ ଲାଇସେନ୍ସ ଜରୁରୀ। ତାସହ ସଂସ୍ଥାରେ ନିଯୁକ୍ତି ପାଇଥିବା ବ୍ୟକ୍ତି, ପର୍ଯ୍ୟଟନ ବିଭାଗରେ ଡିପ୍ଲୋମା କରିଥିବା ଆବଶ୍ୟକ। ଜିଏସଟି ପ୍ରମାଣପତ୍ର, ତିନି ବର୍ଷର ଆୟକର ଦାଖଲ ସହ ୧୫୦ ସ୍କୋୟାରଫୁଟର ଏକ ଅଫିସ୍ ରହିବା ବାଧ୍ୟତାମଳକ । ହେଲେ ଏସବୁ ନିୟମକୁ ପୁରୀରେ ଖୋଲାଖୋଲି ଉଲ୍ଲଂଘନ ଚାଲିଛି। ତେଣେ ଜିଲ୍ଲା ପର୍ଯ୍ୟଟନ ଅଧିକାରୀଙ୍କ ସୂଚନା ଅନୁସାରେ, ଶ୍ରୀକ୍ଷେତ୍ରରେ ମାତ୍ର ୫ଟି ଏଜେନ୍ସି ପଞ୍ଜିକୃତ ହୋଇଛନ୍ତି। ଆଉ ଏପଟେ ପୋଲିସର ଆକ୍ସନ ଦେଖି ନିୟମ ଅନୁସାରେ ଟ୍ରାଭେଲ୍ ଏଜେନସି ଚଳାଇବେ ବୋଲି କହିଲେଣି ମାଲିକ।…
ପୁରୀରେ ଟୁର୍ ଆଣ୍ଡ ଟ୍ରାଭେଲ୍ସ ଖୋଲି ଅସାମାଜିକ ବ୍ୟକ୍ତି ପର୍ଯ୍ୟଟକଙ୍କୁ ଠକିବା ଘଟଣା ନୂଆ ନୁହେଁ। କିଛି ମାସ ତଳେ ନିଳାଦ୍ରୀ ଭକ୍ତ ନିବାସ ନାଁରେ ନକଲି ୱେବସାଇଟ୍ ଖୋଲି ଭକ୍ତଙ୍କୁ ଠକିଥିବା ଦୁଇ ଅଭିଯୁକ୍ତଙ୍କୁ ବାନ୍ଧିଥିଲା ସାଇବର କ୍ରାଇମ୍ ୟୁନିଟ୍ ।.




