Tough Action Ahead: ଆଉ ଚଳିବନି ସଡ଼କରେ ବିପଦଜନକ ଡ୍ରାଇଭିଂ, ପଞ୍ଜିକରଣ ସାର୍ଟିଫିକେଟ୍ ସହ ବାତିଲ ହେବ ଡିଏଲ୍

tough-action-ahead:-ଆଉ-ଚଳିବନି-ସଡ଼କରେ-ବିପଦଜନକ-ଡ୍ରାଇଭିଂ,-ପଞ୍ଜିକରଣ-ସାର୍ଟିଫିକେଟ୍-ସହ-ବାତିଲ-ହେବ-ଡିଏଲ୍

ଆଉ ଚଳିବନି ବିଚ ରାସ୍ତାରେ ବିପଦଜନକ ଗାଡ଼ି ଚାଳନା। ଏଣିକି ଅମାନିଆ ହେବେ ସାବାଡ଼। କଠୋର ହେଲା ପରିବହନ ବିଭାଗ। ରିଲସ୍ ନିଶାରେ ମତୁଆଲା ହୋଇ ଭିଡ଼ିଓ ବନାଉଥିବା ବେପରୁଆଙ୍କୁ ପରିବହନ ମନ୍ତ୍ରୀଙ୍କ ଚେତାବନୀ। ସେପଟେ ନିୟମକୁ କଡାକଡି ପାଳନ କରିବାକୁ ସଡ଼କ ସୁରକ୍ଷା ବିଶେଷଜ୍ଞଙ୍କ ପରାମର୍ଶ। …

ରିଲ୍ସ କରୁଛନ୍ତି, ପଥଚାରୀଙ୍କ ଛାତି ଥରାଉଛନ୍ତି। ସଡ଼କ ସୁରକ୍ଷା ନିୟମର ଧଜିଆ ଉଡିବା ସହ ପୂରା ରାସ୍ତାକୁ ନିଜ କବଜାକୁ ନେଉଛନ୍ତି। କିଏ ହେଲମେଟ କାଢି ଷ୍ଟଣ୍ଟ ଦେଖାଉଛି ତ କିଏ କାର ଉପରେ ଜଣଙ୍କୁ ବସାଇ ଡ୍ରାଇଭିଂ କରୁଛି। ଟିକେ ଭଲ ଭିୟୁ ପାଇଁ ନିଜ ଜୀବନକୁ ତ ବାଜି ଲଗାଉଛନ୍ତି ଏଥିସହ ଅନେକଙ୍କ ପାଇଁ ଚିନ୍ତାର କାରଣ ହୋଇଛନ୍ତି।

ଏଭଳି ଅମାନିଆଙ୍କୁ ଆଉ ବରଦାସ୍ତ କରାଯିବ ନାହିଁ। ଏହାକୁ ନେଇ ସରକାର କଠୋର ହୋଇଛନ୍ତି। ପରିବହନ ନିୟମ ଉଲଂଘନ କରି ବିପଦପୂର୍ଣ୍ଣ ଭାବେ ରିଲ୍ସ ଭିଡ଼ିଓ କଲେ ମିଳିବ କଡା ଦଣ୍ଡ। ଆଉ ରାସ୍ତାରେ ଚଳାଇପାରିବେନି ଗାଡି। ଗାଡି ଜବତ ହେବା ସହିତ ପଞ୍ଜିକରଣ ସାର୍ଟିଫିକେଟ ଓ ଡ୍ରାଇଭିଂ ଲାଇସେନ୍ସ ବାତିଲ ହୋଇପାରେ। ଏପରିକି ମୋଟା ଅଙ୍କର ଜରିମାନା ବି ଦେବାକୁ ପଡିବ। ଏନେଇ ସମସ୍ତ ଆରଟିଓଙ୍କୁ ନିର୍ଦ୍ଦେଶ ଦେଇଛି ପରିବହନ ବିଭାଗ ।

Also Read

ବିପଦପୂର୍ଣ୍ଣ ଭାବେ ଗାଡ଼ି ଚଳାଇବାର ଭିଡିଓ ନିୟମିତ ଭାବରେ ସାମ୍ନାକୁ ଆସୁଛି । ଏଥିପାଇଁ ଅନେକ ସମୟରେ ଦୁର୍ଘଟଣା ବି ଘଟୁଛି । ନିକଟରେ ଭୁବନେଶ୍ୱର, କଟକ, ଅନୁଗୁଳ, ଖୋର୍ଦ୍ଧା, କେନ୍ଦୁଝର, ପୁରୀ ଆଦି ଜିଲ୍ଲାର ଏମତି କିଛି ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି। ଏହି ମାମଲାରେ ଅନେକ ଗାଡି ବି ଜବତ କରାଯାଇଛି। ବିଭାଗୀୟ ମନ୍ତ୍ରୀ କହିଛନ୍ତି, ଲୋକଙ୍କ ଜୀବନ ଆମ ପାଇଁ ମୂଲ୍ୟବାନ। କଡା କାର୍ଯ୍ୟାନୁଷ୍ଠାନ ନେଲେ ହିଁ ଅମାନିଆ ସାବଡ଼ ହେବେ।

ସେପଟେ ଖାଲି ରିଲସ ନୁହେଁ, ମଦ୍ୟପାନ ସହ ବେପରୁଆ ଗାଡି ଚାଳନା, ଟ୍ରାଫିକ ନିୟମ ଉଲଂଘନ ଉପରେ ବିଶେଷ ନଜର ରଖିଛି ବିଭାଗ। ସେପଟେ ସଡ଼କ ସୁରକ୍ଷା ବିଶେଷଜ୍ଞଙ୍କ କହିବାର କଥା, କେବଳ ନିୟମ କଡା କରିଦେଲେ ହେବନି ବରଂ ଏହାକୁ କଡାକଡି ପାଳନ କରାଯାଉ। ଯାହାଫଳରେ ଏକ ଡର ସୃଷ୍ଟି ହେବ ଓ ଅମାନିଆ ସାବାଡ଼ ହେବେ।

ପରିବହନ ବିଭାଗର ତଥ୍ୟ କହୁଛି, ଡ୍ରାଇଭିଂ ସମୟରେ ମୋବାଇଲ ବ୍ୟବହାର କରିବା ଯୋଗୁ ରାଜ୍ୟରେ ୨୦୨୨ ତୁଳନାରେ ୨୦୨୩ରେ ୩୫ ପ୍ରତିଶତ ମୃତ୍ୟୁ ହାର ବଢିଛି। ଦେଶରେ ୨୦୨୨ ମସିହାରେ ମୋବାଇଲ ବ୍ୟବହାର କରିବା ଯୋଗୁଁ ୭ ହଜାର ୫୫୮ ଟି ସଡକ ଦୁର୍ଘଟଣା ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ୩ ହଜାର ୩୯୫ ରହିଥିଲା। ସେହିପରି ୨୦୨୩ ମସିହାରେ ଦୁର୍ଘଟଣା ସଂଖ୍ୟା ୭ ହଜାର ୧୨୨ ରହିଥିବା ବେଳେ ମୃତ୍ୟୁ ସଂଖ୍ୟା ୨ ହଜାର ୮୮୮ ଥିବା ଜଣାପଡିଛି।…

ଅଧିକ ପଢ଼ନ୍ତୁ: ଦେବଭୂମିରେ ପୁଣି ପ୍ରକୃତିର କରାଳ କୋପ, ବାଦଲ ଫାଟି ପାହାଡ଼ରୁ ଖସିଲା ପ୍ରଳୟ 
 

Scroll to Top