ବାରିପଦା : ଜନଗଣନା କରିବାକୁ ଯାଇ ଆଉ ଫେରିଲେନି ଶିକ୍ଷୟିତ୍ରୀ। କୁଆଡ଼େ ଗଲେ ଶିକ୍ଷୟିତ୍ରୀ ଜ୍ୟୋତ୍ସ୍ନାରାଣୀ ସାହୁ ? ସେ ନିଜେ କେଉଁଆଡ଼େ ଚାଲି ଯାଇଛନ୍ତି ନା ତାଙ୍କୁ କେହି ଅପହରଣ କରି ନେଇଛି ? ଜନଗଣନା କରିବାକୁ ଯାଇ ଦୁଇଦିନ ହେଲା ଫେରି ନାହାନ୍ତି ମୟୁରଭଞ୍ଜ ଜିଲ୍ଲା ବାରିପଦା ନିକଟସ୍ଥ ଢେଙ୍କିନେଞ୍ଜିଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟିତ୍ରୀ ଜ୍ୟୋତ୍ସ୍ନାରାଣୀ ସାହୁ। ଶିକ୍ଷୟିତ୍ରୀ ଜଣକ ସେହି ଅଞ୍ଚଳର ସୁରେଶ ଚନ୍ଦ୍ର ସିଂଙ୍କ ଘରେ ଭଡ଼ାରେ ରହୁଥିଲେ। ଗତ ୧୮ରୁ ଜନଗଣନା କରିବାକୁ ଯାଇ ଆଉ ଫେରି ନାହାନ୍ତି । ଦୀର୍ଘ ସମୟ ଧରି ନଫେରିବା ସହ ତାଙ୍କ ମୋବାଇଲ ସୁଇଚ୍ ଅଫ୍ ଥିବାରୁ ବିଦ୍ୟାଳୟର ଅନ୍ୟ ଜଣେ ସହକାରୀ ଶିକ୍ଷୟିତ୍ରୀ ସେ ରହୁଥିବା ଭଡ଼ାଘର ମାଲିକଙ୍କୁ ଜଣାଇଥିଲେ ଓ ଏହାପରେ ପୋଲିସକୁ ଖବର ଦେଇଥିଲେ। ଏ ବାବଦରେ ଶିକ୍ଷକ କୋ-ଅର୍ଡିନେସନ୍ କମିଟି ପକ୍ଷରୁ ବାରିପଦା ସଦର ଥାନାରେ ଏତଲା ଦିଆଯାଇଛି ।
ଦୁଇଦିନ ପୂର୍ବରୁ ଶିକ୍ଷୟିତ୍ରୀ ଜ୍ୟୋତ୍ସ୍ନାରାଣୀ ସାହୁ ସେହି ଅଞ୍ଚଳରେ ଜନଗଣନା କରିଥିଲେ ବୋଲି ସ୍ଥାନୀୟ ଲୋକେ କହିଛନ୍ତି । ହେଲେ ହଠାତ୍ ଅଧାରୁ ସେ କୁଆଡ଼େ ଗଲେ କେହି କହି ପାରୁ ନାହାନ୍ତି। ଦାୟିତ୍ବ ଚାପ, ଅସୁସ୍ଥତା କିମ୍ବା ମାନସିକ ଭାରସାମ୍ୟ ହରାଇ ସେ କୁଆଡ଼େ ଚାଲି ଯାଇଥିବା କଥା ସନ୍ଦେହ କରୁଛନ୍ତି ସ୍କୁଲର ପ୍ରଧାନ ଶିକ୍ଷକ। ନିଖୋଜ ଶିକ୍ଷୟିତ୍ରୀଙ୍କ ଘର ପୁରୀ ଜିଲ୍ଲାରେ। ଖବର ପାଇ ତାଙ୍କ ଭାଇ ଓ ଭିଣୋଇ ମଧ୍ୟ ଢେଙ୍କିନାଞ୍ଜିଆରେ ପହଞ୍ଚି ଖୋଜାଖୋଜି କରୁଛନ୍ତି। ହେଲେ ଅଚିହ୍ନା ଅପରିଚିତ ଅଞ୍ଚଳରେ ସେମାନେ କେବଳ ବଣ ଜଙ୍ଗଲ ଖୋଜିବା ଛଡା ଆଉ କିଛି ଉପାୟ ନାହିଁ ।
ସେପଟେ ପୋଲିସର ଦ୍ବାରସ୍ଥ ହେଲେ ମଧ୍ୟ ପୋଲିସ ଘଟଣାକୁ ସେଭଳି ଗମ୍ଭୀରତାର ସହିତ ନେଉନଥିବା ଏବଂ ତ୍ବରିତ ତଦନ୍ତ କରୁନଥିବା ଅଭିଯୋଗ କରିଛନ୍ତି ଶିକ୍ଷୟିତ୍ରୀଙ୍କ ପରିବାର ବର୍ଗ। ପୋଲିସ କିନ୍ତୁ କହିଛି ଲିଖିତ ଏତଲା ପାଇବା ପରେ ମାମଲାର ଛାନଭିନ ଆରମ୍ଭ ହୋଇଛି । ନିଖୋଜ ଶିକ୍ଷୟିତ୍ରୀଙ୍କ ମୋବାଇଲ ନମ୍ବର ଟ୍ରାକିଂ ଆରମ୍ଭ ହୋଇଛି। ପୋଲିସର ଏକାଧିକ ଟିମ୍ ସହିତ ସିଭିଲ ସ୍କ୍ବାର୍ଡ ବିଭିନ୍ନ ଦିଗକୁ ନଜରରେ ରଖି ତଦନ୍ତ କରୁଛନ୍ତି। ଖୁବଶୀଘ୍ର ଏହାର ରହସ୍ୟ ଖୋଲିବ ବୋଲି କହିଛନ୍ତି ବାରିପଦା ସଦର ଏଡିପିଓ ।




