T

t

ଚିକିତ୍ସା ଅବହେଳା ଓ ଭୁଲ ମେଡିସିନରୁ ୧୩ ମାସର ଶିଶୁପୁତ୍ର ମୃତ୍ୟୁ ଅଭିଯୋଗକୁ ନେଇ କ୍ୟାପିଟାଲ ହସ୍ପିଟାଲରେ ହଙ୍ଗାମା। ଶିଶୁରୋଗ ୱାର୍ଡରେ ଧସେଇ ପଶିବା ସହ ଭଙ୍ଗାରୁଜା ଓ ବିକ୍ଷୋଭ ପ୍ରଦର୍ଶନ ସହ ତୁମୁଳକାଣ୍ଡ କଲେ ଉତ୍ତ୍ୟକ୍ତ ଲୋକ।

author-image

CAPITAL-HOSPITAL

ହସ୍ପିଟାଲ୍ Photograph: (OTV)

ଚିକିତ୍ସା ଅବହେଳା ଓ ଭୁଲ ମେଡିସିନରୁ ୧୩ ମାସର ଶିଶୁପୁତ୍ର ମୃତ୍ୟୁ ଅଭିଯୋଗକୁ ନେଇ କ୍ୟାପିଟାଲ ହସ୍ପିଟାଲରେ ହଙ୍ଗାମା। ଶିଶୁରୋଗ ୱାର୍ଡରେ ଧସେଇ ପଶିବା ସହ ଭଙ୍ଗାରୁଜା ଓ ବିକ୍ଷୋଭ ପ୍ରଦର୍ଶନ ସହ ତୁମୁଳକାଣ୍ଡ କଲେ ଉତ୍ତ୍ୟକ୍ତ ଲୋକ। ସକାଳ ୭ଟାରୁ ପ୍ରାୟ ୫ ଘଣ୍ଟା ଧରି କ୍ୟାପିଟାଲ ହସ୍ପିଟାଲ ପରିସରରେ ପ୍ରବଳ ଉତ୍ତେଜନା ଲାଗି ରହିଥିଲା। ବାଧାପ୍ରାପ୍ତ ହୋଇଥିଲା ସାଧାରଣ ରୋଗୀ ସେବା। ଶିଶୁର ମୃତ୍ୟୁ ପରେ ମାଆଙ୍କୁ ସିକ୍ୟୁରିଟି ଗାର୍ଡ ମାଡ଼ ମାରିଥିବା ଅଭିଯୋଗ ପରେ ଉତ୍ତେଜନା ଉଗ୍ର ରୂପ ନେଇଥିଲା। ସେପଟେ କ୍ୟାପିଟାଲ୍ ହସ୍ପିଟାଲ କର୍ତ୍ତୃପକ୍ଷ ଚିକିତ୍ସା ଅବହେଳାକୁ ଖଣ୍ଡନ କରିଛନ୍ତି। ମୃତକଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ୪ ଲକ୍ଷ ଟଙ୍କା ଅନୁକମ୍ପା ସହାୟତା ଦେବାକୁ ଘୋଷଣା କରିଛନ୍ତି। …

କ୍ୟାପିଟାଲ୍ ହସ୍ପିଟାଲରେ ବଡ଼ ଝାମେଲା । ଶିଶୁପୁତ୍ରର ମୃତ୍ୟୁକୁ ନେଇ ତୁମୁଳକାଣ୍ଡ ।  ଭଙ୍ଗାରୁଜା, ହୋହଲ୍ଲା ଆଉ ନାରାବାଜି । ଶିଶୁରୋଗ ୱାର୍ଡରେ ଧସେଇ ପଶିଲେ ଉତ୍ୟକ୍ତ ଲୋକ ।  ହସ୍ପିଟାଲ ଭିତର ଓ ବାହାର ପାଲଟିଲା ରଣକ୍ଷେତ୍ର । ପ୍ରାୟ ୫ ଘଣ୍ଟା ବ୍ୟାହତ ହେଲା ରୋଗୀ ସେବା ।
ଚିକିତ୍ସା ଅବହେଳା ଓ ଡାକ୍ତରଙ୍କ ଭୁଲ୍ ମେଡିସନିରୁ ୧୩ ମାସ ଶିଶୁର ମୃତ୍ୟୁ ଅଭିଯୋଗ ପରେ କ୍ୟାପିଟାଲ ହସ୍ପିଟାଲରେ ଦେଖାଦେଇଥିବା ଉତ୍ତେଜନା ପରେ ନେଇଥିଲା ଉଗ୍ର ରୂପ। ମୃତ ଶିଶୁର ମାଆଙ୍କୁ ସିକ୍ୟୁରିଟି ଗାର୍ଡ ମାଡ଼ ମାରିବା ଅଭିଯୋଗ ପରେ ସ୍ଥିତି ବିଗିଡ଼ିଥିଲା, ଉତ୍ତେଜନା ବଢ଼ିଥିଲା। ଉତ୍ୟକ୍ତ ଲୋକ ହସ୍ପିଟାଲ ଭିତରେ ପଶି ପ୍ରବଳ ହଙ୍ଗାମା କରିଥିଲେ। ପ୍ରାୟ ୫ ଘଣ୍ଟା କ୍ୟାପିଟାଲ ହସ୍ପିଟାଲରେ ଦେଖିବାକୁ ମିଳିଲା ହାଇଡ୍ରାମା। …

୧୩ ମାସର ପୁଅକୁ ଆଖି ଆଗରେ ହରାଇଥିବା ମାଆର ଗୁରୁତର ଅଭିଯୋଗ । ମାଆ ମନ ବୁଝିବ କେମିତି, ପୁଅକୁ ଛାତିରେ ଜାବୁଡ଼ି ଧରି କେତେ କଣ କହି ବାହୁନି କାନ୍ଦୁଛି। ପରିବାର ଓ ଆତ୍ମୀୟଙ୍କ ବୁକୁଫଟା କାନ୍ଦରେ ପୂରା ହସ୍ପିଟାଲ ପରିସର ଫାଟି ପଡୁଥିଲା। ଚିକିତ୍ସା ଅବହେଳା ତାଙ୍କ କୋଳ ଖାଲି କରିଦେଲା ବୋଲି ଅଭିଯୋଗ କରିବା ସହ ଡାକ୍ତରଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ସାଲିଆ ସାହିର ଏହି ମହିଳା।

ଥଣ୍ଡାଜ୍ବର ପରେ ଗତକାଲି ପୁଅକୁ କ୍ୟାପିଟାଲ୍ ହସ୍ପିଟାଲ ଆଣିଥିଲେ। ମେଡିସିନ୍ ଦେବା ସହ ଇକୋ କରିବାକୁ କହିଥିଲେ ଡାକ୍ତର। ରାତିରେ ବାନ୍ତି ହେବାରୁ ଭୋରରେ ପୁଅକୁ ପୁଣି ଆଣିଥିଲେ ହସ୍ପିଟାଲ। ଆଉ ଡାକ୍ତର ଦେଇଥିବା ମେଡିସିନ୍ ଖାଇବା ପରେ ପୁଅର ଜୀବନ ଚାଲିଗଲା ବୋଲି ଅଭିଯୋଗ କରିଛନ୍ତି ପରିବାର।

ଶିଶୁମୃତ୍ୟୁ ପରେ ମାଆକୁ ସିକ୍ୟୁରିଟି ଗାର୍ଡ ଦୁର୍ବ୍ୟବହାର ଓ ମାଡ଼ ମାରିଥିବା ଖବର ପରେ ଉତ୍ତେଜନା ନିଆଁ ଆହୁରି ତେଜିଥିଲା। ମୃତ ଶିଶୁର ବାପା ଅଟୋ ଡ୍ରାଇଭର ଥିବାରୁ କ୍ୟାପିଟାଲ୍ ହସ୍ପିଟାଲରେ ରୁଣ୍ଡ ହୋଇଥିଲେ ଅନଲାଇନ୍ ଅଟୋଚାଳକ ସଂଘର କର୍ମକର୍ତ୍ତା। ବାହାରେ ରାସ୍ତାରୋକ ପରେ ଭିତରେ ଧସେଇ ପଶିଥିଲେ। ସିକ୍ୟୁରିଟି ଗାର୍ଡଙ୍କ ସହ ମୁହାଁମୁହିଁ ହୋଇଥିଲେ ଆନ୍ଦୋଳନକାରୀ। କ୍ଷତିପୂରଣ ଦାବି, ଡ୍ୟୁଟିରେ ଥିବା ନର୍ସଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଭଙ୍ଗାରୁଜା ସହ ଫିଙ୍ଗାଫୋପଡା କରିଥିଲେ।

ରୋଗୀ ସେବା ବ୍ୟାହତ ହୋଇଥିବା ବେଳେ ଉତ୍ତ୍ୟକ୍ତ ଲୋକଙ୍କୁ ହଟାଇବାକୁ ନାକେଦମ୍ ହୋଇଥିଲା ପୋଲିସ। ଉତ୍ତେଜନା ହ୍ରାସ କରିବାକୁ ୫ ପ୍ଲାଟୁନ୍ ଫୋର୍ସ ମୁତୟନ ହୋଇଥିଲେ। ଅପରପକ୍ଷରେ ମେଡିକାଲ କର୍ତ୍ତୃପକ୍ଷ ଭୁଲ ମେଡିସିନରୁ ଶିଶୁ ମୃତ୍ୟୁ ଅଭିଯୋଗକୁ ଖଣ୍ଡନ କରିଥିଲାବେଳେ ତଦନ୍ତ ପରେ ଅବହେଳା ଜଣାପଡ଼ିଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ।…
ଏପଟେ ଶିଶୁ ମୃତ୍ୟୁ ଘଟଣାରେ ଶୋକ ବ୍ୟକ୍ତ ସହ ପରିବାରକୁ ୪ ଲକ୍ଷ ଟଙ୍କାର ଅନୁକଂପା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। କ୍ଷତିପୂରଣ ପ୍ରତିଶ୍ରୁତି ମିଳିବା ପରେ ସ୍ବାଭାବିକ ହୋଇଥିଲା କ୍ୟାପିଟାଲ୍ ହସ୍ପିଟାଲର ସ୍ଥିତି। ଏହି ଘଟଣା ଗତକାଲି ଘଟିଥିଲା ।…

Scroll to Top