କୁକୁରଙ୍କୁ ମିଳିବ ଦଣ୍ଡ। ଦୁଇ ଥର କାମୁଡୁଥିବା କୁକୁରଙ୍କୁ ଦଣ୍ଡ ସ୍ବରୂପ କୁକୁରଙ୍କୁ ଆଜୀବନ ଆନିମଲ ବାର୍ଥ କଣ୍ଟ୍ରୋଲ (ଏବିସି) ସେଣ୍ଟରରେ ଛାଡି ଦିଆଯିବ।
ସହରରେ ବୁଲା କୁକୁରମାନେ ଅନେକ ସମୟରେ ଲୋକଙ୍କ ପାଇଁ ଅସୁବିଧାର କାରଣ ହୋଇଥାନ୍ତି। ବେଳେବେଳେ କୁକରଙ୍କ ଦୌରାତ୍ମ୍ୟ ଯୋଗୁଁ ଜନସାଧାରଣଙ୍କୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ କରିବାକୁ ପଡେ। ଏବେ ଉତ୍ତରପ୍ରଦେଶରେ ଲୋକମାନେ କୁକୁର ଆକ୍ରମଣର ଶିକାର ହେଉଥିବା ଯୋଗୁଁ ରାଜ୍ୟ ସରକାର ଏକ ଅଜବ ନିଷ୍ପତ୍ତି ନେଇଛନ୍ତି। ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ, ୟୁପିରେ ଦୁଇ ଥର କାମୁଡୁଥିବା କୁକୁରଙ୍କୁ ମିଳିବ ଦଣ୍ଡ। ଦଣ୍ଡ ସ୍ବରୂପ କୁକୁରଙ୍କୁ ଆଜୀବନ ଆନିମଲ ବାର୍ଥ କଣ୍ଟ୍ରୋଲ (ଏବିସି) ସେଣ୍ଟରରେ ଛାଡି ଦିଆଯିବ।
କୁକୁର କାମୁଡ଼ିବା ଘଟଣା ବୃଦ୍ଧି ପାଉଥିବା ଦେଖି ରାଜ୍ୟ ସରକାର ସମସ୍ତ ନଗର ନିଗମକୁ ଏହି ଆଦେଶ ଜାରି କରିଛନ୍ତି। ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଅମୃତ ଅଭିଜାତଙ୍କ ଦ୍ୱାରା ଜାରି ଏହି ଆଦେଶରେ ଆକ୍ରମଣକାରୀ ଓ ହିଂସ୍ର କୁକୁରମାନଙ୍କ ପାଇଁ ଏକ ଅଭିନବ ଦଣ୍ଡର ବ୍ୟବସ୍ଥା କରାଯାଇଛି।
ଯୋଗୀ ସରକାରଙ୍କ ନଗର ଉନ୍ନୟନ ବିଭାଗ ଦ୍ୱାରା ଜାରି ଆଦେଶ ଅନୁଯାୟୀ, ଯଦି କୌଣସି ବ୍ୟକ୍ତିକୁ ପ୍ରଥମ ଥର କୁକୁର କାମୁଡ଼ିଥାଏ, ତେବେ ସେହି କୁକୁରକୁ ୧୦ ଦିନର ଦଣ୍ଡ ଦିଆଯିବ। ଏହି ସମୟରେ କାମୁଡ଼ିବା କୁକୁରକୁ ଏନିମାଲ ବର୍ଥ କଣ୍ଟ୍ରୋଲ (ଏବିସି) ସେଣ୍ଟରରେ ରଖାଯିବ। ଏହା ପରେ କୁକୁରର ଶରୀରରେ ମାଇକ୍ରୋଚିପ୍ ଲଗାଯାଇ ଛଡାଯିବ। ଏହା ଦ୍ବାରା କୁକୁର ଉପରେ ସମ୍ପୂର୍ଣ୍ଣ ନଜର ରଖାଯିବ।
Also Read
ଏବିସି ସେଣ୍ଟରରେ ରଖାଯାଉଥିବା କୁକୁରମାନଙ୍କୁ ରେବିଜ୍ ରୋଧୀ ଟିକା ଦିଆଯିବ। ଏକ ଫର୍ମରେ କୁକୁରର ସମ୍ପୂର୍ଣ୍ଣ ବିବରଣୀ ରଖାଯିବ। କୁକୁରର ସ୍ୱାସ୍ଥ୍ୟ ଓ ଆଚରଣର ନିରୀକ୍ଷଣ କରାଯିବ। ଏହା ସହିତ ତାର ଗତିବିଧି ଯାଞ୍ଚ କରିବା ପାଇଁ ଭିଡିଓ ରେକର୍ଡିଂ ମଧ୍ୟ କରାଯିବ।
ଯଦି ସେହି କୁକୁର ଦ୍ୱିତୀୟ ଥର କାହାକୁ କାମୁଡ଼ିବ, ତେବେ ତିନି ଜଣିଆ ଟିମ୍ ଏହାର ତଦନ୍ତ କରିବ। ତଦନ୍ତ ଟିମ୍ରେ ପଶୁଧନ ଅଧିକାରୀ, ସ୍ଥାନୀୟ ନିଗମର ପ୍ରତିନିଧି ଏବଂ ଏସପିସିଏର ସଦସ୍ୟ ରହିବେ। ଟିମ୍ ତଦନ୍ତ କରି ଜାଣିବାକୁ ଚେଷ୍ଟା କରିବ ଯେ କୁକୁରଟିକୁ ଆକ୍ରମଣ କରିବାକୁ ଉତ୍ତେଜିତ କରାଯାଇଥିଲା କି ନାହିଁ।
ଯଦି ଆକ୍ରମଣ ପାଇଁ କୁକୁରକୁ ଉତ୍ତେଜିତ କରାଯାଇନଥିବାର ପ୍ରମାଣ ମିଳିବନି, ତାହାଲେ କୁକୁରକୁ ପୁନର୍ବାର ଏବିସି ସେଣ୍ଟରରେ ଆଜୀବନ ରଖାଯିବ। ଅର୍ଥାତ୍ କୁକୁରକୁ ଆଜୀବନ କାରାଦଣ୍ଡ ଦିଆଯିବ। ଆଜୀବନ କାରାଦଣ୍ଡ ପାଇଥିବା କୁକୁରକୁ କେବଳ ତାକୁ କୌଣସି ବ୍ୟକ୍ତି ଆଧିକାରିକ ରେକର୍ଡରେ ଗୃହପାଳିତ ପ୍ରାଣୀ ଭାବେ ଗ୍ରହଣ କରିବେ, ତାହାଲେ ସେହି କୁକୁରକୁ ମୁକ୍ତ କରାଯିବ।
ତେବେ, ଆକ୍ରମଣକାରୀ ଓ ହିଂସ୍ର କୁକୁରମାନଙ୍କୁ ଦଣ୍ଡ ଦେବା ପାଇଁ ଜାରି ଆଦେଶରେ କିଛି ସର୍ତ୍ତ ମଧ୍ୟ ରଖାଯାଇଛି। ଏଥିପାଇଁ ପୀଡ଼ିତ ବ୍ୟକ୍ତିଙ୍କୁ ସରକାରୀ ହସ୍ପିଟାଲରେ ଚିକିତ୍ସାର ପ୍ରମାଣପତ୍ର ଦେବାକୁ ହେବ।




