କୋଲକାତା, ୦୯/୦୪ : ରାଜନୀତି ତାତିରେ ପଶ୍ଚିମବଙ୍ଗ ଗରମ । କିଛି ଦିନ ପରେ ବିଧାନସଭା ଭୋଟ୍ । ଭୋଟର ଚୁପଚାପ୍ । ନେତାଙ୍କ ଛାଡି ଧଡଧଡ । ଇଭିଏମରେ କଏଦ ହେବ ନେତାଙ୍କ ଭାଗ୍ୟ । ଟିଏମସି ନେତ୍ରୀ ମମତା ବାନାର୍ଜୀ ଆଉ ଥରେ ମୁଖ୍ୟମନ୍ତ୍ରୀ ହେବାକୁ ପ୍ରୟାସ କରୁଛନ୍ତି । ସେପଟେ ବିଜେପି ତାଙ୍କ ବାଟ ରୋକିବାକୁ ଗେମ୍ ପ୍ଲାନ୍ ଚଳାଇଛି । ବୟାନବାଜି ଜୋର୍ ଧରିଲାଣି । କେହି କାହାରିକୁ ଛାଡିବାକୁ ନାରାଜ । ଗାଦି ଦଖଲର ରେସରେ ସବୁ ଦଳ ।
ଏଥର ମମତା ବାନାର୍ଜୀ ଭବାନୀପୁରରୁ ପ୍ରାର୍ଥୀ ହୋଇଛନ୍ତି । ଯାହା ପଶ୍ଚିମବଙ୍ଗର ସବୁଠୁ ହାଇପ୍ରୋଫାଇଲ୍ ସିଟ୍ । ତାଙ୍କ ବିରୋଧରେ ଠିଆ ହୋଇଛନ୍ତି ବିଜେପି ନେତା ଶୁଭେନ୍ଦୁ ଅଧିକାରୀ । ତେବେ ଏହି ଆସନରେ ଗତଥର ଅପେକ୍ଷା ଭୋଟରଙ୍କ ସଂଖ୍ୟା ୨୫ ପ୍ରତିଶତ ହ୍ରାସ ପାଇଥିବା ଜଣାପଡିଛି । ଟାଇମ୍ସ ଅଫ୍ ଇଣ୍ଡିଆର ରିପୋର୍ଟ ଏସଆଇଆର ପରେ ଭୋଟର ସଂଖ୍ୟା ହ୍ରାସ ପାଇଥିବା ଦର୍ଶାଇଛି ।
Also Read :-Mamata Banerjee’s assets: ନା ଗାଡ଼ି ନା ଘର… ୩ ଥର ମୁଖ୍ୟମନ୍ତ୍ରୀ ହୋଇଥିବା ମମତାଙ୍କର କେତେ ସମ୍ପତ୍ତି?
ଏସଆଇଆର ପୂର୍ବରୁ ଭବାନୀପୁରରେ ଭୋଟର ସଂଖ୍ୟା ଥିଲା ୨ଲକ୍ଷ ୬ହଜାର ୨୯୫। ଏସଆଇଆରର ପ୍ରଥମ ପର୍ଯ୍ୟାୟରେ ୪୪୭୮୭ ଭୋଟରଙ୍କୁ ବାବ୍ ଦିଆଯାଇଥିଲା । ଏହି ସବୁ ଭୋଟର ଅନ୍ୟତ୍ର ଚାଲି ଯାଇଛନ୍ତି କିମ୍ବା ସେମାନଙ୍କର ମୃତ୍ୟୁ ହୋଇଯାଇଛି । ଦ୍ୱିତୀୟ ପର୍ଯାୟରେ ୨୩୪୨ଭୋଟରଙ୍କ ନାଁ କଟିଥିଲା । ଏହାସହ ୧୮ଜଣ ନୂଆ ଭୋଟର ସାମିଲ ହୋଇଥିଲେ । ସେହିପରି ୧୪୧୫୪ ଭୋଟରଙ୍କୁ ନୀରିକ୍ଷଣରେ ରଖାଯାଇଥିଲା । ଅର୍ଥାତ ମୋଟ୍ ୫୧୦୦୪ ଜଣ ଭୋଟର ଏସଆରସିରେ ବାଦ୍ ପଡିଥିଲେ । ଏମାନଙ୍କ ମଧ୍ୟରୁ ୨୩.୩ ପ୍ରତିଶତ ମୁସଲିମ ଥିବା ବେଳେ ୭୬.୭ ହେଉଛନ୍ତି ଅଣ ମୁସଲିମ୍ ଭୋଟର ।
ଶବର ଇନଷ୍ଟିଚ୍ୟୁଟର ଗବେଷକ କହିଛନ୍ତି ଯେ, ଏସଆଇଆରରେ ୧୫ଟି ତାଲିକା ପ୍ରକାଶ ପାଇଥିଲା । ଯେଉଁଥିରେ ୧୦,୨୩୮ ଭୋଟର ସେମାନଙ୍କ ନାଁ ପୁଣି ଥରେ ସାମିଲ କରିବାକୁ ଅପିଲ କରିଥିଲେ । ସେମାନଙ୍କ ନାଁ ଯୋଡ଼ା ଯାଇଥିଲା । କିନ୍ତୁ ୩୮୭୫ ନାଁକୁ ସମ୍ପୂର୍ଣ୍ଣ କାଟି ଦିଆଯାଇଛି। ଏମାନଙ୍କ ମଧ୍ୟରୁ ୪୦ ପ୍ରତିଶତ ହେଲେ ମୁସଲିମ ଭୋଟର୍ ।
ନିର୍ବାଚନ କମିଶନଙ୍କ ସୂତ୍ରାନୁସାରେ, ପ୍ରାୟ ୩୫୦୦ନାଁ ବାଦ୍ ଦିଆଯାଇଛି । ୧୪ହଜାର ନାଁକୁ ନୀରିକ୍ଷଣରେ ରଖାଯାଇଥିଲା। ତେବେ ୪୩ ପ୍ରତିଶତ ଅଣ ମୁସଲିମ ଭୋଟର ନୀରିକ୍ଷଣରେ ଅଛନ୍ତି ।କିନ୍ତୁ ୭.୭ ପ୍ରତିଶତ ମୁସଲିମ ଭୋଟରଙ୍କୁ ଫାଇନାଲ ତାଲିକାରୁ ସମ୍ପୂର୍ଣ୍ଣ ବାଦ୍ ଦିଆଯାଇଛି ।




