Published By: Kirti – Prameya-News7 Bureau | November 16, 2025 09:10 AM
NEWS7
ବ୍ରହ୍ମପୁର ୧୬।୧୧ : ପୋଲିସ ଏସ୍ଆଇ କେଳେଙ୍କାରୀ ମାମଲା । ସୋମବାର ବ୍ରହ୍ମପୁର ଯିବ ସିବିଆଇ ଟିମ୍ । ସୋମବାର ତଦନ୍ତକାରୀ ଦଳ ବ୍ରହ୍ମପୁର ଯିବେ। ପୂର୍ବରୁ ମାମଲାର ତଦନ୍ତ କରୁଥିବା ପୁଲିସ ଅଧିକାରୀଙ୍କ ସହ ଆଲୋଚନା କରିବେ । ଦୁର୍ନୀତିରେ ସମ୍ପୃକ୍ତ ଦଲାଲମାନଙ୍କ ରିମାଣ୍ଡ ପାଇଁ ଅଦାଲତରେ ଆବେଦନ କରିବେ।
ସେହିପରି ସିବିଆଇ ତଦନ୍ତକାରୀ ଦଳ ଶନିବାର ଦିନତମାମ ମାମଲା ସଂକ୍ରାନ୍ତୀୟ କାଗଜପତ୍ର ଯଞ୍ଚ କରିଥିଲେ। ଆଗାମୀ ଦିନରେ କେଉଁମାନଙ୍କୁ ଜେରା ପାଇଁ ଡକାଯିବ, ଏକ ତାଲିକା ପ୍ରସ୍ତୁତ କରିଥିଲେ । ୭ ଜଣ ଦଲାଲଙ୍କୁ ଜେରା କରିବାକୁ ସିବିଆଇ ପୂର୍ବରୁ ଯୋଜନା ରଖିଥିଲା। ଏବେ ମାମଲାରେ ମୂଳରୁ ତଦନ୍ତ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛି। କିଛି ଗିରଫ ଆଶାୟୀଙ୍କୁ ମଧ୍ୟ ପଚରାଉଚରା ପାଇଁ ମନ ବଳାଇଛି। କାହିଁକି ନା, ଆଶାୟୀମାନେ ସିଧାସଳଖ କାହାକୁ ଲାଞ୍ଚ ଟଙ୍କା ଦେଇଥିଲେ ? କେଉଁ ଦଲାଲ ସହ ସେମାନେ ଡିଲ୍ କରିଥିଲେ ? ଏସବୁର ସ୍ପଷ୍ଟ ତଥ୍ୟ ଆଶାୟୀମାନେ ହିଁ ଦେଇପାରିବେ। ତେଣୁ ଆଗାମୀ ଦିନରେ ୧୨ ଜଣ ଆଶାୟୀଙ୍କୁ ଜେରା ପାଇଁ ଡକାଯିବ ବୋଲି ସୂଚନା ମିଳିଛି। ସୋମବାର ଦିନ ସିବିଆଇ ଦଳ ବ୍ରହ୍ମପୁର ଯିବା ପରେ ସେଠାରେ ମାମଲାରେ ଅଭିଯୋଗକାରୀ ଥିବା ଡିଏସ୍ପିଙ୍କ ସହ ଆଲୋଚନା କରିବେ। ଆଶାୟୀମାନେ ଯାଉଥିବା ବସ୍କୁ ପିଛା କରି ଆନ୍ଧ୍ରପ୍ରଦେଶ ଯାଇଥିବା ପୋଲିସ ଅଧିକାରୀଙ୍କୁ ମଧ୍ୟ ପଚରାଉଚରା କରିପାରେ । ଏହାପରେ ସିଲିକନ ଟେକଲ୍ୟାବ ସଂସ୍କାର ସିଇଓ ସୁରେଶ ନାୟକ ଓ ପଞ୍ଚସଫ୍ଟ ଟେକ୍ନୋଲୋଜି / ଫ୍ରଣ୍ଟଟେକର ନିର୍ଦ୍ଦେଶକ ତଥା ମାଷ୍ଟରମାଇଣ୍ଡ ଶଙ୍କର ଓ ଅନ୍ୟତମ କାର୍ପଟଦାର ମୁନା ସହ ମୋଟ ୭ଜଣଙ୍କୁ ରିମାଣ୍ଡରେ ଆଣିବାକୁ ସିବିଆଇ ଅଦାଲତରେ ଆବେଦନ କରିପାରେ।




