ଭୁବନେଶ୍ୱର୧୬।୩: କଟକ ଏସ୍ସିବି ମେଡିକାଲ କଲେଜ ଓ ହସ୍ପିଟାଲରେ ଘଟିଥିବା ଅଗ୍ନିକାଣ୍ଡ ଘଟଣା ଦୁର୍ଭାଗ୍ୟଜନକ । ଏଥିପାଇଁ ହୋଇଥିବା ରୋଗୀଙ୍କ ମୃତ୍ୟୁର ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏକ ଫ୍ୟାକ୍ଟ ଫାଇଣ୍ଡିଙ୍ଗ୍ ଟିମ୍ ଗଠନ କରିଛନ୍ତି । କେଉଁ କାରଣରୁ ଏଭଳି ଦୁର୍ଭାଗ୍ୟଜନକ ଅଗ୍ନିକାଣ୍ଡ ଘଟିଲା ଏହି ଟିମ୍ ତାହାର ଅନୁସନ୍ଧାନ କରିବ ।
ଏ ଖବର ବି ପଢ଼ନ୍ତୁ:- SCB ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ, ମୃତକଙ୍କ ପରିବାରକୁ ୨୫ ଲକ୍ଷ ଲେଖାଏଁ ସହାୟତା
ଉନ୍ନୟନ କମିଶନର ଦେଓରଞ୍ଜନ କୁମାର ସିଂହଙ୍କୁ ଏହି କମିଟିର ଅଧ୍ୟକ୍ଷ ଭାବେ ନିଯୁକ୍ତି କରାଯାଇଛି । ଏହାର ସଦସ୍ୟ ମାନେ ହେଲେ ଅଗ୍ନିଶମ ବିଭାଗର ଆଇଜି ଡଃ ଉମାଶଙ୍କର ଦାଶ, ଚିଫ୍ ଇଲେକ୍ଟ୍ରିକାଲ ଇନସ୍ପେକ୍ଟର ତଥା ଇଆଇସି ବରଦା ପ୍ରସନ୍ନ ଦାଶ, ସହରାଞ୍ଚଳ ଜନସ୍ୱାସ୍ଥ୍ୟ ବିଭାଗର ଇଆଇସି ବିରଞ୍ଚି ନାରାୟଣ ପ୍ରଧାନ, ଚିଫ ଇଞ୍ଜିନିୟର ବିଲ୍ଡିଂ ପ୍ରିୟବ୍ରତ ସାମନ୍ତରାୟ ଏବଂ ମେଡିକାଲ ଏଜୁକେଶନ ଓ ଟ୍ରେନିଂ ନିର୍ଦ୍ଦେଶକ ପ୍ରଫେସର (ଡକ୍ଟର) ସନ୍ତୋଷ କୁମାର ମିଶ୍ର । ଏହି କମିଟି ଏସ୍ସିବ୍ ମେଡିକାଲ କଲେଜ ଓ ହସ୍ପିଟାଲ ପରିଦର୍ଶନ କରି ସୋମବାର ସନ୍ଧ୍ୟା ସୁଦ୍ଧା ମୁଖ୍ୟ ଶାସନ ସଚିବଙ୍କୁ ରିପୋର୍ଟ ପ୍ରଦାନ କରିବେ ।
ଖବର ବି ପଢ଼ନ୍ତୁ:- SCB ପିଛା ଛାଡ଼ୁନି ନିଆଁ ! ଟ୍ରମା କେୟାର ଆଇସିୟୁ ପରେ ନ୍ୟୁ ମେଡିସିନ ୱାର୍ଡରେ ଅଗ୍ନିକାଣ୍ଡ
ଉଲ୍ଲେଖଯୋଗ୍ୟ ଯେ, ପୂର୍ବରୁ ରବିବାର ବିଳମ୍ବିତ ରାତିରେ କଟକ ଏସ୍ସିବି ମେଡିକାଲ ଟ୍ରମା କେୟାର ଆଇସିୟୁରେ ଭୟାବହ ଅଗ୍ନିକାଣ୍ଡ ଘଟିଥିଲା । ଏହି ଅଗ୍ନିକାଣ୍ଡରେ ୧୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଲୋକ ଗୁରୁତର ହୋଇଛନ୍ତି । ତେବେ ଏତେ ବଡ଼ ଅଗ୍ନିକାଣ୍ଡ ପରେ ମୁଖ୍ୟମନ୍ତ୍ରୀ କିଛି ବରିଷ୍ଠ ଅଧିକାରୀଙ୍କ ସହିତ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ । ଏହାସହ ମୃତାହତଙ୍କ ସଂପର୍କରେ ସମସ୍ତ ତଥ୍ୟ ସଂଗ୍ରହ କରିଥିଲେ । ଏପରିକି ମୃତାହତଙ୍କ ସଂପର୍କୀୟଙ୍କୁ ଭେଟି ସମବେଦନା ଜଣାଇଥିଲେ । ତେବେ ଗୁରୁତରଙ୍କୁ ଉତ୍ତମ ଚିକିତ୍ସା ଦେବାଲାଗି ନିର୍ଦ୍ଦେଶ ଦେବା ସହ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ଆଦେଶ ଦେଇଥିଲେ । ଏହାସହିତ ମୃତକଙ୍କ ପରିବାରକୁ CMRFରୁ ୨୫ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଘୋଷଣା କରିଛନ୍ତି । ସେହିଭଳି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଘଟଣାକୁ ନେଇ ଶୋକବ୍ୟକ୍ତ କରିଛନ୍ତି । ପ୍ରତ୍ୟେକ ମୃତକଙ୍କ ନିକଟ ସମ୍ପର୍କୀୟଙ୍କୁ ପିଏମଏନଆରଏଫରୁ ୨ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ପ୍ରଦାନ କରାଯିବ । ଆହତ ମାନଙ୍କୁ ୫୦,୦୦୦ ଟଙ୍କା ଦିଆଯିବ ବୋଲି ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି ।




