ଆଧ୍ୟାତ୍ମିକ ଗୁରୁ ଏବଂ ‘ଆର୍ଟ ଅଫ୍ ଲିଭିଂ’ ତଥା ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ଓ ଆଜୀବନ ଅଧ୍ୟକ୍ଷ ଗୁରୁଦେବ ଶ୍ରୀ ଶ୍ରୀ ରବିଶଙ୍କର ଆସନ୍ତା ନଭେମ୍ବର ୬ ରୁ୯ ତାରିଖ ପର୍ଯ୍ୟନ୍ତ ଚାରି ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି । ଏହି ଗସ୍ତ କାଳରେ ଓଡ଼ିଶା ସରକାର ତାଙ୍କୁ ରାଜ୍ୟ ଅତିଥିର ମାନ୍ୟତା ପ୍ରଦାନ କରିଛନ୍ତି ।
![]()
/odishatv-khabar/media/media_files/2025/11/05/17dd0bc7-4538-43fb-8c8d-b4f58a6dff3f-2025-11-05-23-17-07.jpg)
ravi Shankar Photograph: (OTV)
ଆଧ୍ୟାତ୍ମିକ ଗୁରୁ ଏବଂ ‘ଆର୍ଟ ଅଫ୍ ଲିଭିଂ’ ତଥା ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ଓ ଆଜୀବନ ଅଧ୍ୟକ୍ଷ ଗୁରୁଦେବ ଶ୍ରୀ ଶ୍ରୀ ରବିଶଙ୍କର ଆସନ୍ତା ନଭେମ୍ବର ୬ ରୁ୯ ତାରିଖ ପର୍ଯ୍ୟନ୍ତ ଚାରି ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି । ଏହି ଗସ୍ତ କାଳରେ ଓଡ଼ିଶା ସରକାର ତାଙ୍କୁ ରାଜ୍ୟ ଅତିଥିର ମାନ୍ୟତା ପ୍ରଦାନ କରିଛନ୍ତି । ତାଙ୍କର ଓଡ଼ିଶା ରହଣୀ ସମୟରେ ଗୁରୁଦେବ ସ୍ଥାନୀୟ ନରାଜସ୍ଥିତ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ଦ୍ୱାଦଶ ସମାବର୍ତ୍ତନ ଉତ୍ସବରେ ସାମିଲ ହେବା ସହ ଅନ୍ୟାନ୍ୟ ବହୁ କାର୍ଯ୍ୟକ୍ରମରେ ଯୋଗଦେବେ । ନଭେମ୍ବର ୮ ତାରିଖ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଉପସ୍ଥିତ ରହି ହଜାର ହଜାର ବିଦ୍ୟାର୍ଥୀଙ୍କୁ ପ୍ରେରଣା ଯୋଗାଇବେ । ଏହି ଅବସରରେ ଭାରତ ସରକାରଙ୍କ ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ଡ. ସୁକାନ୍ତ ମଜୁମଦାର ମୁଖ୍ୟ ଅତିଥି ଭାବରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।
ନଭେମ୍ବର ୬ ତାରିଖ ଗୁରୁବାର ଦିନ ଝାରସୁଗୁଡ଼ାରେ ଏକ ମହା ସତସଂଗ କାର୍ଯ୍ୟକ୍ରମରେ ଯୋଗଦାନ ସହ ଶ୍ରୀ ଶ୍ରୀ ରବିଶଙ୍କରଙ୍କ ଓଡ଼ିଶା ଗସ୍ତ ଆରମ୍ଭ ହେବ । ତାଙ୍କ ରହଣୀ କାଳରେ ସେ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟରେ ତିନିଦିନ ଧରି ଚାଲିବାକୁ ଥିବା ଏସିଆ ମହାଦେଶର ସର୍ବପ୍ରଥମ ‘ଅନ୍ତର୍ଜାତୀୟ ଅଷ୍ଟିଓପ୍ୟାଥି କନଭେନସନ୍’କୁ ଉଦଘାଟନ କରିବା ସହ ଓଡ଼ିଶା ରାଜ୍ୟ ଲୋକସେବା ଭବନରେ ଆୟୋଜିତ ବ୍ୟୁରୋକ୍ରାଟ୍ ସମ୍ମିଳନୀ “ବିକଶିତ ଓଡ଼ିଶା ୨୦୪୭-ଏଥିକ୍ସ ଇନ୍ ଗଭର୍ଣ୍ଣାନ୍ସ”କୁ ମଧ୍ୟ ସମ୍ବୋଧିତ କରିବେ । ଏଥିସହିତ ଗୁରୁଦେବ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ପରିସରରେ ‘ନବୋନ୍ମେଷ’ ଶୀର୍ଷକରେ ଏକ ପ୍ରଦର୍ଶନୀର ଉଦଘାଟନ କରିବେ, ଯେଉଁଥିରେ କୃତ୍ରିମ ବୁଦ୍ଧିମତ୍ତା ସମେତ ବିଦ୍ୟାର୍ଥୀ ଓ ଅଧ୍ୟାପକମାନଙ୍କର ବହୁ ଶିକ୍ଷଣୀୟ, ଗବେଷଣାଧର୍ମୀ କୃତିସବୁ ସ୍ଥାନ ପାଇବ ।
ଶିକ୍ଷାବିତ୍, ବୁଦ୍ଧିଜୀବୀ, ଶିକ୍ଷାନୁଷ୍ଠାନ ପ୍ରତିଷ୍ଠାତା ଓ ଶିକ୍ଷା ଜଗତର ଶୀର୍ଷ ନେତୃତ୍ୱମାନଙ୍କ ପାଇଁ ଉଦ୍ଦିଷ୍ଟ କନକ୍ଲେଭ୍ ‘ସଂକଳ୍ପ’କୁ ମଧ୍ୟ ଗୁରୁଦେବ ଶ୍ରୀ ଶ୍ରୀ ରବିଶଙ୍କର ଉଦଘାଟନ କରିବେ । ଇନଷ୍ଟିଚ୍ୟୁଟ୍ ଅଫ୍ ରିସ୍କ ମ୍ୟାନେଜମେଣ୍ଟ ସହ ମିଳିତ ଭାବରେ ଗଠିତ “ଶ୍ରୀ ଶ୍ରୀ ସେଣ୍ଟର ଫର୍ ଏଣ୍ଟରପ୍ରାଇଜ୍ ରିସ୍କ୍ ମ୍ୟାନେଜମେଣ୍ଟ”କୁ ମଧ୍ୟ ଉଦଘାଟନ କରିବେ । ଏହାବ୍ୟତୀତ ବିଭିନ୍ନ ପ୍ରତିଷ୍ଠିତ ଉଚ୍ଚ ଶିକ୍ଷାନୁଷ୍ଠାନ ସହ ଚୁକ୍ତି ସ୍ୱାକ୍ଷର (ଏମଓୟୁ) କାର୍ଯ୍ୟକ୍ରମକୁ ଉଦଘାଟନ କରିବା ସହ ଏଗୁଡ଼ିକୁ ସମ୍ବୋଧିତ କରିବେ । ଆସନ୍ତା ୭ ତାରିଖ ସନ୍ଧ୍ୟାରେ ସର୍ବସାଧାରଣଙ୍କ ପାଇଁ ବିଶ୍ୱବିଦ୍ୟାଳୟ ପରିସରରେ ମଧ୍ୟ ଏକ ଭବ୍ୟ ମହା ସତସଂଗର ଆୟୋଜନ କରାଯାଇଛି । ଏହି ଅବସରରେ ବିଶ୍ୱବିଦ୍ୟାଳୟର ବିଦ୍ୟାର୍ଥୀ, ଅଧ୍ୟାପକ ଓ କର୍ମଚାରୀମାନେ ମଧ୍ୟ ଗୁରୁଦେବ ଶ୍ରୀ ଶ୍ରୀ ରବିଶଙ୍କରଙ୍କ ସାନିଧ୍ୟ ପ୍ରାପ୍ତ ହୋଇ ଆଧ୍ୟାତ୍ମିକ ଶକ୍ତି, ପ୍ରେରଣା ଏବଂ ଆନ୍ତରିକ ସାନ୍ତ୍ୱନାର ଅନୁଭୂତି ସାଉଁଟିବେ ବୋଲି ବିଶ୍ୱବିଦ୍ୟାଳୟ ଲିଡରଶିପ୍ ଟିମ୍ ପକ୍ଷରୁ ସୂଚନା ଦିଆଯାଇଛି ।




