ରିଲ୍ କଲେ ପଡ଼ିବ ସରକାରୀ ପାହାର। ମୋଟା ଅଙ୍କର କଟାଯିବ ଫାଇନ୍। ଅମାନିଆ ରିଲର୍ ହୋଇଯାଆନ୍ତୁ ସାବଧାନ ।
ଏବେ ଆଉ ଚଳିବନି ବାହଦୁରିଆ ରିଲ୍ ଭିଡ଼ିଓ। ସଡ଼କ ଉପରେ ହିରୋଗିରି ଦେଖାଇଲେ ମିଳିବ ପନିସମେଣ୍ଟ୍। ବେପାରୁଆ ଗାଡ଼ି ଚଲାଇ ଭିଡ଼ିଓ କରୁଥିଲେ ଝାମ୍ପିନେବ ସରକାରଙ୍କ ପଞ୍ଝା। କାରଣ ସଡ଼କ ସୁରକ୍ଷାକୁ ନିୟମକୁ କଡ଼ା କଡ଼ି ଭାବେ ପାଳନ କରିବା ସହ ଅମାନିଆ ରିଲରଙ୍କୁ ସାବାଡ଼ କରିବାକୁ ନିୟମ ଆଣିଛନ୍ତି ସରକାର। ବିପଦପୂର୍ଣ୍ଣ ଭାବେ ରିଲ୍ସ ଭିଡ଼ିଓ କଲେ ମିଳିବ ଭୟଙ୍କର ଦଣ୍ଡ।
ଗାଡି ଜବତ ହେବା ସହିତ ପଞ୍ଜିକରଣ ସାର୍ଟିଫିକେଟ ଓ ଡ୍ରାଇଭିଂ ଲାଇସେନ୍ସ ହୋଇଯିବ ବାତିଲ। ଏପରିକି ମୋଟା ଅଙ୍କର ଜରିମାନା ବି ଦେବାକୁ ପଡିବ। ଆଉ ରାସ୍ତାରେ ଆପଣ ଚଳାଇପାରିବେନି ଗାଡି। ଏନେଇ ସମସ୍ତ ଆରଟିଓଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛି ପରିବହନ ବିଭାଗ। ବିପଦପୂର୍ଣ୍ଣ ରିଲ୍ସ ଉପରେ ନିୟନ୍ତ୍ରଣ ପାଇଁ ରାଜରାସ୍ତାରେ ଏନଫୋର୍ସମେଣ୍ଟ ସହ ସୋସିଆଲ୍ ମିଡିଆରେ ଏଭଳି ଘଟଣା ଉପରେ ଦୃଷ୍ଟି ରଖିବାକୁ ବାଣିଜ୍ୟ ଓ ପରିବହନ ବିଭାଗ ନିଷ୍ପତ୍ତି ନେଇଛି। ଏନେଇ ପ୍ରତିକ୍ରିୟା ରଖିଛନ୍ତି ବିଭାଗୀୟ ମନ୍ତ୍ରୀ ।
ଏବେ କିଛି ସମୟ ହେବ ସୋସିଆଲ ମିଡ଼ିଆରେ ଘୁରି ବୁଲୁଛି କିଛି ରିଲ୍ ଭିଡ଼ିଓ। ଯେଉଁଥିରେ ସଡ଼କ ସୁରକ୍ଷା ନିୟମର ଖୋଲିଖୋଲି ଧଜ୍ଜିଆ ଉଡ଼ୁଥିବା ଦେଖିବାକୁ ମିଳୁଛି। କିଏ ହେଲମେଟ କାଢି ଷ୍ଟଣ୍ଟ ଦେଖାଉଛି ତ କିଏ ଚଳନ୍ତା କାର ଛାତ ଉପରେ ବସି ଭିଡ଼ିଓ କରୁଛନ୍ତି। ଆଉ ଅମାନିଆ ପ୍ରେମିଯୁଗଳଙ୍କ କଥା ତ ନକହିବା ଭଲ।
Also Read
ବାଇକରେ ବିପଦପୂର୍ଣ୍ଣ ଭାବେ ବସି ରୋମାନ୍ସ କରୁଚନ୍ତି କପଲ। ଆଉ ଭିୟୁ ଟିକିଏ ପାଇଁ ନିଜ ଜୀବନକୁ ବାଜି ଲଗାଉଛନ୍ତି। ନିକଟରେ ଭୁବନେଶ୍ୱର, କଟକ, ଅନୁଗୁଳ, ଖୋର୍ଦ୍ଧା, କେନ୍ଦୁଝର, ପୁରୀ ଆଦି ଜିଲ୍ଲାର ଏମତି ଅନେକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି। ଏହି ମାମଲାରେ ଅନେକ ଗାଡି ବି ଜବତ କରାଯାଇଛି। ତେଣୁ ସରକାର ନିଷ୍ପତ୍ତି ନେଇଛନ୍ତି ଏଭଳି ଅମାନିଆଙ୍କୁ ଆଉ ବରଦାସ୍ତ କରାଯିବ ନାହିଁ। କଡା କାର୍ଯ୍ୟାନୁଷ୍ଠାନ ନେଇ ଏମାନଙ୍କୁ ସାବଡ଼ କରାଯିବ ।
ସେହିପରି ରିଲସ ଛଡ଼ା ମଦ୍ୟପାନ ସହ ବେପରୁଆ ଗାଡି ଚାଳନା, ଟ୍ରାଫିକ ନିୟମ ଉଲଂଘନ ଉପରେ ବିଶେଷ ନଜର ରଖିଛି ବିଭାଗ। ହେଲେ କେବଳ ନିୟମ ନକରି ଏହାକୁ କଡାକଡି ପାଳନ କରାଯାଉ ବୋଲି ମତ ରଖିଛନ୍ତି ସଡ଼କ ସୁରକ୍ଷା ବିଶେଷଜ୍ଞ ।




