Rajyasabha Election: ଆଶାଠୁ ଟପିଗଲା କ୍ରସ ଭୋଟିଂ, ଦଳୀୟ ହ୍ଵିପକୁ ମାନିଲେନି ୧୧ ବିଧାୟକ-ବିଧାୟିକ

rajyasabha-election:-ଆଶାଠୁ-ଟପିଗଲା-କ୍ରସ-ଭୋଟିଂ,-ଦଳୀୟ-ହ୍ଵିପକୁ-ମାନିଲେନି-୧୧-ବିଧାୟକ-ବିଧାୟିକ

ଭୁବନେଶ୍ଵର: ନିର୍ଦ୍ଧାରିତ ସମୟ ପୂର୍ବରୁ ସରିଲା ରାଜ୍ୟସଭା ଭୋଟିଂ। ଯାହା ଆଶଙ୍କା କରାଯାଉଥିଲା ତାହା ହିଁ ହେଲା। ଆଶାଠୁ ଢେର ଅଧିକ ହେଲା କ୍ରସ ଭୋଟିଂ। ବୋଧହୁଏ ଓଡ଼ିଶା ରାଜନୀତିରେ ରାଜ୍ୟସଭା ନିର୍ବାଚନରେ ଏମିତି କ୍ରସ ଭୋଟିଂ କେବେ ହୋଇ ନ ଥିବ। ଜଣେ କି ଦୁଇ ଜଣ ନୁହେଁ ୧୧ ଜଣ ବିଧାୟକ ଏବଂ ବିଧାୟିକା କ୍ରସ ଭୋଟିଂ କରିଥିବା ଜଣା ପଡ଼ିଛି। ନିର୍ବାଚନରେ ବିଜେପି ଗଦଗଦ ହୋଇଥିବା ବେଳେ ବିଜେଡି ଓ କଂଗ୍ରେସକୁ ଲାଗିଛି ଶକ୍ତ ଝଟକା। ଏହା ମଧ୍ୟ ଆପାତଃ ସ୍ପଷ୍ଟ ହୋଇ ଯାଇଛି ଯେ, ଚତୁର୍ଥ ଆସନରେ ବିରୋଧୀ ପରାଜିତ ହୋଇଛନ୍ତି।

ମାନିଲେନି ହ୍ଵିପ୍

ଆଜି ବିଧାନସଭା ପରିସରରେ ରାଜ୍ୟରୁ ରାଜ୍ୟସଭାର ୪ଟି ଆସନକୁ ନେଇ ଭୋଟ୍ ଗ୍ରହଣ ହୋଇଛି। ସମସ୍ତ ୧୪୭ ବିଧାୟକ ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି। ଏଥିରୁ ୧୧ ଜଣ ବିଧାୟକ ଏବଂ ବିଧାୟିକା ଦଳୀୟ ହ୍ଵିପକୁ ଅବମାନନା କରି କ୍ରସ ଭୋଟିଂ କରିଥିବା ସୂଚନା ରହିଛି। କିଛି ବିଧାୟକ ମିଡିଆରେ କ୍ରସ୍ ଭୋଟିଂ କରିଥିବା କହିଥିବା ବେଳେ ଆଉ କିଛି ନିରବ ରହି ମଉନ ସମର୍ଥନ ଦେଇଛନ୍ତି।

କ୍ରସ ଭୋଟିଂ କରିଥିବା ୧୧ ବିଧାୟକ-ବିଧାୟିକା ମଧ୍ୟରୁ ୩ ଜଣ କଂଗ୍ରେସର ସଦସ୍ୟ ହୋଇଥିବା ବେଳେ ୮ ଜଣ ବିଜେଡିର। କ୍ରସ ଭୋଟିଂ କରିଥିବା ବିଧାୟକ ଓ ବିଧାୟିକା…

କଂଗ୍ରେସ ବିଧାୟକ

୧. ରମେଶ ଜେନା, ସାନଖେମୁଣ୍ଡି ବିଧାୟକ

୨. ଦାଶରଥୀ ଗମାଙ୍ଗ, ମୋହନା ବିଧାୟକ

୩. ସୋଫିଆ ଫିର୍ଦ୍ଦୋସ, କଟକ ବାରବାଟୀ ବିଧାୟକ

ବିଜେଡି ବିଧାୟକ

୧. ଚକ୍ରମଣି କହଁର, ବାଲିଗୁଡ଼ା ବିଧାୟକ

୨. ସୌଭିକ ବିଶ୍ବାଳ, କଟକ-ଚୌଦ୍ଵାର ବିଧାୟକ

୩. ନବ କିଶୋର ମଲ୍ଲିକ, ଜୟଦେବ ବିଧାୟକ

୪. ସୁବାସିନୀ ଜେନା, ବସ୍ତା ବିଧାୟକ

୫. ଦେବୀ ରଂଜନ ତ୍ରିପାଠୀ, ବାଙ୍କି ବିଧାୟକ

୬. ରମାକାନ୍ତ ଭୋଇ, ତିର୍ତ୍ତୋଲ ବିଧାୟକ

ବିଜେଡ଼ି ନିଲମ୍ବିତ ବିଧାୟକ

୧. ସନାତନ ମହାକୁଡ଼, ଚମ୍ପୁଆ ବିଧାୟକ

୨. ଅରବିନ୍ଦ ମହାପାତ୍ର, ପାଟକୁରା ବିଧାୟକ

Also read: Rajyasabha election: ଉପାସନାଙ୍କ ଭୋଟ୍‌କୁ ନେଇ ହାଇ ଭୋଲଟେଜ୍ ଡ୍ରାମା

ସବୁ ଫାଟିଲା ସବୁ ଉଦ୍ୟମ

ଘୋଡ଼ା ବେପାର ଏବଂ କ୍ରସ ଭୋଟିଂ ଯେମିତି ନ ହୁଏ ତାକୁ ନେଇ ବିରୋଧୀ ବିଜେଡି ଓ କଂଗ୍ରେସ ବହୁ କସରତ କରିଥିଲେ। ହେଲେ ସବୁ ଉଦ୍ୟମ ଫସର ଫାଟିଛି। କଂଗ୍ରେସ ନିଜର ୧୪ ବିଧାୟକ ମଧ୍ୟରୁ ୮ ଜଣଙ୍କୁ ବେଙ୍ଗାଲୁରୁରେ ରିସର୍ଟରେ ନେଇ ରଖିଥିଲା। ଦଳୀୟ ହ୍ଵିପକୁ ଅବମାନନା କରୁଥିବା ବିଧାୟକଙ୍କୁ ନୋଟିସ୍ ମଧ୍ୟ ଜାରି କରିଥିଲା। ଅନ୍ୟପଟେ ବିଜେଡି ପ୍ରତିଦିନ ନବୀନ ନିବାସରେ ବିଧାୟକଙ୍କ ହାଜିରା ନେଉଥିଲା। ଉଭୟ ଜାଣିଥିଲେ କ୍ରସ ଭୋଟିଂ ହେବ, ମାତ୍ର ଏତେ ମାତ୍ରାରେ ହେବ ବୋଲି ଆଶା କରି ନ ଥିଲେ। ଖାସ୍ କରି ବାଙ୍କି ବିଧାୟକ ଦେବୀରଞ୍ଜନ ତ୍ରିପାଠୀ କ୍ରସ୍ ଭୋଟିଂ କରିବାକୁ ସହଜରେ ଗ୍ରହଣ କରି ପାରୁନି ବିଜେଡି।

ଆଚମ୍ବିତ କଲେ କିଛି ବିଧାୟକ

ଆଉ ବାଲେଶ୍ଵରରୁ ତିର୍ତ୍ତୋଲ ବିଧାୟକ ରମାକାନ୍ତ ଭୋଇ ମଧ୍ୟ କ୍ରସ ଭୋଟିଂ ପର୍ବରେ ସାମିଲ ହୋଇଛନ୍ତି। କ୍ରସ ଭୋଟିଂର ସମ୍ଭାବିତ ତାଲିକାରେ ରମାକାନ୍ତଙ୍କ ନାଁ ନ ଥିଲା। ତଥାପି ସେ କ୍ରସ ଭୋଟିଂ କରିଛନ୍ତି। ସବୁଠୁ ବଡ଼ ଆଶ୍ଚର୍ଯ୍ୟ ଲାଗୁଛି ସାନଖେମୁଣ୍ଡିର କଂଗ୍ରେସ ବିଧାୟକ ରମେଶ ଜେନା କ୍ରସ ଭୋଟିଂ କରିବା। କେହି ବି ଭାବିନ ଥିଲେ ଯେ ରମେଶ ଦଳୀୟ ହ୍ଵିପକୁ ଅବମାନନା କରିବେ। ଅନ୍ୟପଟେ ଅରବିନ୍ଦ ମହାପାତ୍ର, ସନାତନ ମହାକୁଡ଼, ସୁବାସିନୀ ଜେନା, ସୌଭିକ ବିଶ୍ଵାଳ, ସୋଫିଆ ଫିର୍ଦ୍ଦୋଶ ଆଦି କ୍ରସ ଭୋଟିଂ କରିବେ ବୋଲି ପୂର୍ବରୁ ସମ୍ଭାବନା ଥିଲା।

Also read: ​​​​​​​Rajyasbha Poll: କିଏ ହାତେଇବ ଚତୁର୍ଥ ଆସନ, ପୋଲ୍ ଖୋଲିଦେଲେ ବିଜୟ

Scroll to Top