ନୂଆଦିଲ୍ଲୀ: ରିୟଲ୍ ମନି ଗେମିଂ ଅର୍ଥାତ୍ ଆରଜିଏମ୍କୁ ଡ୍ରଗ୍ସରୁ ବି ଅଧିକ ହାନିକାରକ କୁହାଯାଉଛି । କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଥିଲେ ଯେ ଏହାଦ୍ୱାରା ଦେଶରେ ଆତ୍ମହତ୍ୟା ବଢୁଛି ଓ ନିମ୍ନ ମଧ୍ୟବିତ୍ତ ପରିବାର ସବୁଠୁ ଅଧିକ ପ୍ରଭାବିତ ହେଉଛନ୍ତି । ପ୍ରମୋସନ ଆଣ୍ଡ ରେଗୁଲେସନ୍ ଅଫ୍ ଅନଲାଇନ୍ ଗେମିଂ ବିଲ୍ ୨୦୨୫ ସଂସଦରେ ଗୃହୀତ ହୋଇଛି । ଏହାପରେ ଭାରତର ରିୟଲ୍-ମନି ଗେମିଂ ଇଣ୍ଡଷ୍ଟ୍ରିରେ ହଇଚଇ ସୃଷ୍ଟି ହୋଇଛି । ବଡ଼ ଗେମିଂ ପ୍ଲାଟ୍ଫର୍ମଗୁଡ଼ିକ ଟଙ୍କା ଲଗାଯାଉଥିବା ଖେଳକୁ ବନ୍ଦ କରିଦେଇଛନ୍ତି । ତେବେ ଆପ୍ ଷ୍ଟୋର ଓ ଗୁଗୁଲ୍ ପ୍ଲେ ଷ୍ଟୋରରେ ଏବେ ବି ଏହି ଆପ୍ଗୁଡ଼ିକ ଉପଲବ୍ଧ ଅଛି ।
Dream11, Pokerbazi ଏବଂ MPL ପରି ପ୍ଲାଟ୍ଫର୍ମ ନିଜ ନିଜ ୱେବସାଇଟ୍ରେ ୟୁଜର୍ସଙ୍କ ପାଇଁ ସନ୍ଦେଶ ଦେଇଛନ୍ତି । ସଂସ୍ଥାଗୁଡିକ ୱେବ୍ସାଇଟ୍ରେ ଲେଖିଛନ୍ତି, ସରକାରୀଙ୍କ ଏହି ପଦକ୍ଷେପ ପରେ ଏବେ କାରବାର ବନ୍ଦ କରିବାକୁ ପଡ଼ୁଛି । ତେବେ କମ୍ପାନିଗୁଡିକ ୟୁଜର୍ସମାନଙ୍କୁ ସେମାନଙ୍କ ଟଙ୍କା ସୁରକ୍ଷିତ ଥିବା ଓ ଫେରସ୍ତ କରାଯିବ ବୋଲି ଭରସା ଦେଇଛନ୍ତି ।

ନୂଆ ଆଇନରେ ସ୍ପଷ୍ଟ କରାଯାଇଛି ଯେ କୌଣସି ପ୍ରକାର ରିୟଲ୍-ମନି ଗେମ୍ର ପ୍ରମୋସନ କିମ୍ୱା ଟ୍ରାଞ୍ଜେକ୍ସନ ପାଇଁ ଏବେ ଅନୁମତି ଦିଆଯିବ ନାହିଁ । ନିୟମ ଉଲ୍ଲଂଘନ କରୁଥିବା ସଂସ୍ଥା ଏବଂ ବ୍ୟକ୍ତିଙ୍କ ବିରୋଧରେ କଠୋର ଆକ୍ସନ ନିଆଯିବ । ଏପରି କମ୍ପାନି ଉପରେ ଏକ କୋଟି ଟଙ୍କାର ଜରିମାନା ଓ ୩ ବର୍ଷ ଯାଏ ଜେଲ୍ ମଧ୍ୟ ହୋଇପାରେ । ଅନ୍ୟପଟେ ପ୍ରମୋଟର୍ସଙ୍କ ଉପରେ ୫୦ ଲକ୍ଷ ଟଙ୍କାର ଫାଇନ୍ ଓ ଦୁଇ ବର୍ଷ ଯାଏ ଜେଲ୍ ଦଣ୍ଡ ପ୍ରାବଧାନ କରାଯାଇଛି ।
ସରକାର ଏହା ବି କହିଛନ୍ତି ଯେ ଇ-ସ୍ପୋର୍ଟ୍ସ ଓ ସୋସିଆଲ୍ ଗେମ୍ସକୁ ପ୍ରୋମୋଟ୍ କରାଯିବ । ଏଥିପାଇଁ ନ୍ୟାସନାଲ୍ ଗେମିଂ କମିଶନ ଗଠନ କରାଯିବ । ତେବେ ନୂଆ ନିୟମର ସବୁଠୁ ଅଧିକ ପ୍ରଭାବ ରିୟଲ୍ ମନି ଗେମିଂ ଆପ୍ସ ଉପରେ ପଡ଼ିବ । Zuppe ନିଜର ସମସ୍ତ ରିୟଲ୍ ମନି ଗେମ୍ସକୁ ବନ୍ଦ କରିଦେଇଛି । କିନ୍ତୁ ନିଜ ଫ୍ରି ଟୁ ପ୍ଲେ ଗେମ୍ସ ଜାରି ରଖିଛି । Pokerbazi ମଧ୍ୟ ନିଜର ସବୁ ଅପରେସନ୍ ଉପରେ ରୋକ୍ ଲଗାଇଛି । Dream11 ଏବଂ My11Circle ମଧ୍ୟ ନିଜର ଫାଟାନ୍ସି ଗେମ୍ସ ବନ୍ଦ କରିଦେଇଛନ୍ତି । ସବୁ ପ୍ଲାଟଫର୍ମଗୁଡ଼ିକ ନୂଆ ଡିପୋଜିଟ୍ ଉପରେ ରୋକ ଲଗାଇଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ ସରକାରଙ୍କ ଏହି ପଦକ୍ଷେପକୁ କିଛି ଉଦ୍ୟୋଗ ସଂଗଠନ ବିରୋଧ କରିଛନ୍ତି । FIFS, AIGF ଓ EGF ଏହାର ବିରୋଧ କରିଛନ୍ତି । ସେମାନଙ୍କ ଯୁକ୍ତି ଯେ ଏହାଦ୍ୱାରା ଭାରତୀୟ କମ୍ପାନିଗୁଡ଼ିକୁ କ୍ଷତି ପହଞ୍ଚିବ ଓ ବେଆଇନ କମ୍ପାନିଗୁଡ଼ିକୁ ଲାଭ ପହଞ୍ଚିବ । କିଛି ଜଣଙ୍କ ମତ ଯେ ଏହି ଆଇନ ବାଣିଜ୍ୟ କରିବାର ଅଧିକାର ଅର୍ଥାତ୍ ସମ୍ୱିଧାନର ଧାରା ୧୯ (୧)(G)କୁ ଉଲ୍ଲଂଧନ କରୁଛି ।




