ନୂଆଦିଲ୍ଲୀ ୯।୧୦: ଆତଙ୍କବାଦୀଙ୍କ ୨୬/୧୧ ଆକ୍ରମଣକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ପୂର୍ବତନ ଗୃହମନ୍ତ୍ରୀ ପି.ଚିଦାମ୍ବରମଙ୍କ ମଧ୍ୟରେ ବୟାନବାଜୀ ଆରମ୍ଭ ହୋଇଯାଇଛି। ନିକଟରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ କଂଗ୍ରେସ ସରକାର ୨୬/୧୧ ଆକ୍ରମଣ ପରେ ବିଦେଶୀ ଚାପରେ ପାକିସ୍ତାନ ବିରୋଧରେ ଜବାବୀ କାର୍ଯ୍ୟାନୁଷ୍ଠାନ କରିନଥିଲେ। ପ୍ରଧାନମନ୍ତ୍ରୀଙ୍କ ଏହି ବୟାନ ଉପରେ ଚିଦାମ୍ବରମ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ଏହା ସମ୍ପୂର୍ଣ୍ଣ ଭୁଲ ଓ ମନଗଢ଼ା କଥା।
ଚିଦାମ୍ବରମ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋ ନାଁ ନେଇ ଯାହା କହିଛନ୍ତି, ତାହା ମୁଁ କେବେ ବି କହିନାହିଁ। ଚିଦାମ୍ବରମଙ୍କ ଏହି ବୟାନ ପରେ ରାଜନୈତିକ ଅଳିନ୍ଦରରେ ହଲଚଲ ଆରମ୍ଭ ହୋଇଯାଇଛି। ଉଲ୍ଲେଖଯୋଗ୍ୟ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ନଭି ମୁମ୍ବାଇରେ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି କାହାର ନାମ ନନେଇ କଂଗ୍ରେସର ଜଣେ ବରିଷ୍ଠ ନେତା ଓ ପୂର୍ବତନ ଗୃହମନ୍ତ୍ରୀ ନିଜେ ସ୍ୱୀକାର କରିଛନ୍ତି ଯେ ୨୬/୧୧ ଆକ୍ରମଣ ପରେ ସେନା ପାକିସ୍ତାନ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତୁତ ଥିଲା। ତେବେ ତତ୍କାଳୀନ ସରକାର କୌଣସି ଅନ୍ୟ ଦେଶର ଚାପରେ ଏହି ଆକ୍ରମଣ ରୋକି ଦେଇଥିଲେ।
I quote the Hon’ble PM’s words (as reported in ToI):
“…..has said India was ready to respond after 26/11, but because of the pressure exerted by some country, then Congress govt stopped India’s armed forces from attacking Pakistan.”
The statement has three parts, and each one…
— P. Chidambaram (@PChidambaram_IN) October 9, 2025
ପ୍ରଧାନମନ୍ତ୍ରୀ ମୋଦି ଏହାକୁ କଂଗ୍ରେସର ଦୁର୍ବଳତା ବୋଲି କହିଥିଲେ । ସେ କହିଥିଲେ ଯେ ପାର୍ଟି ଆତଙ୍କବାଦ ଆଗରେ ଆଣ୍ଠେଇ ପଡିଥିଲା ଯାହାର କ୍ଷତି ଏବେ ଦେଶକୁ ଭୋଗିବାକୁ ପଡୁଛି। ତେବେ ପ୍ରଧାନମନ୍ତ୍ରୀଙ୍କ ଏହି ଆରୋପ ଉପରେ ପି.ଚିଦାମ୍ବରନ କଡ଼ା ଆପତ୍ତି କରିଛନ୍ତି। ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋ ନାମ ନେଇ ଯେଉଁ କଥା କହିଛନ୍ତି ତାହା ସମ୍ପୂର୍ଣ୍ଣ ଭୁଲ ଓ କାଳ୍ପନିକ। ଚିଦାମ୍ବରମ ପ୍ରଧାନମନ୍ତ୍ରୀଙ୍କ ବୟାନକୁ ୩ ଭାଗରେ ବିଭକ୍ତ କରି ଏହାର ପ୍ରତ୍ୟେକ ଭାଗ ଭୁଲ ବୋଲି କହିଛନ୍ତି। ସେ ନିରାଶା ବ୍ୟକ୍ତ କରି କହିଛନ୍ତି ଯେ ‘ଦୁଃଖର କଥା ହେଉଛି ପ୍ରଧାନମନ୍ତ୍ରୀ ଏହି ଶବ୍ଦଗୁଡିକର କଳ୍ପନା କରି ମୋ ନାଁ ସହିତ ଯୋଡି ଦେଇଛନ୍ତି, ତେବେ ସତ୍ୟତା ସମ୍ପୂର୍ଣ୍ଣ ଭିନ୍ନ’। ସେ ସ୍ପଷ୍ଟ ଭାବେ କହିଛନ୍ତି ଯେ ସେ ଏପରି ବୟାନ କେଉଁଠି ବି ଦେଇ ନାହାନ୍ତି।
ଉଲ୍ଲେଖଯୋଗ୍ୟ ଯେ ପି.ଚିଦାମ୍ବରମ ନିକଟରେ ଏକ ପୋଡକାଷ୍ଟ ସାକ୍ଷାତକାରରେ କହିଥିଲେ ଯେ ସେ ୨୬/୧୧ ଆକ୍ରମଣ ପରେ ପାକିସ୍ତାନ ବିରୋଧରେ ଜବାବୀ କାର୍ଯ୍ୟାନୁଷ୍ଠାନ ସପକ୍ଷରେ ଥିଲେ। ତେବେ ସେ ଏହା ବି କହିଥିଲେ ଯେ ସେ ସମୟରେ ଯୁଦ୍ଧ ଆରମ୍ଭ ନ କରିବାକୁ ବୈଶ୍ୱିକ ଚାପ ଥିଲା, ଏଣୁ ସରକାର ସଂଯମତା ଅବଲମ୍ବନ କରିବାକୁ ନିଷ୍ପତ୍ତି ନେଇଥିଲେ। ଚିଦମ୍ବରମ କହିଥିଲେ ଯେ ତତ୍କାଳୀନ ଆମେରିକା ବିଦେଶମନ୍ତ୍ରୀ କଣ୍ଡୋଲିଜା ରାଇସ୍ ଦିଲ୍ଲୀ ଆସି ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଓ ଚିଦାମ୍ବରମଙ୍କୁ ସାମରିକ କାର୍ଯ୍ୟାନୁଷ୍ଠାନ ନ କରିବାକୁ ଆଗ୍ରହ କରିଥିଲେ। ଚିଦାମ୍ବରମଙ୍କ ଏହି ବୟାନକୁ ନେଇ ଏବେ ଦେଶରେ ରାଜନୈତିକ ବିବାଦ ଦେଖା ଦେଇଛି।




