ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ପ୍ଲାଷ୍ଟିକ୍ ମୁଦ୍ରା ଆଣିବା ନେଇ ଯୋଜନା କରୁଥିବା ଜଣାପଡ଼ିବା ପରେ ଏହାକୁ ନେଇ ଚର୍ଚ୍ଚା ବଢ଼ିଛି। ଆରବିଆଇ ଗଭର୍ଣ୍ଣର ସଞ୍ଜୟ ମଲହୋତ୍ରା ଶୁକ୍ରବାର ଏହାର ସୂଚନା ମଧ୍ୟ ଦେଇଛନ୍ତି। ସେ କହିଛନ୍ତି ପଲିମର ନୋଟର ପ୍ରସ୍ତାବ ଏବେ ପ୍ରାରମ୍ଭିକ ପର୍ଯ୍ୟାୟରେ ରହିଛି। ଆଉ ଏହା ଉପରେ ଅଧିକ ଆଲୋଚନା ଜାରି ରହିଛି।
ହେଲେ ରିପୋର୍ଟ ଅନୁସାରେ, ଏପ୍ରସଙ୍ଗରେ ଖୁବଶୀଘ୍ର ଏକ ପାଇଲଟ ପ୍ରୋଜେକ୍ଟ ଘୋଷଣା କରାଯାଇପାରେ। ପ୍ରାରମ୍ଭିକ ପର୍ଯ୍ୟାୟରେ ୧୦ ଏବଂ ୨୦ ଟଙ୍କିଆ ନୋଟ ଆସିପାରେ। କାରଣ ଏହା ସବୁଠୁ ଅଧିକ ବ୍ୟବହାର ହୋଇଥାନ୍ତି ଏବଂ ଖୁବଶୀଘ୍ର ଖରାପ ହୋଇଯାଏ। ଦୁନିଆର ୬୦ ଦେଶରେ ପୂର୍ବରୁ ହିଁ ପ୍ଲାଷ୍ଟିକ ମୁଦ୍ରା ପ୍ରଚଳିତ। ଏଥିରେ ଅଷ୍ଟ୍ରେଲିଆ, କାନାଡା, ୟୁକେ, ସିଙ୍ଗାପୁର, ନ୍ୟୁଜିଲାଣ୍ଡ, ମାଲେସିଆ ଏବଂ ଥାଇଲ୍ୟାଣ୍ଡ ଭଳି ଦେଶ ଅଛନ୍ତି।
ଅଷ୍ଟ୍ରେଲିଆରେ ସର୍ବପ୍ରଥମେ ଆରମ୍ଭ ହୋଇଥିଲା ପ୍ଲାଷ୍ଟିକ ମୁଦ୍ରା
ପ୍ଲାଷ୍ଟିକ ନୋଟ ସର୍ବପ୍ରଥମେ ଅଷ୍ଟ୍ରେଲିଆରେ ଆରମ୍ଭ ହୋଇଥିଲା। ୧୯୮୮ରେ ଅଷ୍ଟ୍ରେଲିଆ ପ୍ରଥମେ ପଲିମରରେ ତିଆରି ନୋଟ୍ ପ୍ରଚଳନ କରିଥିଲା। ଏହି ନୋଟକୁ ଅଧିକ ସୁରକ୍ଷିତ, ଦୀର୍ଘସ୍ଥାୟୀ ଏବଂ ନକଲି ନୋଟ ବିରୋଧରେ ଅଧିକ ପ୍ରଭାବୀ ବୋଲି ଧରାଯାଏ। ଅଷ୍ଟ୍ରେଲିଆର ପ୍ଲାଷ୍ଟିକ କରେନ୍ସୀକୁ ଦୁନିଆର ସବୁଠୁ ମଜବୁତ କରେନ୍ସୀ ବୋଲି ମଧ୍ୟ କୁହାଯାଏ। ଏହା ଅନେକ ବର୍ଷ ପର୍ଯ୍ୟନ୍ତ ଅକ୍ଷୁର୍ଣ୍ଣ ରହିପାରେ।
ତେବେ ଅଷ୍ଟ୍ରେଲିଆ ପରେ ଧୀରେ ଧୀରେ ଅନ୍ୟ ଦେଶମାନେ ମଧ୍ୟ ଏହି ଜ୍ଞାନକୌଶଳକୁ ଆପଣାଇଥିଲେ। କାନାଡା ୨୦୧୧ରେ ପ୍ଲାଷ୍ଟିକ ନୋଟ ପ୍ରଚଳନ କରିଥିଲା। ସେହିଭଳି ୟୁରୋପର ଅନେକ ଦେଶ ମଧ୍ୟ ଏଦିଗରେ ପଦକ୍ଷେପ ନେଇଛନ୍ତି।
ପ୍ଲାଷ୍ଟିକ୍ ନୋଟର ସୁବିଧା ?
ବିଶେଷଜ୍ଞଙ୍କ ମତରେ କାଗଜ ନୋଟ୍ ଅପେକ୍ଷା ପ୍ଲାଷ୍ଟିକ୍ ନୋଟ୍ ଅନେକ ଦୃଷ୍ଟିରୁ ଉତ୍କୃଷ୍ଟ। ସବୁଠାରୁ ବଡ଼ ସୁବିଧା ହେଉଛି ଏହାର ସ୍ଥାୟୀତ୍ୱ। ସାଧାରଣ କାଗଜ ନୋଟ୍ ୨ରୁ ୩ ବର୍ଷ ମଧ୍ୟରେ ନଷ୍ଟ ହୋଇଯାଇପାରେ, କିନ୍ତୁ ପ୍ଲାଷ୍ଟିକ୍ ନୋଟ୍ ୫ରୁ ୧୦ ବର୍ଷ କିମ୍ବା ତା’ଠାରୁ ଅଧିକ ସମୟ ପର୍ଯ୍ୟନ୍ତ ରହିପାରେ। ପାଣି, ଆର୍ଦ୍ରତା ଏବଂ ଧୂଳି ଯୋଗୁ ମଧ୍ୟ ଏହା ସହଜରେ ଖରାପ ହୋଇନଥାଏ। ବାରମ୍ବାର ବ୍ୟବହାର ସତ୍ତ୍ବେ ଏଗୁଡ଼ିକ ଛିଣ୍ଡିବା କିମ୍ବା କ୍ଷତିଗ୍ରସ୍ତ ହେବାର ସମ୍ଭାବନା କମ୍। ଫଳରେ ନୂଆ ନୋଟ୍ ଛାପିବାର ଆବଶ୍ୟକତା ହ୍ରାସ ପାଇଥାଏ।
ନକଲି ନୋଟ୍ ଉପରେ ଲାଗିବ ଅଙ୍କୁଶ
ନିକଟରେ RBIର ଏକ ରିପୋର୍ଟରେ ୫୦୦ ଟଙ୍କିଆ ନୋଟର ବଢ଼ୁଥିବା ନକଲି ସଂଖ୍ୟା ଉପରେ ଚିନ୍ତା ପ୍ରକାଶ କରାଯାଇଛି। ଏମିତିରେ ପ୍ଲାଷ୍ଟିକ୍ ନୋଟ୍ ସୁରକ୍ଷା ଦୃଷ୍ଟିକୋଣରୁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇପାରେ। ପଲିମର ନୋଟ୍ରେ ସ୍ୱତନ୍ତ୍ର ସୁରକ୍ଷା ବୈଶିଷ୍ଟ୍ୟ ଯୋଡିବା ସହଜ, ଯାହାଦ୍ବାରା ଏହି ନୋଟର ନକଲି କରିବା ବହୁତ କଷ୍ଟକର ହେବ।ବିଶେଷଜ୍ଞଙ୍କ ମତରେ ପ୍ଲାଷ୍ଟିକ୍ ମୁଦ୍ରା ପ୍ରଚଳନ ନକଲି ଟଙ୍କା ରୋକିବା ସହ ନଗଦ ବ୍ୟବସ୍ଥାକୁ ଅଧିକ ସୁରକ୍ଷିତ କରିପାରେ।
Also Read: ଭାରତୀୟ ଅର୍ଥବ୍ୟବସ୍ଥାର ଚମତ୍କାର ପ୍ରଦର୍ଶନ, ଆର୍ଥିକ ବର୍ଷ ୨୦୨୫-୨୬ରେ ଜିଡିପି ଗ୍ରୋଥ୍ ୭.୭%
ନୋଟ୍ ଛାପିବା ଖର୍ଚ୍ଚ କମିବ
ସୂଚନାଥାଉକି, ଦେଶରେ ପ୍ରତିବର୍ଷ ଟଙ୍କା ମୁଦ୍ରଣ ଏବଂ ରକ୍ଷଣାବେକ୍ଷଣ ପାଇଁ ହଜାର ହଜାର କୋଟି ଟଙ୍କା ଖର୍ଚ୍ଚ ହେଉଛି। ନୂଆ ନୋଟଗୁଡ଼ିକୁ ପ୍ରତ୍ୟାହାର କରିବା, ନଷ୍ଟ କରିବା ଏବଂ ମୁଦ୍ରଣ କରିବା ଏକ ବ୍ୟୟସାପେକ୍ଷ ପ୍ରକ୍ରିୟା। ପ୍ଲାଷ୍ଟିକ୍ ନୋଟର ସ୍ଥାୟୀତ୍ବ ଏହି ଖର୍ଚ୍ଚକୁ ଯଥେଷ୍ଟ ହ୍ରାସ କରିପାରିବ। ୨୦୨୪-୨୫ ଆର୍ଥିକ ବର୍ଷରେ ବହୁ ସଂଖ୍ୟକ ନଷ୍ଟ ନୋଟ୍ ପ୍ରଚଳନରୁ ପ୍ରତ୍ୟାହାର କରିବାକୁ ପଡ଼ିଥିଲା। ତେଣୁ ପ୍ଲାଷ୍ଟିକ୍ ନୋଟ୍ ଆସିଲେ, RBIର ସଞ୍ଚୟ ବଢ଼ିବ।
ଭୟଭୀତ ହେବାର କୌଣସି ଆବଶ୍ୟକତା ନାହିଁ
ବିଶେଷଜ୍ଞମାନେ କହିଛନ୍ତି ଯେ, ଯଦି ଭବିଷ୍ୟତରେ ଭାରତରେ ପ୍ଲାଷ୍ଟିକ୍ ନୋଟ୍ କାର୍ଯ୍ୟକାରୀ ହୁଏ, ତେବେ ଏହି ପ୍ରକ୍ରିୟା ପର୍ଯ୍ୟାୟକ୍ରମେ କରାଯିବ। କାଗଜ ନୋଟ୍ ହଠାତ୍ ବନ୍ଦ ହେବ ନାହିଁ। ଉଭୟ ପ୍ରକାରର ମୁଦ୍ରା କିଛି ସମୟ ପାଇଁ ପ୍ରଚଳନରେ ରହିବ। ବର୍ତ୍ତମାନ RBI କେବଳ ଏହି ବିକଳ୍ପ ଉପରେ ବିଚାର କରୁଛି। ତଥାପି ଯଦି ଏହି ଯୋଜନା ଆଗକୁ କାର୍ଯ୍ୟକାରୀ ହୁଏ ତେବେ, ଭାରତର ମୁଦ୍ରା ବ୍ୟବସ୍ଥାରେ ଏକ ବଡ଼ ବୈଷୟିକ ପରିବର୍ତ୍ତନ ଦେଖାଯାଇପାରେ। ଯାହା ପୂର୍ବରୁ ବିଶ୍ୱର ଅନେକ ବିକଶିତ ଦେଶରେ ଘଟିଛି।




