Pakistan Flood: ବୁଡିଲା ପାକିସ୍ତାନ; ୩୬ ଘଣ୍ଟାରେ ଗଲାଣି ୨୦୦ରୁ ଉର୍ଦ୍ଧ୍ବ ଜୀବନ

pakistan-flood:-ବୁଡିଲା-ପାକିସ୍ତାନ;-୩୬-ଘଣ୍ଟାରେ-ଗଲାଣି-୨୦୦ରୁ-ଉର୍ଦ୍ଧ୍ବ-ଜୀବନ

ପାକିସ୍ତାନରେ ପ୍ରବଳ ବର୍ଷା ଯୋଗୁଁ ବନ୍ୟା ଏବଂ ଭୂସ୍ଖଳନ ପରିସ୍ଥିତି ସୃଷ୍ଟି ହୋଇଛି। ମାତ୍ର ୩୬ ଘଣ୍ଟା ମଧ୍ୟରେ ୨୧୪ ଜଣଙ୍କର ଜୀବନ ଯାଇଥିବା ବେଳେ, ଅନେକ ଫସି ରହିଛନ୍ତି। ସବୁଠୁ ବେଶୀ କ୍ଷତିଗ୍ରସ୍ତ ହୋଇଛି ଖାଇବର ପଖତୁନଖ୍ୱା ପ୍ରଦେଶ।

ପ୍ରବଳ ବର୍ଷା ଯୋଗୁଁ ବୁଡିଲାଣି ପାକିସ୍ତାନ। ଅନେକ ସ୍ଥାନ ଜଳମଗ୍ନ। ଗତ କିଛି ଦିନ ଧରି ଲାଗି ରହିଛି ମୁଷଳଧାରାରେ ବର୍ଷା। ତେଣୁ ପାକିସ୍ତାନରେ ବନ୍ୟା ଏବଂ ଭୂସ୍ଖଳନ ଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଗତ ୩୬ ଘଣ୍ଟା ମଧ୍ୟରେ ପାକିସ୍ତାନ ଏବଂ ପାକ୍ ଅଧିକୃତ କାଶ୍ମୀରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବା ଫଳରେ ଅତି କମରେ ୨୧୪ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ଅନେକ ଆହତ ହୋଇଛନ୍ତି।

ବର୍ଷା ଯୋଗୁଁ ଅଧିକାଂଶ ମୃତ୍ୟୁ ଖାଇବର ପଖତୁନଖ୍ୱାରେ ଘଟିଛି। ବନ୍ୟା ଯୋଗୁଁ ଅନେକ କୋଠା କ୍ଷତିଗ୍ରସ୍ତ ହୋଇଛି ଏବଂ ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ)ର ଗିଲଗିଟ-ବାଲ୍ଟିସ୍ତାନରେ କାରାକୋରମ୍ ହାଇୱେ ଏବଂ ବାଲ୍ଟିସ୍ତାନ୍ ହାଇୱେ ସମେତ ପ୍ରମୁଖ ସ୍ଥାନଗୁଡ଼ିକ ଅବରୋଧ ହୋଇଛି।

ପ୍ରଦେଶ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (PDMA) ର ମୁଖପାତ୍ର କହିଛନ୍ତି ଯେ ଗତ ୨୪ ଘଣ୍ଟା ମଧ୍ୟରେ କେବଳ ଖାଇବର ପଖତୁନଖ୍ୱାରେ ବନ୍ୟା ବିପର୍ଯ୍ୟୟରେ ୧୪ ଜଣ ମହିଳା ଏବଂ ୧୨ ଜଣ ଶିଶୁଙ୍କ ସମେତ ଅତି କମରେ ୧୯୮ଜଣଙ୍କର ମୃତ୍ୟୁ ହୋଇଛି ଏବଂ ଅନେକ ନିଖୋଜ ଅଛନ୍ତି। ବୁନେର ଜିଲ୍ଲାରେ ସର୍ବାଧିକ ୯୨ ଜଣଙ୍କ ମୃତ୍ୟୁ ଘଟିଛି। ସେହିପରି ମାନସେହରା, ବାଜୌର, ବାଟାଗ୍ରାମ, ଲୋୟର ଡିର ଏବଂ ଶାଙ୍ଗଲା ମଧ୍ୟ ବହୁ ପ୍ରଭାବିତ ହୋଇଛି। ପ୍ରଭାବିତ ଅଞ୍ଚଳରେ ଅନେକ ଲୋକ ନିଖୋଜ ଥିବାରୁ ମୃତକ କିମ୍ବା ଆହତଙ୍କ ସଂଖ୍ୟା ଆହୁରି ବଢ଼ିବାର ଆଶଙ୍କା କରାଯାଉଛି।

Also Read

ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ)ର ଗିଲଗିଟ-ବାଲ୍ଟିସ୍ତାନର, ଘିଜର ଜିଲ୍ଲାରେ ହଠାତ୍ ବନ୍ୟା ଆସିବାରୁ ଆଠ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ଅନ୍ୟ ଦୁଇଜଣ ନିଖୋଜ ହୋଇଛନ୍ତି। ବନ୍ୟାରେ ଅନେକ ଘର, ବିଲ୍ଡିଂ, ସ୍କୁଲ ଏବଂ ହସ୍ପିଟାଲ କ୍ଷତିଗ୍ରସ୍ତ ହୋଇଛି। କାରାକୋରମ୍ ଏବଂ ବାଲ୍ଟିସ୍ତାନ ରାଜପଥର ଅନେକ ସ୍ଥାନ ବନ୍ଦ ହୋଇଯାଇଛି, ଫଳରେ ଯାତାୟାତ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି। ଉତ୍ତର-ପୂର୍ବ ନୀଲମ୍ ଉପତ୍ୟକାରେ ଗମ୍ଭୀର ପରିସ୍ଥିତି ଦେଖାଦେଇଛି। ଏଠାରେ ଥିବା ରତ୍ତି ଗାଲି ହ୍ରଦ ନିକଟରେ ୬୦୦ରୁ ଅଧିକ ପର୍ଯ୍ୟଟକ ଫସି ରହିଛନ୍ତି। ନୀଲମ ନଦୀର ଜଳସ୍ତର କ୍ରମାଗତ ଭାବରେ ବୃଦ୍ଧି ପାଉଥିବାରୁ ଚିନ୍ତାରେ ପଡିଛି ପାକିସ୍ତାନ ପ୍ରଶାସନ।

ଝେଲମ୍ ଘାଟିରେ ବାଦଲ ଫଟା ବର୍ଷା ଯୋଗୁଁ ଅନେକ ଯାନବାହନ ଫସି ରହିଛନ୍ତି। ସେହିପରି ପାକ୍ ଅଧିକୃତ କାଶ୍ମୀରର ମୁଜାଫରାବାଦ ଜିଲ୍ଲାରେ ଏକ ବଡ଼ ଭୂସ୍ଖଳନ ହୋଇ ଗୋଟିଏ ପରିବାରର ୭ ଜଣ ସଦସ୍ୟ ପୋତି ହୋଇଯାଇଥିବା ସୂଚନା ମିଳିଛି। ଅନ୍ୟପକ୍ଷରେ ସୁଧାନୋଟି ଜିଲ୍ଲାରେ ପାଣିରେ ଭାସି ଯାଇ ଜଣେ ୨୬ ବର୍ଷୀୟ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ବାଗ୍‌ ଜିଲ୍ଲାରେ ଏକ ଘର ଭୁଶୁଡ଼ି ପଡ଼ିବାରୁ ଜଣେ ୫୭ ବର୍ଷୀୟ ମହିଳାଙ୍କ ମୃତ୍ୟୁ ହୋଇଛି।

ଅଧିକ ପଢନ୍ତୁ: ବର୍ଷାରେ କଲବଲ ଦିଲ୍ଲୀରୁ ହିମାଚଳ, ରାଜରାସ୍ତାରେ ଲହଡି ଭାଙ୍ଗୁଛି ପାଣି

ଓଟିଭି ହ୍ଵାଟ୍ସଅପ

Scroll to Top