ନିଶା ମାଫିଆଙ୍କ ଉପରେ ଏୟାର ଷ୍ଟ୍ରାଇକ୍ କରିଛି ରିଓ ଡି ଜେନେରିଓର ପୋଲିସ୍। ଏଥିରେ ୨୫୦୦ ସଶସ୍ତ୍ର କର୍ମୀ ସାମିଲ ଥିଲେ। ପୋଲିସର କାର୍ଯ୍ୟାନୁଷ୍ଠାନରେ ୧୩୨ ଜଣଙ୍କର ମୃତ୍ୟୁ ହୋଇଛି।
![]()
/odishatv-khabar/media/media_files/2025/10/30/police-crackdown-on-gang-2025-10-30-13-09-00.jpg)
Police Crackdown On Gang Photograph: (OTV)
ପୋଲିସର ବଡ ଆକ୍ସନ। ନିଶା ମାଫିଆଙ୍କ ଉପରେ ବ୍ରାଜିଲ୍ ଇତିହାସର ସବୁଠୁ ବଡ କାର୍ଯ୍ୟାନୁଷ୍ଠାନ। କୌଣସି ଯୁଦ୍ଧ ପରିସ୍ଥିତିଠୁ ବି କମ୍ ନୁହେଁ। ନିଶା ମାଫିଆଙ୍କ ଉପରେ କରାଯାଇଛି ଏୟାର ଷ୍ଟ୍ରାଇକ। ପୋଲିସ୍ ଆକ୍ରମଣରେ ଥରି ଉଠିଥିଲା ସମଗ୍ର ରିଓ ଡି ଜେନେରିଓ। ବ୍ରାଜିଲ (Brazil)ର ରିଓ ଡି ଜେନେରିଓରେ ନିଶା ମାଫିଆଙ୍କ ଉପରେ ପୋଲିସ୍ ପକ୍ଷରୁ ବଡ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଡ୍ରଗ୍ ଗ୍ୟାଙ୍ଗ ଉପରେ କରାଯାଇଥିବା ଏହି କାର୍ଯ୍ୟାନୁଷ୍ଠାନରେ ସାମିଲ ଥିଲେ ୨୫୦୦ ସଶସ୍ତ୍ର କର୍ମୀ। ରିଓ ଡି ଜେନେରିଓର ସବୁଠୁ କୁଖ୍ୟାତ ବସ୍ତି ଫାଭେଲା ଉପରେ ଏହି ଆକ୍ରମଣ କରାଯାଇଛି। ଏହି ଘାତକ ଆକ୍ରମଣରେ ୧୩୨ ଜଣଙ୍କର ମୃତ୍ୟୁ ଘଟିଛି। ସେଥିମଧ୍ୟରୁ ୪ ଜଣ ପୋଲିସ୍ ଅଧିକାରୀଙ୍କ ମଧ୍ୟ ମୃତ୍ୟୁ ହୋଇଛି।
ନିଶା ମାଫିଆଙ୍କ ସବୁଠୁ ବଡ ସଙ୍ଗଠନ ‘ରେଡ୍ କମାଣ୍ଡ’ର ବିଭିନ୍ନ ଆଡ୍ଡା ଉପରେ ହେଲିକପ୍ଟର ଦ୍ବାରା ଏୟାରଷ୍ଟ୍ରାଇକ୍ କରାଯାଇଛି। ଏହି ଗ୍ୟାଙ୍ଗ ସହ ଜଡିତ ଥିବା ଅପରାଧିଙ୍କୁ ଖୋଜି ଖୋଜି ଟାର୍ଗେଟ କରାଯାଇଛି। ପୋଲିସ୍ ଆକ୍ରମଣକୁ ଡରି ନଯାଇ ପାଲଟା ଆକ୍ରମଣ କରିଥିଲା ରେଡ୍ ଗ୍ୟାଙ୍ଗ। ଉଭୟ ପକ୍ଷରୁ ଡ୍ରୋନ୍ ଦ୍ବାରା ବୋମା ମାଡ ମଧ୍ୟ ହୋଇଥିଲା।
ପୋଲିସର ଏହି କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରାୟ ବର୍ଷେ ପୂର୍ବରୁ ଯୋଜନା କରିବାକୁ ପଡିଥିଲା। ଏହି କାର୍ଯ୍ୟାନୁଷ୍ଠାନରେ ଏବେ ଯାଏଁ ୮୦ରୁ ଅଧିକ ନିଶା ବେପାରୀଙ୍କୁ ଗିରଫ କରାଯାଇଛି। କିନ୍ତୁ ଅନେକ ଫେରାର ହୋଇ ଯାଇଛନ୍ତି। ୨୦୦ କିଲୋରୁ ଅଧିକ ନିଶାଦ୍ରବ୍ୟ, ଅନେକ ବନ୍ଧୁକ ଓ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି। ତେବେ ପୋଲିସ୍ ଓ ନିଶା ମାଫିଆଙ୍କ ମଧ୍ୟରେ ଏହି ସଂଘର୍ଷରେ ଅନେକ ସାଧାରଣ ଲୋକ ଆହତ ହୋଇଛନ୍ତି।
ଏହି ଘଟଣାରେ ବ୍ରାଜିଲର ରାଷ୍ଟ୍ରପତି ଲୁଲା ଡା ସିଲ୍ଭା ଏହି ଘଟଣାକୁ ନିନ୍ଦା କରିବା ସହ ସଂଘୀୟ ସରକାରଙ୍କ ଅଗୋଚରରେ ଏହା ହୋଇଥିବା କହିଛନ୍ତି। ସେପଟେ ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସ୍ ମଧ୍ୟ ଏହି ଘଟଣାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି।
‘ରେଡ୍ କମାଣ୍ଡ’ ଗ୍ୟାଙ୍ଗ କ’ଣ ଓ କେବେଠୁ ଆରମ୍ଭ:-
ଉଲ୍ଲେଖଯୋଗ୍ୟ ଯେ, ୧୯୭୦ରେ ବ୍ରାଜିଲରେ ଗଢି ଉଠିଥିବା କମାଣ୍ଡୋ ଭର୍ମେଲା (ଇଂରାଜୀରେ ରେଡ୍ କମାଣ୍ଡ) ଦେଶର ସବୁଠୁ ପୁରୁଣା ଓ ଶକ୍ତିଶାଳୀ ଅପରାଧୀ ସଂଗଠନ। ଏହା ନିଶାଦ୍ରବ୍ୟ କାରବାର ଓ ଅସ୍ତ୍ରଶସ୍ତ୍ର ଚୋରାଚାଲାଣ ସହ ବିଭିନ୍ନ ଅପରାଧୀକ କାର୍ଯ୍ୟକଳାପରେ ଲିପ୍ତ ରହୁଥିଲା। ବାମପନ୍ଥୀ ବିଚାରଧାରର କଏଦୀମାନେ ଏକତ୍ର ହୋଇ ଏକ ମେଣ୍ଟ କରି ଅପରାଧର ଅଲଗା ଦୁନିଆ ଗଢିଥିଲେ ଓ ନିଜର ପତିଆରା ବଢାଇ ଚାଲିଥିଲେ। ଏହା ବିଭିନ୍ନ ଅଞ୍ଚଳ ନିଜ କବଜାକୁ ନେବାରେ ଲାଗିଥିଲା। ଏମାନଙ୍କର କୌଣସି ନିର୍ଦ୍ଦିଷ୍ଟ ଲିଡର୍ ନଥିବା ବେଳେ ପ୍ରତ୍ୟେକ ଅଞ୍ଚଳରେ ଭିନ୍ନ ଭିନ୍ନ କମାଣ୍ଡାଣ୍ଟ ରହିଥାନ୍ତି। ଏମାନେ ତଟବର୍ତ୍ତୀ ରୁଟ୍ ଗୁଡିକୁ କବଜା କରି ପଡୋଶୀ ଦେଶକୁ ମଧ୍ୟ ଡ୍ରଗ୍ସ ଚାଲାଣ କରିଥାନ୍ତି। ଶେଷରେ ଏହାର ଅପରାଧ ଚରମ ସୀମା ଟପି ଯାଇଥିଲା। ଯାହାଫଳରେ ପୋଲିସକୁ ଏତେ ବଡ କାର୍ଯ୍ୟାନୁଷ୍ଠାନ ନେବାକୁ ପଡିଥିଲା।




