OnlineMahaprasad: ପୁଣି ଅନଲାଇନରେ ମହାପ୍ରସାଦର ବେଧଡକ୍ ବେପାର, ଭକ୍ତଙ୍କ ଭାବାବେଗ ସହ ଖେଳୁଛନ୍ତି ଅସାଧୁ ବ୍ୟବସାୟୀ

onlinemahaprasad:-ପୁଣି-ଅନଲାଇନରେ-ମହାପ୍ରସାଦର-ବେଧଡକ୍-ବେପାର,-ଭକ୍ତଙ୍କ-ଭାବାବେଗ-ସହ-ଖେଳୁଛନ୍ତି-ଅସାଧୁ-ବ୍ୟବସାୟୀ

ଅନଲାଇନ୍ ରେ ପୁଣି ମହାପ୍ରସାଦ ବିକ୍ରି। ୱେବସାଇଟରେ ଚାଲିଛି ବେଧଡ଼କ ଅବଢ଼ା ବେପାର। ଭକ୍ତଙ୍କ ଭାବାବେଗ ସହ ଚାଲିଛି ଖେଳ। କିଛି ମୁନାଫାଖୋର ବ୍ୟକ୍ତି କିମ୍ବା ଅନୁଷ୍ଠାନ ଏହାକୁ ଲାଭଜନକ ବ୍ୟବସାୟରେ ପରିଣତ କରିବାକୁ ଉଦ୍ୟମ କରିଛନ୍ତି। ଅନଲାଇନରେ ଅବଢ଼ା ବିକ୍ରି ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୈଣସି ବ୍ୟବସ୍ଥା କି ଅନୁମତି ନଥିବା ବେଳେ କିଭଳି ଏମିତି କରାଯାଉଛି ତାକୁ ନେଇ ବଡ଼ ପ୍ରଶ୍ନବାଚୀ ଉଠିଛି। ଏଣେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କଲେଣି ଭକ୍ତ ଓ ସେବାୟତ।

ମହାପ୍ରଭୁଙ୍କ ମହାପ୍ରସାଦ ପ୍ରତି ମହା ଅବମାନନା। ଭକ୍ତଙ୍କ ଭାବାବେଗ ସହ ଖେଳ। ଅନଲାଇନରେ ଅବଢ଼ା ବେପାର। ମାତିଛନ୍ତି କିଛି ଅସାଧୁ ବ୍ୟବସାୟୀ ଓ ଦଲାଲ। ଆନନ୍ଦବଜାରରେ ମିଳୁଥିବା ମହାପ୍ରସାଦକୁ ୱେବସାଇଟ ଓ ଆପ୍ ଜରିଆରେ ବିକ୍ରି କରୁଛନ୍ତି। ଦେଖନ୍ତୁ ଏ ଫଟୋ। ଯେଉଁଥିରେ ଶ୍ରୀମନ୍ଦିର ନାଁରେ ଅନଲାଇନରେ ବିକ୍ରି ହେଉଛି ଅବଢ଼ା। ଅନ୍ନ, ଡାଲି, ବେସର, ମହୁର ଅର୍ଡର ନିଆଯାଉଛି। ୨ ଜଣଙ୍କ ଖାଇବା ପାଇଁ ଦର ରଖିଛନ୍ତି ୭୦୦ ଟଙ୍କା। ଶ୍ରୀମନ୍ଦିର ସହ କୁଡୁଆ ଭର୍ତ୍ତି ମହାପ୍ରସାଦ ଫଟୋ ବି ରହିଛି। ରାତି ସାଢେ ୧୦ଟା ସୁଦ୍ଧା ଦିଆଯିବ ଡେଲିଭରି। ଅନଲାଇନ୍ ଅର୍ଡର କଲେ ପ୍ରତି ସୋମବାର, ଗୁରୁବର ଓ ଶନିବାର ଅବଢ଼ା ଦିଆଯିବ ବୋଲି ଉଲ୍ଲେଖ ରହିଛି। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଅନଲାଇନରେ ମହାପ୍ରସାଦ ବିକ୍ରିର କୌଣସି ବ୍ୟବସ୍ଥା ନାହିଁ। ତଥାପି ବିକ୍ରି ହେଉଛି କେମିତି ? କିଏ ବିକୁଛି, କିଏ ଦେଲା ଅନୁମତି ? କେଉଁଠୁ ଆଣୁଛନ୍ତି ଅବଢ଼ା ? ଏମିତି ଦୁଃସାହସ କଲେ କେମିତି ? ଅନଲାଇନରେ ଅର୍ଡର କରିଥିବା ଭକ୍ତ ମହାପ୍ରସାଦ ପାଉଛନ୍ତି ନା ଠକେଇର ଶିକାର ହେଉଛନ୍ତି ? ମହାପ୍ରଭୁଙ୍କ ମହାପ୍ରସାଦକୁ ନେଇ ବେପାର ଦ୍ବାରା ଧର୍ମୀୟ ଭାବନାକୁ ଆଘାତ ଦେଇଛି। କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଭକ୍ତ। …

Also Read

ବିଶ୍ବାସ ରହଛି ମହାପ୍ରଭୁଙ୍କ ମହାପ୍ରସାଦ କଣିକାଏ ପାଇଲେ କୋଟି ପୂଣ୍ୟ ମିଳିଥାଏ। ଏଇ ଅବଢ଼ା ପାଇବାକୁ ଦେଶ ବିଦେଶରୁ ବି ଶ୍ରୀକ୍ଷେତ୍ରକୁ ଭକ୍ତ ଛୁଟି ଆସନ୍ତି। ଯେହେତୁ ଶ୍ରୀଜିଉଙ୍କ ଦର୍ଶନ ସହ ଆନନ୍ଦବଜାରରେ ମହାପ୍ରସାଦ ସେବନ କଲେ ଭକ୍ତକୁ ଆତ୍ମତୃପ୍ତି ମିଳିଥାଏ। ତେଣୁ ୟାର ସୁଯୋଗ ନେଇ କିଛି ମୁନାଫାଖୋର ବ୍ୟକ୍ତି କିମ୍ବା ଅନୁଷ୍ଠାନ ଅବଢ଼ାକୁ ଲାଭଜନକ ବ୍ୟବସାୟରେ ପରିଣତ କରିବାକୁ ଉଦ୍ୟମ କରିଛନ୍ତି। ମହାପ୍ରସାଦ ବର୍ଷ ଯାକ ଶ୍ରୀମନ୍ଦିରରେ ବିକ୍ରି ହୋଇଥାଏ। ତେବେ ମନ୍ଦିର ବାହାରେ ମହାପ୍ରସାଦ ବିକ୍ରିର କୌଣସି ବ୍ୟବସ୍ଥା ନାହିଁ। ମହାପ୍ରଭୁଙ୍କ ଅବଢ଼ାର ସ୍ବତନ୍ତ୍ର ଗାରିମା ବି ରହିଛି। ତେଣୁ ଅନଲାଇନରେ ଏହାର ବିକ୍ରିକୁ ସେବାୟତ ମହଲ ତୀବ୍ର ନିନ୍ଦା କରିଛି। ଏଥିପାଇଁ ପ୍ରଶାସନିକ ବ୍ୟବସ୍ଥାକୁ ଦାୟୀ କରିଛନ୍ତି କୋଠଭୋଗ ବଡ଼ ସୁଆର ନିଯୋଗ ସଭାପତି। ସେ କହିଛନ୍ତି, ମହାପ୍ରସାଦର ସ୍ଥାନ କେବଳ ଆନନ୍ଦବଜାର। ଯିଏ ଅନଲାଇରେ ବିକ୍ରି କରୁଛନ୍ତି ସେମାନଙ୍କ ବିରୋଧରେ କଠୋର ଆକ୍ସନ ହେଉ।

ଭକ୍ତଙ୍କୁ ସୁବିଧାରେ ଓ ସୁଲଭ ଦରରେ ମହାପ୍ରସାଦ ଯୋଗାଇବାକୁ ଶ୍ରୀମନ୍ଦିର ପ୍ରଶସାନ ବଡ଼ ସଂସ୍କାର ଆଣିବାକୁ ଯାଉଛି। ଅବଢ଼ା ଦରରେ ଯେଭଳି ଦ୍ବନ୍ଦ୍ବ ନରହିବ ଓ ଭକ୍ତ ଠକେଇର ଶିକାର ହେବେନି ସେଥିପାଇଁ ଖୁବଶୀଘ୍ର ଆନନ୍ଦବଜାରରେ ମହାପ୍ରସାଦ ଦର ତାଲିକା ଲଗାଯିବ। ଅଲଗା ଅଲଗା ବିକ୍ରି ହେବ ଅବଢ଼ା ଓ ଶୁଖିଲି ଭୋଗ। ଗତ ମଙ୍ଗଳବାର ଶ୍ରୀମନ୍ଦିର ପ୍ରଶାସନ ବୈଠକରେ ଏହି ନିଷ୍ପତ୍ତି ହୋଇଥିଲା।…

ଅନଲାଇନରେ ମହାପ୍ରସାଦ ବିକ୍ରି ନୂଆ ନୁହେଁ। ପୂର୍ବରୁ ବି ଅବଢ଼ା, ଶୁଖିଲି ଭୋଗ ଓ ନିର୍ମାଲ୍ୟ ବିକ୍ରି କରାଯାଉଥିବା ଖବର ସାମନାକୁ ଆସିଥିଲା। ତେବେ ମନ୍ଦିର ପ୍ରଶାସନ ପକ୍ଷରୁ ଏହାକୁ ରୋକିବାକୁ କଡ଼ା ନିୟମ ହୋଇନଥିବାରୁ ଭକ୍ତଙ୍କ ଭାବାବେଗ ସହ ଖେଳ ଖେଳୁଛନ୍ତି ଅସାଧୁ ବ୍ୟବସାୟୀ। 

ଅଧିକ ପଢ଼ନ୍ତୁ: ଛାତ୍ରୀ ମୃତ୍ୟୁ ମାମଲାରେ ବୟଫ୍ରେଣ୍ଡ ଗିରଫ, ମୋବାଇଲରୁ ମିଳିଛି ୬୦ଟି ଅଶ୍ଲୀଳ ଭିଡ଼ିଓ

  • Reported by:
  • MADHUSUDAN MISHRA

ଓଟିଭି ହ୍ଵାଟ୍ସଅପ

Scroll to Top