Odisha Congress: ସଭାପତି ଚୟନକୁ ୮ ମାସ ବିତିଲାଣି, ଛିଡ଼ି ପାରୁନି ଜିଲ୍ଲା ଅଙ୍କ

odisha-congress:-ସଭାପତି-ଚୟନକୁ-୮-ମାସ-ବିତିଲାଣି,-ଛିଡ଼ି-ପାରୁନି-ଜିଲ୍ଲା-ଅଙ୍କ

୨୦୨୯ ନିର୍ବାଚନ ପାଇଁ ଅଙ୍କ କଷିଲେଣି ପିସିସି ସଭାପତି ଭକ୍ତ ଦାସ। ହେଲେ ୮ ମାସ ହେଲାଣି ଖାଲି ପଡ଼ିଛି ଜିଲ୍ଲା ଓ ବ୍ଲକସ୍ତରରେ ସଭାପତି ପଦ। ବିଭିନ୍ନ ପ୍ରସଙ୍ଗକୁ ନେଇ ଦଳ ରାଜ୍ୟସ୍ତରରେ ସକ୍ରିୟ ହେଉଥିବା ବେଳେ ତୃଣମୂଳ ସଂଗଠନ କିନ୍ତୁ ଯଥା ପୂର୍ବଂ ତଥା ପରଂ।

ପିସିସି ସଭାପତି ଚୟନକୁ ୮ ମାସ ବିତିବାକୁ ବସିଥିଲେ ବି ଏଯାଏଁ ଜିଲ୍ଲା ଏବଂ ବ୍ଲକସ୍ତରରେ ହୋଇପାରିନି ସଭାପତି ଚୟନ। ଏପଟେ କିନ୍ତୁ ନୂଆ ରଣନୀତିରେ ୨୦୨୯ ନିର୍ବାଚନ ପାଇଁ ଅଙ୍କ କଷିଲେଣି ପିସିସି ସଭାପତି ଭକ୍ତ ଦାସ। କଂଗ୍ରେସକୁ ତୃଣମୂଳସ୍ତରରେ ମଜବୁତ କରିବା ପାଇଁ ଗତ ନିର୍ବାଚନରେ ୧୦ ପ୍ରତିଶତରୁ ଅଧିକ ଭୋଟ ପାଇଥିବା ନେତାଙ୍କୁ ନେଇ ଆରମ୍ଭ ହୋଇଛି କସରତ। ପଞ୍ଚାୟତ ନିର୍ବାଚନକୁ ଆଖି ଆଗରେ ରଖି ନେତାଙ୍କୁ ଦିଆଯାଇଛି ନୂଆ ଟାସ୍କ। 

କେବେ ନିଯୁକ୍ତ ହେବେ କଂଗ୍ରେସର ନୂଆ ଜିଲ୍ଲା ସଭାପତି ? ନୂଆ ମୁଖିଆ ଦାୟିତ୍ବ ନେବାକୁ ୮ ମାସ ପୂରିଲାଣି। ହେଲେ ଏଯାଏଁ ନିଯୁକ୍ତ ହୋଇପାରୁନାହାନ୍ତି ଜିଲ୍ଲା ଆଉ ବ୍ଲକ ସଭାପତି। ଗତ ଫେବୃଆରୀରେ ପିସିସି ମୁଖିଆ ଭାବେ ଭକ୍ତ ଦାସଙ୍କୁ ବାଛିଥିଲା ଏଆଇସିସି। ବିଭିନ୍ନ ପ୍ରସଙ୍ଗକୁ ନେଇ ଦଳ ସକ୍ରିୟ ହୋଇଥିବା ଦେଖିବାକୁ ମିଳୁଥିବାବେଳେ ତୃଣମୂଳ ସଂଗଠନ କିନ୍ତୁ ଯଥା ପୂର୍ବଂ ତଥା ପରଂ। କାରଣ ଏଯାଏଁ ଗ୍ରାଉଣ୍ଡରେ କଂଗ୍ରେସକୁ ସଜାଡ଼ିପାରିନାହାନ୍ତି ନୂଆ ମୁଖିଆ। ବ୍ଲକ ଓ ଜିଲ୍ଲା ସଭାପତି ନଥିବାରୁ ଦଳରେ ସମନ୍ବୟ ରହୁନଥିବା ଦେଖିବାକୁ ମିଳିଛି। ଜିଲ୍ଲା ସଭାପତି ବଦଳରେ ସଂଯୋଜକଙ୍କୁ ନିଯୁକ୍ତ କରାଯାଇଛି। ଦଳ କହିଛି, ଜିଲ୍ଲା ସଭାପତି ପାଇଁ ଏଆଇସିସି ଗଠନ କରିଥିବା ୩୫ ଜଣିଆ କମିଟି ଖୁବଶୀଘ୍ର ଜିଲ୍ଲା ଗସ୍ତ କରିବେ। ସେପଟେ ରାଜନୀତି ସମୀକ୍ଷକଙ୍କ କହିବା କଥା, କମିଟି ଦ୍ବାରା ଜିଲ୍ଲା ସଭାପତି ଚୟନ ଆଗକୁ ଅନେକ ଜଟିଳ ସମସ୍ୟା ସୃଷ୍ଟି କରିବ।

Also Read

ଗୋଟିଏ ପଟେ ଜିଲ୍ଲାରେ ନେତା ନିଯୁକ୍ତ ହୋଇନଥିବାବେଳେ ଏପଟେ ୨୦୨୯ ପାଇଁ କସରତ ଆରମ୍ଭ କଲେଣି ସଭାପତି ଭକ୍ତ ଦାସ। ନୂଆ ଢାଞ୍ଚାରେ ଲଢ଼ିବାକୁ ପ୍ରସ୍ତୁତ ହୋଇଛି ରୋଡ୍ ମ୍ୟାପ୍। ଆଗାମୀ ପଞ୍ଚାୟତ ନିର୍ବାଚନର ଫଳାଫଳକୁ ପ୍ରାର୍ଥୀତ୍ବର ମାନଦଣ୍ଡରେ ସାମିଲ କରିବ ଦଳ। ଏହାରି ଭିତରେ ଗତ ନିର୍ବାଚନରେ ଯେଉଁ ପ୍ରାର୍ଥୀମାନେ ୧୦ ପ୍ରତିଶତରୁ ଅଧିକ ଭୋଟ ପାଇଥିଲେ ସେମାନଙ୍କ ସହ ଆଲୋଚନା କରିଛନ୍ତି ପିସିସି ସଭାପତି। ସମସ୍ତଙ୍କୁ ଦିଆଯାଇଛି ଟାର୍ଗେଟ୍। ଭକ୍ତଙ୍କ ଟାସ୍କ ଅନୁସାରେ, ପ୍ରତି ମାସରେ ହେବ ସମୀକ୍ଷା। ୨୦ ଦିନ ରାଜନୈତିକ ଓ ସାଙ୍ଗଠନିକ କାର୍ଯ୍ୟ କରିବେ ପ୍ରାର୍ଥୀ। ପ୍ରତି ମାସରେ ଦେବେ ରିପୋର୍ଟ। ୬ ମାସରେ ପିସିସି କରିବ ବଡ଼ ସମୀକ୍ଷା। ଏହି ଆଧାରରେ କଂଗ୍ରେସ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ।

ସେପଟେ ସମ୍ବିଧାନ ବଞ୍ଚାଅ, ଭୋଟ୍ ଚୋରି ଅଭିଯୋଗ ଏବଂ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଫଳତା ଘରେ ଘରେ ପହଞ୍ଚାଇବାକୁ କଂଗ୍ରେସ ନେତାଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ପଞ୍ଚାୟତ ନିର୍ବାଚନରେ ଦଳର ଭୋଟ୍ ପ୍ରତିଶତ ବଢାଇବାକୁ ଟାର୍ଗେଟ୍ ରହିଛି। ଏହାଛଡ଼ା ତୃଣମୂଳସ୍ତରରେ ସରକାରୀ ଦଳ ଦ୍ବାରା କୌଣସି ଅସୁବିଧା ହେଲେ ପିସିସି ଟିମ୍ ସାଥିରେ ଛିଡ଼ା ହେବ ବୋଲି ଦଳୀୟ ନେତାଙ୍କୁ ଭରସା ଦେଇଛନ୍ତି ଭକ୍ତ ଦାସ। ଦେଖିବାକୁ ବାକିରହିଲା କଂଗ୍ରେସର ଏ ନୂଆରଣନୀତି କେତେ ସଫଳ ହେଉଛି ଏବଂ କେବେସୁଦ୍ଧା ନୂଆ ଜିଲ୍ଲା ଓ ବ୍ଲକ ସଭାପତି ନିଯୁକ୍ତ ହେଉଛନ୍ତି।

  • Reported by:
  • RASHMIRANJAN DAS

ଓଟିଭି ହ୍ଵାଟ୍ସଅପ

Scroll to Top