Odisha:ରାଜସ୍ୱ କାମ ଠପ୍ , ଲୋକେ ହୀନସ୍ତା

odisha:ରାଜସ୍ୱ-କାମ-ଠପ୍-,-ଲୋକେ-ହୀନସ୍ତା

ବିନା ସ୍ବୀକୃତିରେ ଛୁଟିରେ ରହିଲେ ଦରମା ବନ୍ଦ। ଆନ୍ଦୋଳନତ ରାଜସ୍ବ ଅମଲା ସଂଘକୁ ଆଜି ଏଭଳି ଢଙ୍ଗରେ ଖୋଦ୍ ରାଜସ୍ବ ମନ୍ତ୍ରୀଙ୍କ ତାଗିତ ସତ୍ତ୍ବେ ସ୍ଥିତି ଯାହାକୁ ସେୟା। ତାଗିଦକୁ ଭୃକ୍ଷେପ ନକରି ୧୦ ଦଫା ଦାବି ପୂରଣ ନହେବା ଯାଏଁ ଜିଦରେ ଅଟଳ ରାଜସ୍ବ ଅମଲା ସଂଘ ଆନ୍ଦୋଳନକୁ ବ୍ୟାପକ କରିବାକୁ ଚେତାବନୀ ଦେଇଛି। ଏଭଳି ସ୍ଥିତିରେ ତିନି ଦିନ ହେଲାଣି ରାଜ୍ୟରେ ସବୁ ରେଭେନ୍ୟୁ କାମ ଠପ୍, ହନ୍ତସନ୍ତ ଜନତା।

କଲମ ଛାଡ଼ି ଆନ୍ଦୋଳନରେ ଅମଲା । ସେବା ନପାଇ ହନ୍ତସନ୍ତ ଜନତା । କଟକ ବାଙ୍କୀ ତହସିଲ କାର୍ଯ୍ୟାଳୟ । ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣାରେ ବସି ନାରାବାଜି ଚଳେଇଛନ୍ତି କର୍ମଚାରୀ ତ ଏପଟେ ଅଫିସ ଭିତର ପୂରା ଖାଁ ଖାଁ, ସବୁ ଚେୟାର ଟେବୁଲ ଫାଙ୍କା।… ଗଞ୍ଜାମରୁ ନବରଙ୍ଗପୁର, ମାଲକାନଗିରିରୁ ସମ୍ବଲପୁର…ଏମିତି ସ୍ଥିତି ସବୁଠି, ସବୁ ଜିଲ୍ଲାରେ। ରାଜ୍ୟର ସବୁ ବ୍ଲକ୍ଠୁ ନେଇ ତହସିଲ ଅଫିସ, ସମନ୍ବିତ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟଠୁ ନେଇ ଜମି ବନ୍ଦୋବସ୍ତ କାର୍ଯ୍ୟାଳୟ…ରାଜ୍ୟ ବ୍ୟାପୀ ସବୁ ଅଫିସରେ କାମ ଠପ୍। ଜମିବାଡ଼ି ପଟ୍ଟା, ଇନକମ୍ ସାର୍ଟିଫିକେଟ୍ ହେଉ କି ଲିଗାଲ୍ ହେୟାର ସାର୍ଟିଫିକେଟ୍ ଭଳି ଜରୁରୀ ସେବା ପାଇ ନପାରି ନିରାଶରେ ଫେରୁଛନ୍ତି ସାଧାରଣ ଲୋକେ।…

ରାଜସ୍ବଅମଲାଙ୍କ ମୂଳ ଦରମା ଲେଭଲ୍ ନାଇନ୍ କରିବା ସହ ସ୍ବାସ୍ଥ୍ୟ ବୀମା ୨୦ ଲକ୍ଷକୁ ବୃଦ୍ଧି, ୪ ବର୍ଷରେ ପଦୋନ୍ନତି, ନୂଆ ପେନସନ୍ ଯୋଜନା ରଦ୍ଦ କରି ପୁରୁଣା ପେନସନ୍ ଯୋଜନା ଲାଗୁ ଭଳି ୧୦ ଦଫା ଦାବିରେ ସୋମବାରଠୁ ରାଜସ୍ବ ଅମଲା ସଂଘ ସମୂହ ଛୁଟିରେ ଚାଲିଯାଇ ଆନ୍ଦୋଳନ ଚଳାଇଥିବାରୁ ଚିନ୍ତାରେ ସରକାର। ଆନ୍ଦୋଳନରତ ଅମଲାଙ୍କ ଛୁଟି ବାତିଲ ପାଇଁ ଜିଲ୍ଲାପାଳଙ୍କୁ ଚିଠି ପରେ ଆଜି ଆହୁରି କଡ଼ା ଆଭିମୁଖ୍ୟ ପୋଷଣ କରିଛନ୍ତି ସରକାର।

ଆନ୍ଦୋଳନରୁ ଓହରିବାକୁ ଅପିଲ୍ କରିବା ସହ ବିନା ସ୍ବୀକୃତିରେ ଛୁଟିରେ ରହିଲେ ଦରମା ବନ୍ଦ ହେବ ବୋଲି କହିଛନ୍ତି ରାଜସ୍ବମନ୍ତ୍ରୀ ସୁରେଶ ପୂଜାରୀ। ଏଥିସହ କ୍ୟାଡର ପୁନର୍ଗଠନ ରାଜସ୍ବ ବିଭାଗ ଅଧୀନ ନୁହେଁ, ଏହା ଜିଏ ବିଭାଗକୁ ଯାଇଛି, ଅପେକ୍ଷା ନ କରି ଛୁଟିରେ ରହିଲେ ଏହା ମଞ୍ଜୁର ହେବ ନାହିଁ ବୋଲି ମନ୍ତ୍ରୀ ସଫା ଶୁଣାଇ ଦେଇଛନ୍ତି। ହେଲେ ସଂଘ କିନ୍ତୁ ନଛୋଡ଼ବନ୍ଦା। ନାଯ୍ୟଦାବି ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ, କୌଣସି ପରିସ୍ଥିତିରେ ବି ହଟିବାର ପ୍ରଶ୍ନ ଉଠୁନି ବୋଲି କହିଛନ୍ତି ଓଡ଼ିଶା ରାଜସ୍ବ ଅମଲା ସଂଘ ସଭାପତି।..

Also Read

 ସରକାର ଓ ଦାବି  ପୂରଣକୁ ନେଇ ଅମଲା ସଂଘର ଟଣାଭିଡ଼ା ଭିତରେ ସାଧାରଣ ଜନତା ପେଶି ହେଉଥିବାରୁ, କେବେ ସମାଧାନର ରାସ୍ତା ବାହାରୁଛି ଏବେ ତା ଉପରେ ନଜର।…
 

ଓଟିଭି ହ୍ଵାଟ୍ସଅପ

Scroll to Top