ଏଠି ଜୀବନ ଯେମିତି ଅଭିଶାପ, ବଞ୍ଚିବା ସଂଘର୍ଷମୟ… ପିଢ଼ି ପରେ ପିଢ଼ି ବିତିଗଲାଣି, ହେଲେ ଏ ଯାଏ ଗାଁକୁ ନାହିଁ ରାସ୍ତା କି ଲାଇନ୍ । ଆମେ 6Gର କଥା କହୁଥିବାବେଳେ ଏଠି ଇଣ୍ଟରନେଟ୍ ତ ଦୂରରେ ଥାଉ ନେଟୱାର୍କ ବି ଆସୁନି ।
/odishatv-khabar/media/media_files/2025/11/09/koida-village-problem-2025-11-09-18-40-42.jpg)
Koida-village-problem Photograph: (OTV)
ଏଠି ଜୀବନ ଯେମିତି ଅଭିଶାପ, ବଞ୍ଚିବା ସଂଘର୍ଷମୟ… ପିଢ଼ି ପରେ ପିଢ଼ି ବିତିଗଲାଣି, ହେଲେ ଏ ଯାଏ ଗାଁକୁ ନାହିଁ ରାସ୍ତା କି ଲାଇନ୍ । ଆମେ 6Gର କଥା କହୁଥିବାବେଳେ ଏଠି ଇଣ୍ଟରନେଟ୍ ତ ଦୂରରେ ଥାଉ ନେଟୱାର୍କ ବି ଆସୁନି । ଖାଲଖମା ଭରା ଢେଲା ପଥର ରାସ୍ତା…ବର୍ଷ ବର୍ଷ ହେଲାଣି ଖରା ବର୍ଷାରେ ଏହି ରାସ୍ତାରେ ଯା’ ଆସ କରୁଛନ୍ତି ଶତାଧିକ ଗ୍ରାମବାସୀ ଓ ଛାତ୍ରଛାତ୍ରୀ । ଭାବନ୍ତୁ, ଯଦି ଏଭଳି ରାସ୍ତାରେ କେହି ଖସିପଡେ, କି ଅବସ୍ଥା ହେଉଥିବ । ପିଢ଼ି ପରେ ପିଢ଼ି, ଏମିତି ଦୁଃଖ ଦୁର୍ଦ୍ଦଶା ଭିତରେ ଜୀବନ ବିତାଉଛନ୍ତି ପର୍ବତ ଶିଖରର ଗାଁ କଦମଢିହିର ଶତାଧିକ ପରିବାର ।
ସୁନ୍ଦରଗଡ ଜିଲ୍ଲା ଖଣିର ରାଜଧାନୀ କୋଇଡା ବ୍ଲକ୍ଠାରୁ ୧୭ କିଲୋମିଟର ଦୂର ପାହାଡ଼ ଉପରେ ରହିଛି ନାହିଁ ନାହିଁର ଗାଁ କଦମଢିହି । ଗାଁକୁ ପକ୍କା ରାସ୍ତା କି ବିଦ୍ୟୁତ ସଂଯୋଗୀକରଣ ନାହିଁ । ଏହାର ପଞ୍ଚାୟତ କାର୍ଯ୍ୟାଳୟ ପାଟମୁଣ୍ଡା ପାହାଡ ତଳେ ୭ କିଲୋମିଟର ବ୍ୟବଧାନ ରହିଥିବାରୁ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି ଗ୍ରାମବାସୀ । ୭ କିଲୋମିଟର ରାସ୍ତା ମଧ୍ୟରେ ୫ କିଲୋମିଟର ଘାଟି ରାସ୍ତା, ଯାହା ଆଜି ପର୍ଯ୍ୟନ୍ତ ନିର୍ମାଣ ହୋଇପାରିନି । ଗାଁକୁ ପଶିପାରୁନି ଆମ୍ବୁଲାନ୍ସ କି କୌଣସି ଚାରି ଚକିଆ ଯାନ । ଫଳରେ ଗର୍ଭବତୀଠାରୁ ଆରମ୍ଭ କରି ଉଚ୍ଚଶିକ୍ଷା ପାଇଁ ଛାତ୍ରଛାତ୍ରୀ ଏହି ଖାଲଖମା ଭରା ଘାଟି ଉପରେ ନିର୍ଭର କରୁଛନ୍ତି । ଭତ୍ତା, ରାସନ ଚାଉଳ, ତହସିଲ, ବ୍ଲକ୍ କାର୍ଯ୍ୟାଳୟ, ଥାନା କିମ୍ବା ମୁଖ୍ୟ ବଜାର ଯିବାକୁ ହେଲେ ଏଇ ଘାଟି ରାସ୍ତା ହିଁ ଏକମାତ୍ର ଭରସା ।
କଦମଢିହି ଗାଁକୁ ଆଜି ପର୍ଯ୍ୟନ୍ତ ପହଞ୍ଚି ପାରିନି ବିଦ୍ୟୁତ୍ । ବିନା ବିଦ୍ୟୁତ୍ ଏବଂ ବିନା ଇଣ୍ଟରନେଟରେ ଜୀବନ ବିତାଉଛନ୍ତି ଗ୍ରାମର ଶତାଧିକ ପରିବାର । ଡ଼ିବିରି ଓ ସୋଲାର ଆଲୁଅ ଭରଷାରେ ପୁରା ଗାଁ । ଅନ୍ୟପଟେ ବିନା ରାସ୍ତା ଓ ବିଦ୍ୟୁତ୍ ନଥିବା ଯୋଗୁଁ ଅଧାରୁ ଛାତ୍ରଛାତ୍ରୀ ପାଠ ଛାଡୁଥିବା ଅଭିଯୋଗ କରିଛନ୍ତି ଅଭିଭାବକ । ଶିକ୍ଷକମାନେ ବି ଡରୁଛନ୍ତି ଏହି ଗାଁକୁ ଆସିବାକୁ ।
ନେତାଏ ଏଠି କେବଳ ଭୋଟ ବେଳେ ଦେଖାଦିଅନ୍ତି ଆଉ ଭୋଟ୍ ସରିଗଲେ ଭୁଲିଯାଆନ୍ତି । ଗାଁର ସମସ୍ୟା ନେଇ ଜନଶୁଣାଣୀଠାରୁ ଆରମ୍ଭ କରି ଯେତେ ଯାହାକୁ କହିଲେ ବି କେହି କର୍ଣ୍ଣାପାତ କରୁନଥିବା କହିଛନ୍ତି ସ୍ଥାନୀୟ ବାସିନ୍ଦା । ସବୁଠି ନିଜର ଗୁହାରି ଜଣାଇବା ପରେ ଶେଷରେ ଭୋଟ ବର୍ଜନ ପାଇଁ ନିଷ୍ପତି ନେଇଛନ୍ତି କଦମଡିହି ଗ୍ରାମବାସୀ । ସେପଟେ ଛାତ୍ରଛାତ୍ରୀ ବି କହିଲେଣି ରାସ୍ତା ନାହିଁ ତ ପାଠପଢ଼ା ନାହିଁ..




