New House Rent Rules: ବଦଳିଲା ଘରଭଡ଼ା ନିୟମ: ମାଲିକ ଓ ଭଡ଼ାଟିଆଙ୍କ ପାଇଁ ଆସିଲା ନୂଆ ଆଇନ, ଜାଣନ୍ତୁ ସମ୍ପୂର୍ଣ୍ଣ ବ୍ୟବସ୍ଥା

new-house-rent-rules:-ବଦଳିଲା-ଘରଭଡ଼ା-ନିୟମ:-ମାଲିକ-ଓ-ଭଡ଼ାଟିଆଙ୍କ-ପାଇଁ-ଆସିଲା-ନୂଆ-ଆଇନ,-ଜାଣନ୍ତୁ-ସମ୍ପୂର୍ଣ୍ଣ-ବ୍ୟବସ୍ଥା

ନୂଆଦିଲ୍ଲୀ: ଭାରତରେ ଘର ଭଡ଼ା ନେବା କିମ୍ବା ଦେବା ପ୍ରକ୍ରିୟା ସବୁବେଳେ ଏକ ମୁଣ୍ଡବିନ୍ଧାର କାରଣ ହୋଇଆସିଛି। ଘରମାଲିକଙ୍କ ମନମୁଖୀ ଭଡ଼ା ବୃଦ୍ଧି ଏବଂ ଅଧିକ ସିକ୍ୟୁରିଟି ଡିପୋଜିଟ୍କୁ ନେଇ ଭଡ଼ାଟିଆମାନେ ଅଭିଯୋଗ କରୁଥିବା ବେଳେ, ଭଡ଼ା ନଦେବା କିମ୍ବା ଘର ନଛାଡ଼ିବା ଭଳି ସମସ୍ୟାକୁ ନେଇ ଘରମାଲିକମାନେ ଚିନ୍ତାରେ ରହୁଥିଲେ। ତେବେ ଏହି ସବୁ ସମସ୍ୟାର ସମାଧାନ ଏବଂ ଉଭୟ ପକ୍ଷ ମଧ୍ୟରେ ସନ୍ତୁଳନ ରକ୍ଷା କରିବା ପାଇଁ ‘ମଡେଲ ଟେନାନ୍ସି ଆକ୍ଟ, ଉପରେ ଆଧାରିତ ଏକ ନୂଆ ରେଣ୍ଟାଲ୍ ଫ୍ରେମୱାର୍କ ପ୍ରସ୍ତୁତ କରାଯାଇଛି।

ରିଷଭ ଗାନ୍ଧୀ & ଆଡଭୋକେଟ୍ସର ପ୍ରତିଷ୍ଠାତା ରିଷଭ ଗାନ୍ଧୀ ଓ ହରିଶ ଆଣ୍ଡ କୋ.ର ଡି.ଏମ୍. ଅଧିରାଜ ହରିଶଙ୍କ ମତରେ ଏହି ନୂତନ ଆଇନର ମୂଳ ଲକ୍ଷ୍ୟ ହେଉଛି ଭାରତର ଅସଂଗଠିତ ଘରଭଡ଼ା ବଜାରକୁ ଏକ ଆନୁଷ୍ଠାନିକ ଏବଂ ସ୍ୱଚ୍ଛ ରୂପ ଦେବା। ଆସନ୍ତୁ ଜାଣିବା ଏହି ନୂଆ ନିୟମରେ କ’ଣ ସବୁ ବଡ଼ ପରିବର୍ତ୍ତନ ହୋଇଛି:

ଭଡ଼ାଟିଆଙ୍କ ପାଇଁ କ’ଣ ରହିଛି ସୁବିଧା?

  •  ଲିଖିତ ଚୁକ୍ତି ବାଧ୍ୟତାମୂଳକ: ଏଣିକି କେବଳ ମୌଖିକ କଥାରେ ଘରଭଡ଼ା ଦିଆଯାଇପାରିବ ନାହିଁ। ଭଡ଼ାଟିଆ ଏବଂ ଘରମାଲିକଙ୍କ ମଧ୍ୟରେ ଲିଖିତ ଚୁକ୍ତି ହେବ ଏବଂ ଏହାକୁ ଦୁଇ ମାସ ମଧ୍ୟରେ ସ୍ଥାନୀୟ ‘ରେଣ୍ଟ୍ ଅଥରିଟି’ଙ୍କ ନିକଟରେ ପଞ୍ଜୀକରଣ କରିବାକୁ ପଡ଼ିବ।
  •  ସିକ୍ୟୁରିଟି ଡିପୋଜିଟ୍ ଉପରେ ଲଗାମ: ଆବାସିକ ଘର ପାଇଁ ସର୍ବାଧିକ ଦୁଇ ମାସର ଘରଭଡ଼ା ଏବଂ ବାଣିଜ୍ୟିକ ଘର ପାଇଁ ସର୍ବାଧିକ ୬ ମାସର ଭଡ଼ାକୁ ସିକ୍ୟୁରିଟି ଡିପୋଜିଟ୍ ଭାବେ ନିଆଯାଇପାରିବ।
  •  ମନମୁଖୀ ଭଡ଼ା ବୃଦ୍ଧି ମନା: ବିନା ଆଗୁଆ ଲିଖିତ ନୋଟିସ୍ ଏବଂ ଚୁକ୍ତିନାମାରେ ଉଲ୍ଲେଖ ନଥାଇ ଘରମାଲିକ ମନଇଚ୍ଛା ଭଡ଼ା ବଢ଼ାଇ ପାରିବେ ନାହିଁ।

ଘରମାଲିକଙ୍କ ପାଇଁ କ’ଣ ରହିଛି ସୁବିଧା?

  •  ଅଧିକ ଭଡ଼ା ଆଦାୟ ଅଧିକାର: ଯଦି ଚୁକ୍ତି ସରିବା ପରେ ବି ଭଡ଼ାଟିଆ ଘର ଖାଲି ନକରନ୍ତି, ତେବେ ଘରମାଲିକଙ୍କୁ ନିର୍ଦ୍ଧାରିତ ମାସିକ ଭଡ଼ାର ଚାରି ଗୁଣା ପର୍ଯ୍ୟନ୍ତ କ୍ଷତିପୂରଣ ଆଦାୟ କରିବାର ଆଇନଗତ ଅଧିକାର ମିଳିବ।
  •  ଘର ଖାଲି କରିବା ନିୟମ ସ୍ପଷ୍ଟ: କ୍ରମାଗତ ଭାବେ ଭଡ଼ା ନଦେଲେ, ଘରର ଅପବ୍ୟବହାର କିମ୍ବା କ୍ଷତି କଲେ କିମ୍ବା ବିନା ଅନୁମତିରେ ଅନ୍ୟ କାହାକୁ ଭଡା କିମ୍ବା ଲିଜ୍ ଦେଲେ ଘରମାଲିକ ଆଇନଗତ ଭାବେ ତୁରନ୍ତ ଘର ଖାଲି କରାଇପାରିବେ।

ବିବାଦର ଶୀଘ୍ର ସମାଧାନ ପାଇଁ ଟ୍ରିବ୍ୟୁନାଲ୍

ପୂର୍ବରୁ ସାଧାରଣ ଦେୱାନୀ ଅଦାଲତରେ ଘରଭଡ଼ା ବିବାଦ ବର୍ଷ ବର୍ଷ ଧରି ପଡ଼ିରହୁଥିଲା। ମାତ୍ର ଏବେ ଏହାର ଶୀଘ୍ର ସମାଧାନ ପାଇଁ ଏକ ତିନି ସ୍ତରୀୟ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ପ୍ରଥମେ ସ୍ଥାନୀୟ ‘ରେଣ୍ଟ୍ ଅଥରିଟି’, ତା’ପରେ ‘ରେଣ୍ଟ୍ କୋର୍ଟ’ ଏବଂ ଶେଷରେ ‘ରେଣ୍ଟ୍ ଟ୍ରିବ୍ୟୁନାଲ୍’ ରେ ଏଭଳି ମାମଲାର ଶୀଘ୍ର ଶୁଣାଣି ହୋଇପାରିବ।

ରାଜ୍ୟ ସରକାରଙ୍କ ନିଷ୍ପତ୍ତି ହେବ ଚୂଡ଼ାନ୍ତ

ସମ୍ବିଧାନ ଅନୁଯାୟୀ ଜମି ଏବଂ ଘର ରାଜ୍ୟ ସରକାରଙ୍କ ବିଷୟବସ୍ତୁ ହୋଇଥିବାରୁ, ଏହି ନୂତନ କେନ୍ଦ୍ରୀୟ ଫ୍ରେମୱାର୍କକୁ ନିଜ ରାଜ୍ୟରେ କିପରି ଲାଗୁ କରିବେ ତାହା ସମ୍ପୂର୍ଣ୍ଣ ଭାବେ ରାଜ୍ୟ ସରକାରଙ୍କ ଉପରେ ନିର୍ଭର କରେ। ତାମିଲନାଡୁ, ଆନ୍ଧ୍ରପ୍ରଦେଶ, ଉତ୍ତରପ୍ରଦେଶ ଏବଂ ଆସାମ ଭଳି ରାଜ୍ୟ ପୂର୍ବରୁ ନିଜ ନିଜ ରାଜ୍ୟରେ ଏହି ନିୟମକୁ ଲାଗୁ କରିସାରିଲେଣି। ତେବେ ଏହି ନିୟମ ଓଡିଶାରେ ଲାଗୁ ହେବା ଦ୍ବାରା ପ୍ରକାରାନ୍ତରରେ ଓଡିଶାର ଘର ମାଲିକ ଏବଂ ଭଡାଟିଆଙ୍କ ମଧ୍ୟରେ ହେଉଥିବା ସମସ୍ୟା ଦୂର ହେବ ।​​​​​​​ଯଦିଓ ଏହା ସମ୍ପୂର୍ଣ୍ଣ ରୂପେ କାର୍ଯ୍ୟକାରୀ ହେବାକୁ ସମୟ ଲାଗିବ, ତଥାପି ଏହି ନୂଆ ବ୍ୟବସ୍ଥା ଭାରତର ଘରଭଡ଼ା ସମସ୍ୟାରେ ଏକ ବଡ଼ ସକାରାତ୍ମକ ପରିବର୍ତ୍ତନ ଆଣିବ ବୋଲି ଆଶା କରାଯାଉଛି।

Scroll to Top