N

n

ପ୍ରଶାସନ ଫୁଲ୍ ଆକ୍ଟିଭରେ। କୋଷ୍ଟଗାର୍ଡ ଘନଘନ ପଇଁତରା ମାରୁଛି । ହେଲେ ମେରାଇନ୍ ଥାନା ଚାଲିଛି କାମଚଳାରେ । ଅଧା ପଦବୀ ଖାଲି, ନାହିଁ ଅତ୍ୟାଧୁନିକ ଭିତ୍ତିଭୂମି। କିଭଳି ହେବ ଅବୈଧ ବାଂଲାଦେଶୀ ମୁକ୍ତ ଓଡ଼ିଶା ?

author-image

BANGLADESH

BANGLADESH Photograph: (OTV)

ପ୍ରଶାସନ ଫୁଲ୍ ଆକ୍ଟିଭରେ। କୋଷ୍ଟଗାର୍ଡ ଘନଘନ ପଇଁତରା ମାରୁଛି । ହେଲେ ମେରାଇନ୍ ଥାନା ଚାଲିଛି କାମଚଳାରେ । ଅଧା ପଦବୀ ଖାଲି, ନାହିଁ ଅତ୍ୟାଧୁନିକ ଭିତ୍ତିଭୂମି। କିଭଳି ହେବ ଅବୈଧ ବାଂଲାଦେଶୀ ମୁକ୍ତ ଓଡ଼ିଶା ? ରାଜ୍ୟକୁ ପଶିଆସୁଥିବା ବାଂଲାଦେଶୀଙ୍କୁ ସମୁଦ୍ରରେ ହିଁ ରୋକିବାକୁ ରାଜ୍ୟ ସରକାର ଆରମ୍ଭ କରିଛନ୍ତି ବଡ଼ ଅଭିଯାନ। ତେବେ ଓଟିଭିର ଗ୍ରାଉଣ୍ଡ ରିୟଲିଟି ଚେକ୍ ବେଳେ ସାମ୍ନାକୁ ଆସିଛି ଚିନ୍ତାଜନକ ଚିତ୍ର।

ବାଲେଶ୍ବରରୁ ପାରାଦୀପ, ଫୁଙ୍ଗୁଳା ପଡ଼ିଛି ଉପକୂଳ। ମାଳମାଳ ମେରାଇନ୍ ଥାନା ଅଛି, କିନ୍ତୁ ନଥିବା ଭଳି । ୨୦୦୯ରେ ପାରାଦୀପରେ ପ୍ରତିଷ୍ଠା ହୋଇଥିବା ଇଏ ରାଜ୍ୟର ପ୍ରଥମ ମେରାଇନ୍ ଥାନା। ଥାନାକୁ ୧୬ ବର୍ଷ ପୂରିଲାଣି କିନ୍ତୁ ଏଯାଏଁ ଫୁଲ୍ ଫେଜରେ ଚାଲିପାରିଲାନି । ଅନୁମୋଦିତ ୬୬ଟି ପଦବୀ ମଧ୍ୟରୁ ୪୩ଟି ପୋଷ୍ଟ ଖାଲି।  ପାଟ୍ରୋଲିଂ ବେଳେ ୨୦ ଜଣିଆ ଟେକ୍ନିକାଲ୍ ଟିମ୍ ଆବଶ୍ୟକ ଥିବାବେଳେ ଅଛନ୍ତି ମାତ୍ର ଅଧା ଅର୍ଥାତ ୧୦ ଜଣ। ପାଟ୍ରୋଲିଂ ବୋଟକୁ ଭଗବାନ ଭରସା। ୧୫ ବର୍ଷ ପୂରୁଣା ୨ଟି ପାୱାର ବୋଟ୍ ମହାନଦୀ ମୁହାଣ ଡେଇଁବା ମୁସ୍କିଲ୍ ହୋଇପଡ଼ୁଛି। ଫିଟନେସ୍ ଅଛି କି ନାହିଁ ତାହା ବି ସନ୍ଦେହରେ। ବନ୍ଦର ମେରାଇନ୍ ଥାନା ଓ ଜଟାଧାର ମୁହାଣ ମେରାଇନ୍ ଥାନାର ସମଦଶା। ଏପଟେ କେନ୍ଦ୍ରାପଡ଼ାରେ ତିନିଟି ସାମୁଦ୍ରିକ ଥାନାରେ କର୍ମଚାରୀଙ୍କ ସଂଖ୍ୟା ଚାରି ଭାଗେରୁ ଭାଗେ। ଖଣ୍ଡେ ସ୍ପିଡ୍ ବୋଟ ବି ନାହିଁ । ଏଭଳି ସ୍ଥିତିରେ ସମୁଦ୍ରରେ କିଭଳି ପାଟ୍ରୋଲିଂ କରାଯାଉଥିବ ତାହା ନକହିବା ଭଲ।      

ଏପଟେ ବାଲେଶ୍ବର ଓ ଭଦ୍ରକ ଜିଲ୍ଲାରେ ପ୍ରାୟ ୧୫୦ କିଲୋମିଟର ଉପକୂଳ ଉପରେ ରହିଛି କଡ଼ା ନଜର। ବିଶେଷକରି ମାଛ ଧରିବାକୁ ଯାଉଥିବା ବୋଟରେ ବାଂଲାଦେଶୀମାନେ ପଶିଆସୁଥିବା କୁହାଯାଉଛି। ମାଛ ଧରିବା ବାହାନାରେ ଓଡ଼ିଶାକୁ ଆସି ପରିଚୟ ବଦଳାଇ ରହୁଛନ୍ତି । ସେମାନଙ୍କୁ କିଛି ଟ୍ରଲର୍ ସହାୟତା ଯୋଗାଇ ଦେଉଛନ୍ତି। ଅନୁପ୍ରବେଶକାରୀଙ୍କ ଉପରେ ରୋକ୍ ଲଗାଇବାକୁ ଦୁଇ ଜିଲ୍ଲାର ୫ଟି ମେରାଇନ୍ ଥାନା ମିଳିତ ଭାବେ କରୁଛନ୍ତି ପାଟ୍ରୋଲିଂ । ବୋଟ୍ ଗୁଡ଼ିକରେ କରାଯାଉଛି କଡ଼ାକଡ଼ି ଯାଞ୍ଚ । ତେବେ ଏଠି ବି କର୍ମଚାରୀ ଅଭାବ ବଡ଼ ଚ୍ୟାଲେଞ୍ଜ ପାଲଟିଛି। ୫ ମେରାଇନ ଥାନାରେ ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ କାମ ହେଉଛି। ସବୁଠୁ ସଂଗୀନ ଅବସ୍ଥା, ବାସୁଦେବପୁରର ଚୁଡାମଣି ସାମୁଦ୍ରିକ ଥାନା ଏବଂ କଶିଆ ସାମୁଦ୍ରିକ ଥାନାର । ଏଠି ସ୍ପିଡ୍ ବୋଟ୍ ଛାଡ଼ନ୍ତୁ, ସାଧାରଣ ଡଙ୍ଗାଟିଏ ବି ନାହିଁ । ୮୧ଟି ପଦବୀରୁ ମାତ୍ର ୯ ଜଣ ନିଯୁକ୍ତି ପାଇଛନ୍ତି । ଏଣୁ ଅନୁପ୍ରବେଶକାରୀଙ୍କ ଉପରେ ନଜର ରଖିବା ସମ୍ଭବ ହେଉନଥିବା ଜଣାପଡ଼ିଛି । 

ଅନୁପ୍ରବେଶକାରୀଙ୍କୁ ରୋକିବାରେ ମେରାଇନ୍ ପୋଲିସର ଭୂମିକା ଅତିଗୁରୁତ୍ବପୂର୍ଣ୍ଣ । ହେଲେ ରାଜ୍ୟର ମେରାଇନ୍ ଥାନାର ରୁଗୁଣ ଅବସ୍ଥା ବାଲାଂଦେଶୀ ମୁକ୍ତ ଅଭିଯାନରେ ସନ୍ଦେହ ହୋଇ ଠିଆ ହୋଇଛି। ପ୍ରଶ୍ନ ଉଠୁଛି- କର୍ମଚାରୀ ମରୁଡ଼ିରେ କିଭଳି ସମୁଦ୍ରରେ ହେବ ପାଟ୍ରୋଲିଂ ? ରାତିଦିନ କେମିତି ଅନୁପ୍ରବେଶକାରୀଙ୍କ ଉପରେ ରଖାଯିବ ନଜର ? ଅତ୍ୟାଧୁନିକ ଭିତ୍ତିଭୂମି ବିନା ବାଂଲାଦେଶୀଙ୍କ ଅନୁପ୍ରବେଶ ରୋକିବା କଣ ସମ୍ଭବ ହୋଇପାରିବ ?

Scroll to Top