N

n

ଦୁଃଖ କହିଲା ବେଳକୁ ଆଖି ଛଳଛଳ ହୋଇଯାଉଛି। ଗାଁରେ ଚଳି ପାରୁନାହାନ୍ତି, ପିଲାଏ ସ୍କୁଲ୍ କି ଅଙ୍ଗନବାଡ଼ି ଯାଇ ପାରୁନାହାନ୍ତି, ଦୋକାନ ବଜାର ହାଟ ସଉଦା ନିଆଁ ପାଣି ସବୁଥିରୁ ବାସନ୍ଦ  ପରିବାର।

author-image

ANDHA-BISWAS-KHATIA

ANDHA-BISWAS-KHATIA Photograph: (OTV)

ଦୁଃଖ କହିଲା ବେଳକୁ ଆଖି ଛଳଛଳ ହୋଇଯାଉଛି। ଗାଁରେ ଚଳି ପାରୁନାହାନ୍ତି, ପିଲାଏ ସ୍କୁଲ୍ କି ଅଙ୍ଗନବାଡ଼ି ଯାଇ ପାରୁନାହାନ୍ତି, ଦୋକାନ ବଜାର ହାଟ ସଉଦା ନିଆଁ ପାଣି ସବୁଥିରୁ ବାସନ୍ଦ  ପରିବାର। ଖାଲି ସେତିକି ନୁହେଁ, ଗାଁର ଅନ୍ୟ କେହି ଯଦି ଏ ପରିବାର ସହ କଥା ହୁଏ ତାହାଲେ ତାଙ୍କୁ ବି ୧୫ ହଜାର ଟଙ୍କା ଫାଇନ୍। ଇଏ ଆଜି କି କାଲିର କଥା ନୁହେଁ ଦୀର୍ଘ ୪ ମାସ ହେଲାଣି ଗତ ଜୁଲାଇ ୨୬ ତାରିଖରୁ ଏ ପରିବାର ଏଭଳି ଭୟଙ୍କର କଙ୍ଗାରୁ କୋର୍ଟର ଶିକାର ହୋଇ ବାସନ୍ଦ ଦଣ୍ଡ ଭୋଗୁଛନ୍ତି। 

ପୁରୀ ଜିଲ୍ଲା ଚନ୍ଦନପୁର ଥାନା ଅନ୍ତର୍ଗତ ଶିରୁଳି ମହାବୀର ଗାଁର ଘଟଣା।  ଗାଁର ଜଣଙ୍କ ଘରୁ ସୁନା ଅଳଙ୍କାର ଚୋରି ହେବା ଫଳରେ ଗାଁ ଲୋକେ ଗୁଣିଆ ଡକାଇ ଜୁଲାଇ ୨୬ତାରିଖରେ ଖଟିଆ ବୁଲାଇଲେ। ଅନ୍ଧବିଶ୍ବାସର ବସବର୍ତ୍ତୀ ହୋଇ ଗ୍ରାମର କିଛି ନ୍ୟସ୍ତସ୍ବାର୍ଥ ବ୍ୟକ୍ତି ଗୁଣିଆ କଥାରେ ଗାଁର ବିଷ୍ଣୁ ସାସମଲଙ୍କୁ ଦୋଷୀ କରିଦେଲେ। ଆଉ ମନେମନେ ୫ ଲକ୍ଷ ୬୦ ହଜାର୍ ଟଙ୍କା ଜରିମାନା ବି କଶିଲେ।

ଏବେ ପରିବାର ଲୋକେ ସମସ୍ତେ କାନ୍ଦୁଛନ୍ତି। ଛୁଆଙ୍କୁ ମାମୁ ଘରକୁ ପଠାଇଦେଇଛନ୍ତି। ନିଜେ ବଡ଼ କଷ୍ଟରେ ଚଳୁଛନ୍ତି। ଆଜିର ଆଧୁନିକ ଯୁଗରେ ପୁରୀ ଭଳି ଜିଲ୍ଲାରେ ଏଭଳି କଙ୍ଗାରୁ କୋର୍ଟର ଶିକାର ହୋଇ ଦୀର୍ଘ ୪ ମାସ ହେଲାଣି ପରିବାରର ୧୭ ଜଣ ସଦସ୍ୟ ଯେଉଁ ମାନସିକ ଯନ୍ତ୍ରଣା ଭୋଗୁଛନ୍ତି ତାକୁ ବୁଦ୍ଧିଜୀବୀ ମହଲରେ ଘୋର ନିନ୍ଦା କରାଯାଇଛି। ଯେଉଁ ମାନଙ୍କ ପ୍ରରୋଚନାରେ ଏଭଳି ଘୃଣ୍ୟକାର୍ଯ୍ୟ କରାଯାଇଛି ସେମାନଙ୍କୁ ଆଇନ ଅନୁଯାୟୀ ଦଣ୍ଡ ଦିଆଯାଉ ବୋଲି ପୁରୀ ଓକିଲ ସଂଘର ସମ୍ପାଦକ ଦାବି କରିଛନ୍ତି।

ସେପଟେ ଏ ସଂକ୍ରାନ୍ତରେ ଶାନ୍ତି କମିଟି ମାଧ୍ୟମରେ ଉଭୟ ପକ୍ଷଙ୍କୁ ଡକାଇ ଆପୋଷ ସମାଧାନ କରାଯିବ ବୋଲି କହିଛନ୍ତି ଉପଜିଲ୍ଲାପାଳ। ଯଦି ଗାଁଲୋକେ ଆଇନକୁ ନମାନ୍ତି ତେବେ ଦୃଢ଼ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ଉପଜିଲ୍ଲାପାଳ ସ୍ପଷ୍ଟ କରିଛନ୍ତି। 

Scroll to Top