ଛତିଶଗଡ଼ ଗରିଆବନ୍ଦ ଅପରେସନରେ ଲାଲ ବାହିନୀକୁ ଶକ୍ତ ଧକ୍କା। ଆଉ ଏପଟେ ମାଓ ଦମନ ଅଭିଯାନରେ ସୁରକ୍ଷା କର୍ମୀଙ୍କୁ ମସ୍ତବଡ଼ ସଫଳତା। ଛତିଶଗଡ଼, ଓଡ଼ିଶା ଓ ଆନ୍ଧ୍ର ପୋଲିସ ପାଇଁ ମୋଷ୍ଟ ୱାଣ୍ଟେଡ୍ ମାଓ ନେତା ମନୋଜ୍ ଓରଫ୍ ମୋଡେମ୍ ବାଲକ୍ରିଷ୍ଣା ସଫା। କେବଳ ବାଲକ୍ରିଷ୍ଣା ନୁହେଁ, ତାର ଘନିଷ୍ଠ ସହଯୋଗୀ ପ୍ରମୋଦ ଓରଫ ପାଣ୍ଡୁ ସମେତ ୧୦ ଜଣ କ୍ୟାଡର ମାଓବାଦୀଙ୍କୁ ବନ୍ଧୁକ ମୁନରେ ଉଡ଼ାଇ ଦେଇଛନ୍ତି ଛତିଶଗଡ଼ର ମିଳିତ ବାହିନୀ।
ନକ୍ସଲ ସେଣ୍ଟ୍ରାଲ କମିଟି ସଦସ୍ୟ ମୋଡେମ୍ ବାଲକ୍ରିଷ୍ଣା। ମୁଣ୍ଡରେ ଥିଲା ଦେଢ କୋଟି ଟଙ୍କାର ଇନାମ୍। ଓଡ଼ିଶା ଷ୍ଟେଟ୍ କମିଟି ମେମ୍ବର ପ୍ରମୋଦ ଓରଫ ପାଣ୍ଡୁ। ମୁଣ୍ଡ ପାଇଁ ଘୋଷଣା ହୋଇଥିଲା ୬୫ ଲକ୍ଷ। ମାଓ ସଂଗଠନର ଟେକନିକାଲ ଟିମ୍ ପ୍ରଭାରୀ ବିମଲ। ତା ମୁଣ୍ଡରେ ବି ଥିଲା ୧୮ ଲକ୍ଷ ଟଙ୍କାର ପୁରସ୍କାର। ଓଡ଼ିଶା, ଛତିଶଗଡ଼ ଆନ୍ଧ୍ର ପୋଲିସ ପାଇଁ ମୋଷ୍ଟ ୱାଣ୍ଟେଡ୍ ଥିବା ଏ ୩ ଜଣଙ୍କ ସହ ସଫା ହୋଇଛନ୍ତି ମୋଟ ୧୦ ହାର୍ଡକୋର ମାଓବାଦୀ।
ଗୁରୁବାର ସମୟ ପ୍ରାୟ ଦିନ ଗୋଟାଏ। ଗରିଆବନ୍ଦର ମୈନପୁର ଜଙ୍ଗଲରେ ମାଓ କ୍ୟାମ୍ପ୍ ସମ୍ପର୍କରେ ଠୋସ୍ ଗୁଇନ୍ଦା ସୂଚାନ ପାଇ ବୁଧବାରଠୁ ଅପରେସନରେ ବାହାରିଥିଲେ ଇ ଥାର୍ଟି, ଏସଟିଏଫ୍ ଏବଂ ସିଆରପିଏଫର କୋବ୍ରା ବାହିନୀ। ଘଞ୍ଚ ଜଙ୍ଗଲରେ ପ୍ରାୟ ୧୦ କିଲୋମିଟିର ରାସ୍ତା ଚାଲି ଚାଲି ଯିବା ପରେ ମାତାଲ ପାହାଡ ଉପରେ ମିଳିଥିଲା ମାଓ କ୍ୟାମ୍ପର ଠିକଣା।
ସେପଟେ ସୁରକ୍ଷାକର୍ମୀଙ୍କ ଉପସ୍ଥିତି ଜାଣି ପ୍ରଥମେ ଅନ୍ଧାଧୂନ ଗୁଳି ଚଳାଇଥିଲେ ମାଓବାଦୀ। ହେଲେ ପୂର୍ବ ପ୍ରସ୍ତୁତିରେ ଥିବାରୁ ପାଲଟା ଆକ୍ରମଣରେ କଡ଼ା ଯବାବ ଦେଇଥିଲା ମିଳିତ ବାହିନୀ। ଯେଉଁଥିରେ ଟଳି ପଡ଼ିଥିଲେ ଜଣକ ପରେ ଜଣେ ଟପ୍ ମାଓନେତା। (ଜିତେନ୍ଦ୍ର ବେଉରା, ବ୍ରିଜ୍ ପିଟିସି) ଅପରେସନରେ ନକ୍ସଲ ସଂଗଠନର ସେଣ୍ଟ୍ରାଲ କମିଟି ସଦସ୍ୟ ମୋଡେମ୍ ବାଲକ୍ରିଷ୍ଣା, ପାଣ୍ଡୁ, ବିମଲ, ବିକ୍ରମ ଓ ଉମେଶ ଭଳି ୧୦ ହାର୍ଡକୋର ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ସ୍ପଷ୍ଟ କରିଛି ଛତିଶଗଡ଼ ପୋଲିସ। କ୍ୟାମ୍ପରୁ ଜବତ ହୋଇଛି ଇନସାସ, ଏକେ ୪୭, ଏସଏଲଆର ଓ ପିସ୍ତଲ ସମେତ ବହୁ ପରିମାଣର ବନ୍ଧୁକ ଓ ଗୁଳି।
Also Read
ଗରିଆବନ୍ଦର ଏ ଅପରେସନ୍ କେବଳ ଛତିଶଗଡ଼ ପୋଲିସ ପାଇଁ ନୁହେଁ, ବରଂ ଓଡ଼ିଶା ଓ ଆନ୍ଧ୍ର ପୋଲିସ ପାଇଁ ଆଣିଛି ବଡ଼ ଆଶ୍ବସନା। ଏ ତିନି ରାଜ୍ୟ ପାଇଁ ମୋଷ୍ଟ ୱାଣ୍ଟେଡ୍ ଥିବା ବାଲକ୍ରିଷ୍ଣା ଲାଗି ଛତିଶଗଡ଼ ପୋଲିସ ଘୋଷଣା କରିଥିଲା କୋଟିଏ ଟଙ୍କାର ପୁରସ୍କାର। ସେହିଭଳି ଆନ୍ଧ୍ର ପ୍ରଦେଶ ଓ ଓଡ଼ିଶା ସରକାର ବି ୨୫ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ରଖିଥିଲେ।
ବାଲକ୍ରିଷ୍ଣା ଆଜିକୁ ୩ ଦଶନ୍ଧି ଧରି ମାଓ ସଂଗଠନରେ ସକ୍ରିୟ ରହି ଏ ୩ ରାଜ୍ୟରେ ବଡ଼ ବଡ଼ ଅପରେସନକୁ ସଫଳ କରାଉଥିଲା। ଓଡ଼ିଶାର KKBN ସଂଗଠନକୁ ନେତୃତ୍ବ ଦେଉଥିବା ବାଲକ୍ରିଷ୍ଣା ଓଡ଼ିଶା ଷ୍ଟେଟ୍ କମିଟିର କମାଣ୍ଡର ଭାବେ ମଧ୍ୟ କାମ କରୁଥିଲା। ସବୁବେଳେ ପୋଲିସ ଓ ସିଆରପିଏଫକୁ ଚକମା ଦେଇ ଖସିଯିବାରେ ଧୂରନ୍ଦର ଥିଲା ବାଲକ୍ରିଷ୍ଣା।
ଓଡ଼ିଶାରେ ଚାଲିଥିବା ନକ୍ସଲ କାର୍ଯ୍ୟକଳାପ ପଛରେ ରହୁଥିଲା ବାଲକ୍ରୀଷ୍ଣାର ଇସାରା। ସେହିଭଳି ଓଡ଼ିଶା ଷ୍ଟେଟ୍ କମିଟି ମେମ୍ବର ପ୍ରମୋଦ ଓରଫ୍ ପାଣ୍ଡୁର ନିହତ ଖବର ବି ଓଡ଼ିଶା ପାଇଁ ବେଶ୍ ଗୁରୁତ୍ବପୂର୍ଣ୍ଣ। ଏପଟେ କିଛି ମାସ ତଳେ ମାଓନେତା ଚଲପତିର ମୃତ୍ୟୁ ପରେ ଏବେ ବାଲକ୍ରିଷ୍ଣାର ଅନୁପସ୍ଥିତି ଆଗକୁ ମାଓ ସଂଗଠନକୁ ଦୁର୍ବଳ କରିବ ବୋଲି ଅନୁମାନ କରିଛନ୍ତି ବିଶେଷଜ୍ଞ।
ଗରିଆବନ୍ଦରେ ଏନକାଉଣ୍ଟର ପରେ ଗ୍ରାଉଣ୍ଡରେ ବ୍ୟାପକ ସର୍ଚ୍ଚ ଅପରେସନ୍ ପରେ ଆଜି ଗରିଆବନ୍ଦ ଫେରିଛନ୍ତି ଅପରେସନରେ ସାମିଲ ଥିବା ପ୍ରାୟ ୨ଶହ ଯବାନ। ସେପଟେ ମୃତ ୧୦ ମାଓବାଦୀଙ୍କ ମରଶରୀରକୁ ମୈନପୁର ଜଙ୍ଗଲରୁ ବାୟୁସେନାର ହେଲିକପଟରେ ଏନକାଉଣ୍ଟର ସ୍ଥଳରୁ ଗରିଆବନ୍ଦ ଅଣାଯାଇଛି।




