ବଳଙ୍ଗା ଏପିସୋଡ୍, ବରଗଡ଼ରେ ରିପିଟ୍ । ଅତି ରହସ୍ୟଜନକ ଭାବେ ବରଗଡ଼ ଫିରିଙ୍ଗିମାଲରେ ଜଳିପୋଡ଼ି ଜୀବନ ହରାଇଛି ନାବାଳିକାଟିଏ । କିଏ କହୁଛନ୍ତି, ନିଜର ଜଣେ ଝିଅ ସାଙ୍ଗର ଟାହିଟାପରା ସହିନପାରି ନିଜ ଦେହରେ ପେଟ୍ରୋଲ ଢାଳି ଆତ୍ମହତ୍ୟା କରିଛି ତ ଆଉ କିଏ ପୁଣି କହିଲେଣି ପାରିବାରିକ ବିବାଦରୁ ଚରମ ପରିଣତି । ସବୁଠୁ ବଡ଼ କଥା ହେଉଛି, ମାମୁ ଘରେ ଘଟିଛି ଏହି ଅଘଟଣ । ଉତ୍ତରାଞ୍ଚଳ ଆଇଜି ବି କହିଛନ୍ତି, ପାରିବାରିକ ବିବାଦ କଥା ।
ନାବାଳିକା ପୋଡ଼ିର ପୁଣି ଏକ ଛାତିଥରା କାହାଣୀ…ସର୍ବଗିଳା ନିଆଁରେ ଝିଅଟିଏ ଜୀବନ୍ତ ଜଳିଯିବାର ଆଉ ଏକ ଲୋମଟାଙ୍କୁରା ଦୃଶ୍ୟ…ଯାହାର ଚିତ୍ର ଏତେ ବୀଭତ୍ସ ଯେ, ନା ଦେଖାଇ ହେବ ନା ବର୍ଣ୍ଣନା କରିହେବ। ବରଗଡ଼ ଜିଲ୍ଲା ଗାଇସିଲଟ୍ ଥାନା ଫିରିଙ୍ଗିମାଲ ଗାଁ ପଡ଼ିଆରେ ଅଷ୍ଟମ ପଢ଼ୁଆ ଛାତ୍ରୀର ଯେଭଳି ମରଣ ହୋଇଛି, ସବୁଠି ଉଦବେଗ, ସବୁଠି ଚିନ୍ତା।
ସମୟ ସକାଳ ପ୍ରାୟ ୭ଟା। ସଂପର୍କୀୟଙ୍କ କହିବା କଥା, ଫିରିଙ୍ଗିମାଲ ସ୍ଥିତ ମାମୁଙ୍କ ଘରେ ରହୁଥିବା ଏହି ଝିଅଟି ସକାଳୁ ସକାଳୁ ଶୌଚ ପାଇଁ ଯାଇଥିଲା। କିନ୍ତୁ ହଠାତ କ’ଣ ହେଲା କେଜାଣି ନିଆଁରେ ଜଳିଗଲା ହୁତୁହୁତ ହୋଇ। ପାଖରେ ପଡ଼ିଥିଲା ପେଟ୍ରୋଲ୍ ଆଣିଥିବା ଏକ ପ୍ଲାଷ୍ଟିକ୍ ବୋତଲ୍ ଏବଂ ଦିଆସିଲି। ସେହି ପାଖରେ ହିଁ ନିଆଁ ଆଉ ଧୂଆଁରେ ଜଳିଯାଉଥିଲା ଝିଅଟି। ଏହାଦେଖି ଦୌଡ଼ି ଆସି ଗଛ ଡାଳରେ ନିଆଁକୁ ଲିଭାଇଥିଲେ ନାବାଳିକାଟିର ସମ୍ପର୍କୀୟ। ସେତେବେଳକୁ ଶରୀରର ସର୍ବାଧିକ ଅଙ୍ଗ ଜଳିଯାଇଥିଲା। ଅବସ୍ଥା ବି ସଙ୍କଟାପନ୍ନ ହୋଇପଡ଼ିଥିଲା। ତାହାରି ଭିତରେ ଦାୟିତ୍ବ ସମ୍ପନ୍ନ ଗଣମାଧ୍ୟମ ଭାବେ ଓଟିଭି ପକ୍ଷରୁ ଘଟଣାସ୍ଥଳକୁ ତୁରନ୍ତ ଆମ୍ବୁଲାନସ ପାଇଁ LIVEରେ ନିବେଦନ କରାଯାଇଥିଲା। କିଛି ସମୟ ପରେ ଆମ୍ବୁଲାନ୍ସରେ ଗୁରୁତର ନାବାଳିକାକୁ ପ୍ରଥମେ ବରଗଡ଼ ଓ ପରେ ବୁର୍ଲା ବଡ଼ ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା। କିନ୍ତୁ ଦୁର୍ଭାଗ୍ୟ, ଶରୀର ଶତ ପ୍ରତିଶତ ପୋଡ଼ିଯାଇଥିବାରୁ ମେଡ଼ିକାଲରେ ହିଁ ପୀଡ଼ିତାଙ୍କ ଜୀବନ ଚାଲିଯାଇଥିବା ସୂଚନା ମିଳିଛି।
ମିଳିଥିବା ସୂଚନା ଅନୁଯାୟୀ, ମୃତ ନାବାଳିକା ଥିଲା ୧୩ ବର୍ଷ ବୟସର। ସାପଲହର କନ୍ୟାଶ୍ରମରେ ଗତ ଏପ୍ରିଲ୍ ୧୬ରେ ଆଡ଼ମିଶନ କରି ପାଠପଢ଼ୁଥିଲା ଗାନ୍ଧୀସ୍ମତି ଏମଇ ସ୍କୁଲରେ। ଆଶ୍ରମରେ ରହିଛି ମାତ୍ର ୨୦ ଦିନ। ଖରାଛୁଟି ହେବାରୁ ଫିରିଙ୍ଗିମାଲ ମାମୁ ଘରକୁ ଆସିଥିଲା ଝିଅଟି। ଆଉ ସ୍କୁଲ ଖୋଲିବା ପରେ ଦିନକ ପାଇଁ ଜୁଲାଇ ୪ରେ ଆସି ଦେହ ଭଲ ଲାଗୁନଥିବା କହିବାରୁ ତାକୁ ପଦମପୁର ହସ୍ପିଟାଲରେ ଚିକିତ୍ସା ବି କରାଯାଇଥିଲା। ତା’ପରଠୁ ମାମୁ ଘରେ ରହିଆସୁଥିଲା ଝିଅଟି। କାରଣ ତାମିଲନାଡୁରେ ବାପା ଦାଦନ ଶ୍ରମିକ। ତେଣୁ ମା’ସହ ମାମୁଁ ଘରେ ରହିଆସୁଥିବାବେଳେ ଆଜି ସକାଳେ ଘଟିଛି ଏଭଳି ଅଘଟଣ। ଆଉ ମୃତ୍ୟୁ ପୂର୍ବରୁ ଅସ୍ପଷ୍ଟ ଭାବେ ଜଣେ ଝିଅର ନାଁ କହୁଥିଲେ ପୀଡ଼ିତା। ଯାହାର ଭିଡ଼ିଓ ଲାଗିଛି ଓଟିଭି ହାତରେ।
Also Read
ତେବେ କାହିଁକି ହଠାତ ଘଟିଲା ଘଟଣା ? ନିଜେ ନିଜକୁ ଜାଳିଦେଲେ ନା ତାକୁ କିଏ ଜାଳିଦେଲା ? ପ୍ଳାଷ୍ଟିକ ବୋତଲରେ କେଉଁଠୁ ଆସିଲା ପେଟ୍ରୋଲ ? କିଏ ସେହି ଝିଅ, ଯାହାଙ୍କ ନାଁ ନେଉଥିଲା ନାବାଳିକା ? ଏବେ ଏଭଳି ନାନା ପ୍ରଶ୍ନ ଭିତରେ ବଡ଼ ଖୁଲାସା କରିଛନ୍ତି ଉତ୍ତରାଞ୍ଚଳ IG ହିମାଂଶୁ ଲାଲ୍। ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ପରିବାର ଲୋକଙ୍କ ବୟାନ ରେକର୍ଡ କରିବା ସହ IG ସୂଚନା ଦେଇ କହିଛନ୍ତି, ପାରିବାରିକ କଳହରୁ ଏଭଳି ଘଟଣା ଘଟିଛି। ଅପରପକ୍ଷେ ଏହି ଘଟଣାରେ ସଂପର୍କୀୟ ଅଜା ଓ ପେଟ୍ରୋଲ୍ ବିକୁଥିବା ଜଣେ ତେଜରାତି ଦୋକାନୀଙ୍କୁ ଧରି ଖୋଳତାଡ଼ ଚଳାଇଛି ପୋଲିସ। ପୀଡ଼ିତାଙ୍କ ମାମୁ ଝିଅକୁ ପଚରାଉଚରା ବେଳେ ସେ ଚେତା ହରାଇଥିବା ସଂପର୍କୀୟ ବି କହିଛନ୍ତି।




