ଆଜି ପବିତ୍ର ମହାଳୟା ଅବସରରେ ଶ୍ରୀମନ୍ଦିର ଉତ୍ତର ଦ୍ୱାର, ମହୋଦଧି, ବିଭିନ୍ନ ତୀର୍ଥ ପୁଷ୍କରିଣୀରେ ପିଣ୍ଡଦାନ କରାଯାଉଛି। ଭକ୍ତ ସମାଗମକୁ ଦୃଷ୍ଟିରେ ରଖି ବ୍ୟାପକ ବ୍ୟବସ୍ଥା କରାଯାଇଛି।
Credit: OTV
ମହାଳୟା
ଆଜି ପବିତ୍ର ମହାଳୟା । ଏହି ଅବସରରେ ଶ୍ରୀମନ୍ଦିର ଉତ୍ତର ଦ୍ୱାର, ମହୋଦଧି ସହ ବିଭିନ୍ନ ତୀର୍ଥ ପୁଷ୍କରିଣୀରେ ପିଣ୍ଡଦାନ କରିଛନ୍ତି ହଜାର ହଜାର ଶ୍ରଦ୍ଧାଳୁ । ଆଜି ପିତୃପକ୍ଷର ଅନ୍ତିମ ଦିବସ ହୋଇଥିବାରୁ ପିତୃ ଓ ମାତୃ ଘରର ୩ ପୁରୁଷଙ୍କୁ ତିଳତର୍ପଣ କରିବା ସହ ଆତ୍ମାର ସଦଗତି କାମନା କରିଛନ୍ତି ଶ୍ରଦ୍ଧାଳୁ।
ବିଶ୍ୱାସ ରହିଛି ପିତୃପକ୍ଷ ଅବସରରେ ପୂର୍ବ ପୁରୁଷମାନେ ଧରାବତରଣ କରୁଥିବାରୁ ଏହି ସମୟରେ ଶ୍ରାଦ୍ଧ ଓ ପିଣ୍ଡଦାନ କରାଯାଇଥାଏ। ଏହି ୧୫ ଦିନ ତିଥି ଅନୁଯାୟୀ ପିତା ଓ ମାତାଙ୍କର ତିନି ପୁରୁଷଙ୍କ ସ୍ମରଣ କରାଯାଇଥାଏ। ତେବେ ମହାଳୟା ଅମାବାସ୍ୟା ଏହାର ଅନ୍ତିମ ତିଥି ହୋଇଥିବାରୁ ଏହି ଦିନ ପିଣ୍ଡଦାନ କଲେ ପୂର୍ବ ପୁରୁଷଙ୍କର ଆତ୍ମା ଶାନ୍ତି ଓ ମୋକ୍ଷ ପ୍ରାପ୍ତି ହୋଇଥାଏ।
ତେଣୁ ଆଜି ବହୁସଂଖ୍ୟାରେ ଭକ୍ତ ଓ ଶ୍ରଦ୍ଧାଳୁ ଶ୍ରୀକ୍ଷେତ୍ରରେ ଏହି ପିଣ୍ତଦାନ କରିଥିବା ବେଳେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରିବା ସହ ମହାପ୍ରସାଦ ସେବନ କରି ନିଜକୁ ଧନ୍ୟ ମନେ କରିଛନ୍ତି। ତେବେ ଭକ୍ତଙ୍କ ପ୍ରବଳ ସମାଗମକୁ ଦୃଷ୍ଟିରେ ରଖି ଜିଲ୍ଲା, ପୋଲିସ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି।





