LPG ସଙ୍କଟକୁ ନେଇ ସରକାରଙ୍କ ବଡ଼ ବିବୃତ୍ତି, ବିକଳ୍ପ ବ୍ୟବସ୍ଥା ଆପଣାଇବାକୁ ଅପିଲ୍

lpg-ସଙ୍କଟକୁ-ନେଇ-ସରକାରଙ୍କ-ବଡ଼-ବିବୃତ୍ତି,-ବିକଳ୍ପ-ବ୍ୟବସ୍ଥା-ଆପଣାଇବାକୁ-ଅପିଲ୍

ନୂଆଦିଲ୍ଲୀ: ଇସ୍ରାଏଲ- ଇରାନ ଯୁଦ୍ଧକୁ ବିତିଲାଣି ୨୦ ଦିନ । ଯୁଦ୍ଧ ଯୋଗୁ ହୋର୍ମୁଜ ପ୍ରଣାଳୀକୁ ଇରାନ ବନ୍ଦ କରିଥିବାରୁ ବିଶ୍ବର ଅନେକ ଦେଶ ପାଇଁ ସମସ୍ୟା ସୃଷ୍ଟି ହୋଇଛି। ଏପର୍ଯ୍ୟନ୍ତ କେବଳ ୯ଟି ଅଶୋଧିତ ତେଲ ଏବଂ ଗ୍ୟାସର ଜାହାଜ ଅତିକ୍ରମ କରିପାରିଛି। ଏମିତିରେ ଭାରତରେ ମଧ୍ୟ ଏଲପିଜି ଗ୍ୟାସର ଅଭାବ ପରିଲକ୍ଷିତ ହୋଇଛି। ଏହାରି ମଧ୍ୟରେ ପେଟ୍ରୋଲିୟମ ମନ୍ତ୍ରଣାଳୟ ଯୁଗ୍ମ ସଚିବ ସୁଜାତା ଶର୍ମା ଏକ ବିବୃତ୍ତିରେ ଏଲପିଜି ସ୍ଥିତିକୁ ନେଇ ବିବୃତ୍ତି ରଖିଛନ୍ତି। ସେ କହିଛନ୍ତି ଦେଶରେ ଏଲପିଜି ସ୍ଥିତି ଏବେବି ଗୁରୁତର ରହିଛି। ତଥାପି ସରକାର ଯୋଗାଣ ନିରବଚ୍ଛିନ୍ନ କରିବାକୁ ଚେଷ୍ଟା କରୁଛନ୍ତି।

ଘରୋଇ ଯୋଗାଣକୁ ଗୁରୁତ୍ବ

ସରକାର କହିଛନ୍ତି ଘରୋଇ ଉପଭୋକ୍ତାଙ୍କ ସୁବିଧା ପାଇଁ ସରକାର ସମସ୍ତ ପ୍ରକାର ପଦକ୍ଷେପ ନେଉଛନ୍ତି। ଏଥିପାଇଁ ଘରୋଇ ଉପଭୋକ୍ତାଙ୍କ ପାଖରେ ୧୦୦% ଏଲପିଜି ପହଞ୍ଚାଯାଉଛି। ଅବଶ୍ୟ ସ୍ଥିତି ଏବେବି ଚିନ୍ତାଜନକ ରହିଛି। ପାନିକ୍ ବୁକିଂରେ ହ୍ରାସ ପାଇଛି। କିନ୍ତୁ ଲୋକଙ୍କୁ ଅପିଲ୍ କରାଯାଇଛି ଗୁଜବ ଉପରେ ଧ୍ୟାନ ନଦିଅନ୍ତୁ ଆଉ ଆବଶ୍ୟକତା ହିସାବରେ ହିଁ ଗ୍ୟାସ ବୁକ କରନ୍ତୁ।

ସରକାରଙ୍କ ଅପିଲ

ସରକାର ସ୍ପଷ୍ଟ କରିଛନ୍ତି ଯେ, ଏଲପିଜି ସ୍ଥିତି ଏବେବି ଚିନ୍ତାଜନକ ରହିଛି। ଯୋଗାଣ ନିରବଚ୍ଛିନ୍ନ ରଖିବା ପାଇଁ ଚେଷ୍ଟା ଜାରି ରହିଛି। କିନ୍ତୁ ସାଧାରଣ ଲୋକଙ୍କୁ ଅନୁରୋଧ ସେମାନେ ବିକଳ୍ପ ଇନ୍ଧନ ଉପରେ ମଧ୍ୟ ବିଚାର କରନ୍ତୁ ଏବଂ ଭୟଭୀତ ହୋଇ ନକିଣନ୍ତୁ।

କଳାବଜାର ଉପରେ କଡ଼ା ଆଭିମୁଖ୍ୟ

ସରକାର କଳାବଜାର ଏବଂ ମହଜୁଦକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛନ୍ତି। ସୂଚନା ଅନୁସାରେ, ଅନେକ ରାଜ୍ୟରେ ୪୫୦୦ରୁ ଅଧିକ ରେଡ୍ କରାଯାଇଛି। ଏହାର ଉଦ୍ଦେଶ୍ୟ ଏହା ସୁନିଶ୍ଚିତ କରିବା ଯେ, ଏଲପିଜିର ଯୋଗାଣ ଉଚିତ ଢଙ୍ଗରେ ସାଧାରଣ ଲୋକଙ୍କ ପାଖରେ ପହଞ୍ଚିପାରିବ।

ଘରୋଇ ଉତ୍ପାଦନରେ ବୃଦ୍ଧି

ସରକାର ଏଲପିଜି ଉତ୍ପାଦନ ବଢ଼ାଇବା ଉପରେ ଜୋର ଦେଇଛନ୍ତି। ବର୍ତ୍ତମାନ ଘରୋଇ ଉତ୍ପାଦନ ପ୍ରାୟ ୪୦% ପର୍ଯ୍ୟନ୍ତ ପହଞ୍ଚିଛି। ଯାହାଦ୍ବାରା ଆମଦାନୀ ଉପରେ ନିର୍ଭରତା କିଛି ମାତ୍ରାରେ କମାଇବାକୁ ଚେଷ୍ଟା ଜାରି ରହିଛି।

ଗଲ୍ଫରେ ଭାରତୀୟ ସୁରକ୍ଷିତ, କିନ୍ତୁ ସ୍ଥିତି ଉତ୍ତେଜନାପୂର୍ଣ୍ଣ

ଏହାରି ମଧ୍ୟରେ ରାକେଶ ସିହ୍ନା କହିଛନ୍ତି ଉପସାଗରୀୟ ଦେଶରେ ଭାରତର ୨୨ ଜାହାଜ ଏବଂ ନାବିକ ସୁରକ୍ଷିତ ଅଛନ୍ତି। କିନ୍ତୁ ସେମାନେ ବର୍ତ୍ତମାନ ସେଠାରେ ସ୍ଥିର ଅଛନ୍ତି। ବିଦେଶ ମନ୍ତ୍ରଣାଳୟ ଅନୁସାରେ, ରଣଧୀର ଜୟସ୍ବାଲ କହିଛନ୍ତି ପ୍ରଧାନମନ୍ତ୍ରୀ ଓମାନ, କତର ସହ ଅନେକ ଉପସାଗରୀୟ ଦେଶ ଏବଂ ଇମାନୁଏଲ ମାକ୍ରନଙ୍କ ଭଳି ବିଶ୍ବ ନେତାଙ୍କ ସହ କଥା ହୋଇଛନ୍ତି ଏବଂ କୂଟନୈତିକ ସମାଧାନ ଉପରେ ଜୋର ଦେଇଛନ୍ତି।

ଭାରତୀୟଙ୍କ ମୃତ୍ୟୁ ନେଇ ଚିନ୍ତା

ଅତିରିକ୍ତ ସଚିବ ଅସୀମ ମହାଜନ କହିଛନ୍ତି ରିୟାଦ ମାର୍ଚ୍ଚ ୧୮ରେ ହୋଇଥିବା ଆକ୍ରମଣରେ ଜଣେ ଭାରତୀୟ ନାଗରିକଙ୍କ ମୃତ୍ୟୁ ହୋଇଛି। ଏପର୍ଯ୍ୟନ୍ତ ଏହି ଯୁଦ୍ଧ ଯୋଗୁ ୬ ଭାରତୀୟଙ୍କ ଜୀବନ ଯାଇଛି।

Scroll to Top