Lipulekh: ଭାରତ ପାଇଁ କାହିଁକି ଗୁରୁତ୍ୱପୂର୍ଣ୍ଣ ଲିପୁଲେଖ ପାସ୍ ? ନେପାଳର ଭିତ୍ତିହୀନ ଦାବି ପଛରେ ଚୀନର ହାତ ଥିବା ସନ୍ଦେହ

lipulekh:-ଭାରତ-ପାଇଁ-କାହିଁକି-ଗୁରୁତ୍ୱପୂର୍ଣ୍ଣ-ଲିପୁଲେଖ-ପାସ୍-?-ନେପାଳର-ଭିତ୍ତିହୀନ-ଦାବି-ପଛରେ-ଚୀନର-ହାତ-ଥିବା-ସନ୍ଦେହ

ଲିପୁଲେଖ ପାସ ଉପରେ ନେପାଳର ଦାବିକୁ ସମ୍ପୂର୍ଣ୍ଣ ରୂପେ ଖାରଜ କରିଦେଇଛି ଭାରତ । ନେପାଳର ଦାବି ଗୁଡ଼ିକ ଐତିହାସିକ ତଥ୍ୟ ଉପରେ ଆଧାରିତ ନୁହେଁ କିମ୍ବା ପ୍ରମାଣ ଉପରେ ନିର୍ଭର କରେ ନାହିଁ ବୋଲି ଭାରତ ପକ୍ଷରୁ କୁହାଯାଇଛି । ଭାରତ ଏବଂ ଚୀନ୍ ଉତ୍ତରାଖଣ୍ଡର ଲିପୁଲେଖ ପାସ, ହିମାଚଳ ପ୍ରଦେଶର ସିପକି ଲା ଏବଂ ସିକିମର ନାଥୁଲା ଘାଟି ଦେଇ ସୀମା ବାଣିଜ୍ୟ ପୁନଃ ଆରମ୍ଭ କରିବାକୁ ନିଷ୍ପତ୍ତି ନେବାପରେ ପୁରୁଣା ବିବାଦକୁ ନେଇ ପୁଣି ବୟାନବାଜି ଆରମ୍ଭ ହୋଇଛି ।

ଭାରତ ପାଇଁ ରଣନୈତିକ, ଧାର୍ମିକ ଏବଂ ଆର୍ଥିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ଲିପୁଲେଖ ପାସ । ଏବେ ଏହି ଅଞ୍ଚଳ ଉପରେ ନେପାଳର ଦାବି ବାହ୍ୟ ପ୍ରଭାବ ଦ୍ୱାରା ପ୍ରଭାବିତ ହେଉଥିବା ପରି ମନେହୁଏ। ଏଥିରେ ଚୀନର ଭୂମିକା ବିବାଦକୁ ତ୍ରିପାକ୍ଷିକ କରୁଛି । କିନ୍ତୁ ସାମ୍ପ୍ରତିକ ଭାରତ-ଚୀନ୍ ବାଣିଜ୍ୟ ଚୁକ୍ତିନାମା ଦ୍ୱାରା ଭାରତର ସ୍ଥିତି ମଜବୁତ ରହିଛି ।

ଲିପୁଲେଖ ପାସ୍ . . .  ଉତ୍ତରାଖଣ୍ଡର ପିଥୋରାଗଡ଼ ଜିଲ୍ଲାର ଉଚ୍ଚ ପର୍ବତମାଳା ସ୍ଥିତ ଏକ ଘାଟି। ଭାରତ, ଚୀନ୍ ଏବଂ ନେପାଳ ତିନୋଟି ଦେଶର ସୀମା ଏଠାରେ ମିଶିଥିବାରୁ, ଏହାକୁ ତ୍ରିକୋଣୀୟ ଜଙ୍କସନ କୁହାଯାଏ। ଭାରତୀୟ ସୀମାରେ ନେପାଳ ସଂଲଗ୍ନ ଅଞ୍ଚଳ ହେଉଛି ଲିପୁଲେଖ ପାସ । ଏଥିପାଇଁ ନେପାଳ ଏହାକୁ ଦୀର୍ଘ ସମୟ ଧରି ନିଜର ବୋଲି ଦାବି କରିଆସୁଛି । କେବଳ ଏତିକି ନୁହେଁ, ସୀମା ସଂଲଗ୍ନ ଭାରତର ମୋଟ ୩୭୨ ବର୍ଗ କିଲୋମିଟର ଅଞ୍ଚଳକୁ ନେପାଳ ନିଜର କହୁଛି । ପ୍ରାଚୀନ କାଳରୁ ବିଶେଷକରି କୈଳାସ ମାନସରୋବର ଯାତ୍ରା ଓ ଭାରତ ଏବଂ ତିବ୍ଦତ ମଧ୍ୟରେ ବ୍ୟବସାୟୀ, ତୀର୍ଥଯାତ୍ରୀ ଏବଂ ସାଧୁମାନଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଲିପୁଲେଖ ପାସ୍ । ଏହା ରଣନୈତିକ, ଧାର୍ମିକ ଏବଂ ଆର୍ଥିକ ଦୃଷ୍ଟିକୋଣରୁ ଭାରତ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ। ଲିପୁଲେଖ ପାସକୁ ନେଇ ଏବେ ପୁଣି ଥରେ ବିବାଦ ଆରମ୍ଭ ହୋଇଛି ।

Also Read

ହେଲେ ଲିପୁଲେଖ ପାସ ଉପରେ ନେପାଳର ଦାବିକୁ ସମ୍ପୂର୍ଣ୍ଣ ରୂପେ ଖାରଜ କରିଦେଇଛି ଭାରତ । ନେପାଳର ଦାବି ଗୁଡ଼ିକ ଐତିହାସିକ ତଥ୍ୟ ଉପରେ ଆଧାରିତ ନୁହେଁ କିମ୍ବା ପ୍ରମାଣ ଉପରେ ନିର୍ଭର କରେ ନାହିଁ ବୋଲି ଭାରତ ପକ୍ଷରୁ କୁହାଯାଇଛି । ଭାରତ ଏବଂ ଚୀନ୍ ଉତ୍ତରାଖଣ୍ଡର ଲିପୁଲେଖ ପାସ, ହିମାଚଳ ପ୍ରଦେଶର ସିପକି ଲା ଏବଂ ସିକିମର ନାଥୁଲା ଘାଟି ଦେଇ ସୀମା ବାଣିଜ୍ୟ ପୁନଃ ଆରମ୍ଭ କରିବାକୁ ନିଷ୍ପତ୍ତି ନେବାପରେ ପୁରୁଣା ବିବାଦକୁ ନେଇ ପୁଣି ବୟାନବାଜି ଆରମ୍ଭ ହୋଇଛି । ଉଭୟ ଦେଶର ବାଣିଜ୍ୟିକ ବୁଝାମଣା ପଦକ୍ଷେପକୁ ବିରୋଧ କରିଛି ନେପାଳ । ଲିପୁଲେଖ, କଳାପାଣି ଏବଂ ଲିମ୍ପିଆଧୁରା ଆମ ଦେଶର ଅବିଚ୍ଛେଦ୍ୟ, ଏବଂ ଏହା ସମ୍ବିଧାନରେ ସାମିଲ ମାନଚିତ୍ରରେ ପୂର୍ବରୁ ଦର୍ଶାଯାଇଥିବା ଯୁକ୍ତି ବାଢ଼ିଛି ନେପାଳ ।

କେଉଁଠି ରହିଛି ଲିପୁଲେଖ ପାସ୍ ?

ଉତ୍ତରାଖଣ୍ଡ ଏବଂ ଚୀନର ତିବ୍ଦତ ସ୍ୱାୟତ୍ତ ଅଞ୍ଚଳର ସୀମାରେ ଥିବା ହିମାଳୟର ଏକ ଗୁରୁତ୍ୱପୂର୍ଣ୍ଣ ଘାଟି ହେଉଛି ଲିପୁଲେଖ ପାସ୍‌, ଯାହା ଭାରତ, ନେପାଳ ଏବଂ ଚୀନର ତ୍ରିକୋଣୀୟ ଜଙ୍କସନ୍ ନିକଟରେ ଅବସ୍ଥିତ। ଏହି ଘାଟି ଉତ୍ତରାଖଣ୍ଡର ପିଥୋରାଗଡ଼ ଜିଲ୍ଲାକୁ ତିବ୍ଦତର ପୁରଙ୍ଗ (ତକଲାକୋଟ) ସହର ସହିତ ସଂଯୋଗ କରେ। ପ୍ରାଚୀନ କାଳରୁ ବ୍ୟବସାୟୀ, ତୀର୍ଥଯାତ୍ରୀ ଏବଂ ସାଧୁମାନେ କୈଳାସ ମାନସରୋବର ଯାତ୍ରା ପାଇଁ ଏହି ଘାଟିକୁ ବ୍ୟବହାର କରିଆସୁଛନ୍ତି।

ଭାରତ ଯୁକ୍ତି କରୁଛି,ଏହି ଅଞ୍ଚଳ ୧୮୩୦ ଦଶକରୁ ପ୍ରଶାସନିକ ଭାବରେ ଭାରତ ଅଧୀନରେ ରହିଛି। କାରଣ ୧୯୫୪ ମସିହାରୁ ଏହି ରାସ୍ତା ଦେଇ ଭାରତ ଏବଂ ଚୀନ୍ ମଧ୍ୟରେ ବାଣିଜ୍ୟ ହୋଇଆସୁଛି । ସେତେବେଳେ ଏହି ପାସକୁ ନେଇ ନେପାଳ କୌଣସି ଆପତ୍ତି ଉଠାଉନଥିବା ବେଳେ ଏବେ ନିଜର ଅଂଶ ବୋଲି ଦାବି କରିବା ପଛରେ ରାଜନୈତିକ ଚାଲ ଲୁଚି ରହିଥିବା ସନ୍ଦେହ କରାଯାଉଛି ।

ବିବାଦ କାହିଁକି ?

୧୮୧୬ ମସିହାର ସୁଗୌଲି ଚୁକ୍ତି ଆଧାରରେ ଲିପୁଲେଖକୁ ନିଜର ବୋଲି ଦାବି କରୁଛି ନେପାଳ । ଏହି ଚୁକ୍ତି ଇଷ୍ଟ ଇଣ୍ଡିଆ କମ୍ପାନୀ ଏବଂ ନେପାଳ ମଧ୍ୟରେ ସ୍ୱାକ୍ଷରିତ ହୋଇଥିଲା। ଚୁକ୍ତି ଅନୁସାରେ ମହାକାଳୀ ନଦୀକୁ ଭାରତ-ନେପାଳ ସୀମା ଭାବରେ ନିର୍ଣ୍ଣୟ କରାଯାଇଥିଲା। ମହାକାଳୀ ନଦୀ ଲିମ୍ପିଆଧୁରାରୁ ଉତ୍ପନ୍ନ ହୋଇଛି, ତେଣୁ ଲିପୁଲେଖ, କଳାପାଣି ଏବଂ ଲିମ୍ପିଆଧୁରା ଆମ ଅଞ୍ଚଳ ବୋଲି ଦାବି କରୁଛି ନେପାଳ । ଅନ୍ୟପକ୍ଷରେ ଏହି ନଦୀ କଳାପାଣିର ଏକ ଗାଁ ନିକଟରେ ଉତ୍ପନ୍ନ ହୋଇଛି ଏବଂ ଏହି ଅଞ୍ଚଳ ବ୍ରିଟିଶ ସମୟରୁ ଭାରତୀୟ ନିୟନ୍ତ୍ରଣରେ ରହିଥିବା ଭାରତ ଦାବି କରିଛି । ୨୦୨୦ ମସିହାରେ ନେପାଳ ନିଜର ମାନଚିତ୍ର ସଂଶୋଧନ କରି ଏହି ଅଞ୍ଚଳଗୁଡ଼ିକୁ ନିଜ ଅଞ୍ଚଳରେ ଅନ୍ତର୍ଭୁକ୍ତ କରି ସମ୍ବିଧାନରେ ସାମିଲ କରିଥିଲା, ଯାହାକୁ ଭାରତ ପକ୍ଷରୁ ତୀବ୍ର ବିରୋଧ କରାଯାଇଥିଲା । ୧୯୫୪ ମସିହାରେ ଲିପୁଲେଖ ଦେଇ ଭାରତ ଏବଂ ଚୀନ୍ ବାଣିଜ୍ୟ ଆରମ୍ଭ କରିଥିଲେ, ଯାହା କୋଭିଡ୍ -୧୯ ମହାମାରୀ ଏବଂ ଲଦାଖରେ ସାମରିକ ଉତ୍ତେଜନା ଭଳି ସାମ୍ପ୍ରତିକ ଘଟଣାବଳୀ ଯୋଗୁଁ ବନ୍ଦ ହୋଇଯାଇଥିଲା।

ନିକଟରେ ଚୀନ୍ ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟି ଭାରତ ଗସ୍ତ କରିଥିଲେ । ଏହି ସମୟରେ ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ଏବଂ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ସହ ଆଲୋଚନା କରି ପୁଣି ବାଣିଜ୍ୟ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଥିଲେ । ଅନ୍ୟପକ୍ଷରେ ନେପାଳ ଏହି ନିଷ୍ପତ୍ତିକୁ ବିରୋଧ କରି କହିଛି, ଏହା ଆମ ଦେଶର ସାର୍ବଭୌମତ୍ୱକୁ ଉଲ୍ଲଂଘନ କରୁଛି । ଭାରତ ଏବଂ ଚୀନ୍ ଏହି ଅଞ୍ଚଳରେ ରାସ୍ତା ନିର୍ମାଣ କିମ୍ବା ବାଣିଜ୍ୟ ଭଳି କୌଣସି କାର୍ଯ୍ୟକଳାପ କରିବା ଉଚିତ୍ ନୁହେଁ।

ଅଧିକ ପଢ଼ନ୍ତୁ: ଭାରତକୁ ଋଷିଆର ବଡ଼ ଅଫର୍, ଟ୍ରମ୍ପଙ୍କ ଗାଲକୁ ଶକ୍ତ ଚାପୁଡ଼ା 

Scroll to Top