୧୬ ଏପ୍ରିଲ, ୧୯୯୦ରେ କାଶ୍ମୀର ମହିଳା ପଣ୍ଡିତ ସରଲା ଭଟ୍ଟଙ୍କୁ ହତ୍ୟା କରାଯିବା ମାମଲାରେ ଖୋଳତାଡ କରିବା ଆରମ୍ଭ କରିଛି ତଦନ୍ତକାରୀ ଟିମ୍।
କାଶ୍ମୀର ପଣ୍ଡିତ ସରଳା ଭଟ୍ଟଙ୍କ ମୃତ୍ୟୁର ୩୫ ବର୍ଷ ପରେ ତାଙ୍କ ହତ୍ୟା ମାମଲାର ପୁଣି ତଦନ୍ତ ଆରମ୍ଭ ହୋଇଛି। ଏନେଇ ଜମ୍ମୁ ଏବଂ କାଶ୍ମୀର ରାଜ୍ୟ ତଦନ୍ତକାରୀ ସଂସ୍ଥା (SIA) କାଶ୍ମୀରରେ ଏକ ସିରିଜ୍ ଚଢାଉ ଆରମ୍ଭ କରିଛି। ଅଗଷ୍ଟ ୧୨ ତାରିଖରେ କରାଯାଇଥିବା ଏହି ଚଢାଉ ନିଷିଦ୍ଧ ଜମ୍ମୁ ଏବଂ କାଶ୍ମୀର ଲିବରେସନ୍ ଫ୍ରଣ୍ଟ (JKLF) ସହିତ ଜଡିତ ବ୍ୟକ୍ତିବିଶେଷଙ୍କ ଉପରେ ଚଢାଉ କରାଯାଇଛି। ତଦନ୍ତକାରୀ ଦଳ ୟାସିନ ମଲିକଙ୍କ ଘରେ ମଧ୍ୟ ଚଢାଉ କରିଛି। ଜେକେଏଲଏଫର ପୂର୍ବତନ ନେତା ପୀର ନୂରୁଲ ହକ ଶାହ ଉର୍ଫ ଏୟାର ମାର୍ଶଲଙ୍କ ଘରେ ମଧ୍ୟ ଚଢାଉ କରାଯାଇଛି। କେନ୍ଦ୍ରୀୟ କାଶ୍ମୀରର ବିଭିନ୍ନ ସ୍ଥାନରେ ଚଢ଼ାଉ ଚାଲିଛି।
୧୬ ଏପ୍ରିଲ, ୧୯୯୦ରେ କାଶ୍ମୀର ମହିଳା ପଣ୍ଡିତ ସରଲା ଭଟ୍ଟଙ୍କ ହତ୍ୟା କରାଯାଇଥିଲା। ଏହି ହତ୍ୟାକାଣ୍ଡ ୩୫ ବର୍ଷ ପୂର୍ବେ ଘଟିଥିଲା। ସରଳା ଭଟ୍ଟଙ୍କ ଶବ ଶ୍ରୀନଗର ସହରରେ ମିଳିଥିଲା। ସେ ଏପ୍ରିଲ ୧୯୯୦ରେ ସୌରାସ୍ଥିତ ଶେର-ଏ-କଶ୍ମୀର ଇନଷ୍ଟିଚ୍ୟୁଟ ଅଫ୍ ମେଡିକାଲ ସାଇନ୍ସେସରେ ଥିବା ତାଙ୍କ ହଷ୍ଟେଲରୁ ନିଖୋଜ ହୋଇଯାଇଥିଲେ। ତାଙ୍କୁ ପ୍ରଥମେ ଗଣ ଦୁଷ୍କର୍ମ କରାଯାଇଥିଲା। ତା’ପରେ ତାଙ୍କୁ ଗୁଳି କରି ହତ୍ୟା କରାଯାଇ ତାଙ୍କ ଶବକୁ ଖଣ୍ଡ ଖଣ୍ଡ କରି ଲାଲ ଚୌକ ନିକଟରେ ଫୋପଡ଼ା ଯାଇଥିଲା।
କାଶ୍ମୀରୀ ପଣ୍ଡିତଙ୍କ ପରେ ନିର୍ଯାତନା ସେତିକିରେ ଥମି ନଥିଲା। ଏହି ଭୟଙ୍କର ଘଟଣାର ଦୁଇ ମାସ ନ ପୁରୁଣୁ ୨୫ ଜୁନ ୧୯୯୦ ରେ ଆଉ ଜଣେ କଶ୍ମୀରୀ ପଣ୍ଡିତ ମହିଳା ଗିରିଜା କୁମାରୀ ଟିକ୍କୁଙ୍କ ଉପରେ ମଧ୍ୟ ନିର୍ଯାତନା ଦିଆଯାଇଥିଲା।
Also Read
୯୦ ଦଶକରେ କଶ୍ମୀରରେ ଏକ ଭୟଙ୍କର ସମୟ ଚାଲିଥିଲା, ଯେତେବେଳେ କଶ୍ମୀରୀ ପଣ୍ଡିତମାନଙ୍କ ଉପରେ ଲଗାତାର ଆକ୍ରମଣ ହେଉଥିଲା। ଆତଙ୍କବାଦୀ ଓ ଜିହାଦୀମାନେ ସମସ୍ତ ସୀମା ଅତିକ୍ରମ କରିଥିଲେ। ହିନ୍ଦୁମାନଙ୍କୁ ସବୁ ଛାଡ଼ି ପଳାଇବାକୁ ବାଧ୍ୟ କରାଯାଉଥିଲା। ଯେଉଁମାନେ ସେଠାରେ ରହିଥିଲେ, ସେମାନଙ୍କ ପାଇଁ ବଞ୍ଚିବା ଦିନକୁ ଦିନ କଷ୍ଟକର ହେଉଥିଲା। ଶହ ଶହ କଶ୍ମୀରୀ ହିନ୍ଦୁଙ୍କୁ ମାରି ଦିଆଯାଇଥିଲା।
ସେହିପରି କଶ୍ମୀରୀ ହିନ୍ଦୁ ଗିରିଜା ବାରାମୂଲାର ଆରିଗାମ ଗାଁରେ ରହୁଥିଲେ। ସେ ଏକ ସ୍କୁଲରେ ଲାବ ଆସିଷ୍ଟାଣ୍ଟ ଭାବେ କାମ କରୁଥିଲେ। ୧୧ ଜୁନ, ୧୯୯୦ରେ ଦରମା ନେବାକୁ ଘରୁ ବାହାରିଥିଲେ। ରାସ୍ତାରେ ଜଣେ ସହକର୍ମୀଙ୍କ ଘରେ କିଛି ସମୟ ପାଇଁ ଅଟକିଥିଲେ। ସେ ଜାଣି ନଥିଲେ ଯେ ତାଙ୍କର ପିଛା କରାଯାଉଛି ଏବଂ ତାଙ୍କ ଉପରେ ବିପଦର ପାହାଡ଼ ଭାଙ୍ଗିବାକୁ ଯାଉଛି। ସମସ୍ତଙ୍କ ସାମ୍ନାରେ ତାଙ୍କୁ ଅପହରଣ କରାଯାଇଥିଲା। ଆତଙ୍କବାଦୀମାନେ ଗିରିଜାଙ୍କୁ ଗାଁ ଠାରୁ ଦୂରକୁ ନେଇ ଯାଇଥିଲେ। ତାଙ୍କୁ ବାରମ୍ବାର ଦୁଷ୍କର୍ମ କରାଯାଇଥିଲା। ଏହା ପରେ ୨୫ ଜୁନରେ ସେମାନେ ସବୁ ସୀମା ଟପି ଯାଇଥିଲେ। ଗିରିଜାଙ୍କୁ କାଠ କାଟିବା ମେସିନରେ ଦୁଇ ଖଣ୍ଡ କରି କାଟି ଦେଇଥିଲେ।
ତେବେ ସରଳାଙ୍କର ଘଟଣାରେ ତାଙ୍କର ଏକମାତ୍ର ଭୁଲ ଥିଲା ଯେ ସେ ଆତଙ୍କବାଦୀଙ୍କର ଉପତ୍ୟକା ଛାଡ଼ିବା ଆଦେଶକୁ ମାନିବାକୁ ମନା କରିଦେଇଥିଲେ। ମୃତ୍ୟୁ ପରେ ମଧ୍ୟ ଆତଙ୍କବାଦୀମାନଙ୍କର ମନ ଭରି ନଥିଲା। ଲୋକମାନଙ୍କୁ ସରଳାଙ୍କ ଅନ୍ତିମ ସଂସ୍କାରରେ ଯୋଗ ନ ଦେବାକୁ ଧମକ ଦିଆଯାଇଥିଲା। ଏବେ ଏହି ମାମଲାରେ ପୁଣି ତଦନ୍ତ ଆରମ୍ଭ ହୋଇଛି।




