J

j

ରାଜ୍ୟ ସରକାରଙ୍କ ମାର୍ଗଦର୍ଶିକା ଅନୁସାରେ ରତ୍ନଭଣ୍ଡାର ଅଳଙ୍କାର ଗଣତି ମଣତି କରାଯିବ। ରତ୍ନ ଅଳଙ୍କାର ଗୁଡିକର ଡିଜିଟାଇଜେସନ ବି ହେବ। ବିଭିନ୍ନ ପର୍ଯ୍ୟାୟରେ ଗଣତି ମଣତି କରାଯାଇ ଅକ୍ଷୟ ତୃତୀୟା ପୂର୍ବରୁ ଏହା ସାରିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି।

author-image

SRIMANDIR

SRIMANDIR Photograph: (OTV)

ପର୍ଯ୍ୟାୟ କ୍ରମେ ହେବ ରତ୍ନଭଣ୍ଡାର ଗଣତିମଣତି । ଶୃଙ୍ଖଳିତ ଧାଡ଼ି ଦର୍ଶନ ବ୍ୟବସ୍ଥା ଉପରେ ଜୋର୍ । ବଦଳିବ କାଠ ରାମ୍ପ ଡିଜାଇନ୍ । ଶ୍ରୀଜିଉଙ୍କର ସ୍ବର୍ଣ୍ଣ ଅଳଙ୍କାରର ହେବ ନୂଆ ଏକ ସେଟ୍ । ବଢ଼ିଲା ସେବାୟତଙ୍କ ପେନସନ ରାଶି । ଗଜପତି ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଆଜି ଏଭଳି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛି ଶ୍ରୀମନ୍ଦିର ପରିଚାଳନା କମିଟି। ଏଜେଣ୍ଡାର ସର୍ବାଗ୍ରେ ଥିଲା ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା।

ବୈଠକ ଶେଷରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି ନାଟମଣ୍ଡପରେ ଶୃଙ୍ଖଳିତ ଧାଡ଼ି ଦର୍ଶନ ବ୍ୟବସ୍ଥା ଉପରେ ଆଲୋଚନା ହୋଇଛି। କାଠ ରାମ୍ପ୍ ଡିଜାଇନରେ ପରିବର୍ତ୍ତନ, ତ୍ରୁଟି ଶୂନ୍ୟ ଦର୍ଶନ ପାଇଁ ବ୍ୟବସ୍ଥା ସହ ପ୍ରୋଟୋକଲ ଦର୍ଶନ ପାଇଁ ଏକ ଏସଓପି ଅଣାଯିବ। ସେହିପରି ରାଜ୍ୟ ସରକାରଙ୍କ ମାର୍ଗଦର୍ଶିକା ଅନୁସାରେ ରତ୍ନଭଣ୍ଡାର ଅଳଙ୍କାର ଗଣତି ମଣତି କରାଯିବ। ରତ୍ନ ଅଳଙ୍କାର ଗୁଡିକର ଡିଜିଟାଇଜେସନ ବି ହେବ। ବିଭିନ୍ନ ପର୍ଯ୍ୟାୟରେ ଗଣତି ମଣତି କରାଯାଇ ଅକ୍ଷୟ ତୃତୀୟା ପୂର୍ବରୁ ଏହା ସାରିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି।…ଅନ୍ୟ ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ମୁତାବକ ସ୍ବର୍ଣ୍ଣ ଅଳଙ୍କାର ଦାନ ଯୋଜନାରେ ଶ୍ରୀଜୀଉଙ୍କ ନୂଆ ସ୍ବର୍ଣ୍ଣ ଅଳଙ୍କାର ସେଟ୍ କରାଯିବା ପ୍ରସ୍ତାବ ଉପରେ ମୋହର ବାଜିଛି।…

ପ୍ରାୟ 4 ଘଣ୍ଟା ଧରି ଚାଲିଥିବା ଏଇ ବୈଠକରେ ଶ୍ରୀମନ୍ଦିର ସେବାୟତଙ୍କ ପେନସନ୍ ବୃଦ୍ଧି ପ୍ରସ୍ତାବକୁ ବି ଅନୁମୋଦନ ମିଳିଛି। ବରିଷ୍ଠ ସେବାୟତଙ୍କ ମାସିକ ଭତ୍ତାକୁ ୪ ହଜାରରୁ ୫ ହଜାର ଟଙ୍କାକୁ ବଢ଼ା ଯାଇଛି। ଆସନ୍ତା ଜାନୁଆରୀରୁ ଏହା ଲାଗୁ ହେବ। ସେହିପରି ସେବାୟତଙ୍କ କନ୍ୟାମାନଙ୍କ ବିବାହ ସହାୟତା ରାଶିକୁ 50 ହଜାର ଟଙ୍କାରୁ ୧ ଲକ୍ଷ ଏବଂ ପୁଅ ବ୍ରତଘର ସହାୟତା ରାଶିକୁ 20 ହଜାରରୁ 50 ହଜାର ଟଙ୍କାକୁ ବଢ଼ାଯାଇଛି। ସେହିପରି ଶ୍ରୀମନ୍ଦିରକୁ ଦାନ ପାଇଁ ପ୍ରୋତ୍ସାହିତ କରିବାକୁ ପୁରୀରେ ଥିବା ଏଟିଏମରେ ଟଙ୍କା ଉଠାଣ ବେଳେ କିଭଳି ମେସେଜ୍ ଆସିବ ସେଦିଗରେ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା ହେଉଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି।…

ପରିଚାଳନା କମଟି ବୈଠକରେ ପୁରୀବାସୀଙ୍କ ପାଇଁ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ସହ ଭକ୍ତଙ୍କ ପାଇଁ ଖୁବ୍ଶୀଘ୍ର ଗୁଣ୍ଡିଚା ମନ୍ଦିରକୁ ଖୋଲାଯିବା, ଶ୍ରୀଜଗନ୍ନାଥଙ୍କ ଜମିଜମାର ସୁରକ୍ଷା ଏବଂ ଶ୍ରୀମନ୍ଦିର ସୁରକ୍ଷା, ଇସ୍କନର ବେଆଇନ୍ ରଥଯାତ୍ରା, ଆଦର୍ଶ ଗୁରୁକୁଳ, ନିୟମାନୁସାରେ ଶ୍ରୀମନ୍ଦିର ପ୍ରଶାସନ ପାଖକୁ ଏମାର ମଠ ରୁପା ଇଟା ଅଣାଯିବା ଆଦି ପ୍ରସଙ୍ଗରେ ମଧ୍ୟ ଆଲୋଚନା ହୋଇଛି।

Scroll to Top