Israel death penalty law: ସୋମବାର ଏହି ଆଇନଟି ୬୨-୪୮ ଭୋଟରେ ଗୃହୀତ ହୋଇଥିଲା। ଆଇନ ପାସ୍ ହେବା ପରେ ସେ ସଂସଦ ଭିତରେ ସାମ୍ପେନ ପିଇ ଖୁସୀ ମନାଇଥିଲେ ଇସ୍ରାଏଲ ନେତା।
Published By: abinash – Prameya-News7 Bureau | March 31, 2026 07:19 PM
NEWS7
Israel death penalty law: ସୋମବାର ଇସ୍ରାଏଲ୍ ସଂସଦରେ ପାସ୍ ହୋଇଥିବା ଫାଶୀ ଦଣ୍ଡାଦେଶ ଆଇନକୁ ନେଇ ସାରା ବିଶ୍ୱରେ ସମାଲୋଚନୀ ତୀବ୍ର ହୋଇଛି। ଏହି ଆଇନ ଅନୁଯାୟୀ ଘାତକ ଆକ୍ରମଣ ପାଇଁ ଇସ୍ରାଏଲର ସାମରିକ ଅଦାଲତରେ ଦୋଷୀ ସାବ୍ୟସ୍ତ ହୋଇଥିବା ପାଲେଷ୍ଟାଇନୀୟ ମାନଙ୍କୁ ଆଉ ଜେଲ୍ ନୁହେଁ ସିଧା ଫାଶୀ ଦଣ୍ଡ ଦିଆଯିବ।
ଏହି ଆଇନ ଆଣିବା ନେଇ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ଦକ୍ଷିଣପନ୍ଥୀ ନେତାମାନେ ଦୀର୍ଘଦିନରେ ଦାବି କରି ଆସୁଥିଲେ। ଏହି ନେତାମାନେ ଆଇନ ଆଣିବାକୁ ଜନତାଙ୍କୁ ପ୍ରତିଶ୍ରୁତି ବି ଦେଇଥିଲେ। ସୋମବାର ବିଲ୍ ପାସ୍ ହେବା ପରେ ବିଲକୁ ନେଇ ବିରୋଧୀ ତେଜିଛି । ଏହି ଆଇନକୁ ନେଇ ପାଲେଷ୍ଟାଇନ ନେତା ଓ ମାନବାଧିକାର କମିଶନ ସମାଲୋଚନା କରିଛନ୍ତି। ଏହା ଅନ୍ତର୍ଜାତୀୟ ଆଇନର ଉଲ୍ଲଂଘନ ଏବଂ ପକ୍ଷପାତିତାମୂଳକ ଆଇନ ବୋଲି ସେମାନେ ଅଭିଯୋଗ କରିଛନ୍ତି।
ସୋମବାର ଏହି ଆଇନଟି ୬୨-୪୮ ଭୋଟରେ ଗୃହୀତ ହୋଇଥିଲା। ଏହାପରେ ଏହାକୁ ଦକ୍ଷିଣପନ୍ଥୀ ଇସ୍ରାଏଲୀ ଜାତୀୟ ସୁରକ୍ଷା ମନ୍ତ୍ରୀ ଇଟାମାର ବେନ୍-ଗିର ସମର୍ଥନ କରିଥିଲେ। ଆଇନ ପାସ୍ ହେବା ପରେ ସେ ସଂସଦ ଭିତରେ ସାମ୍ପେନ ପିଇ ଖୁସୀ ମନାଇଥିଲେ।
ଅନ୍ତର୍ଜାତୀୟ ସ୍ତରରେ ଏହି ଆଇନକୁ ପ୍ରତ୍ୟାହାର କରିବା ନେଇ ଦାବି ହୋଇଥିବା ବେଳେ ବେନ ଗିର୍ ଏହାକୁ ପ୍ରତ୍ୟାଖାନ କରି କହିଛନ୍ତି ଆମେ ରଚିଲୁ। ଏନେଇ ସେ ଏକ୍ସରେ ପୋଷ୍ଟ କରି କହିଛନ୍ତି“ମୁଁ ଇସ୍ରାଏଲ ରାଜ୍ୟ ଉପରେ ଚାପ ପ୍ରୟୋଗ କରିଥିବା ଏବଂ ଧମକ ଦେଇଥିବା ୟୁରୋପୀୟ ସଂଘର ଲୋକମାନଙ୍କୁ କହୁଛି: ଆମେ ଭୟଭୀତ ନୁହଁ,ଆମେ ଆତ୍ମସମର୍ପଣ କରିବୁ ନାହିଁ।”
ଏହି ଆଇନ ନେଇ ଇସ୍ରାଏଲର ନାଗରିକ ଅଧିକାର ସଂଘଆପତ୍ତି ଉଠାଇଛି। ସଂଘ ଏହାକୁ ଇସ୍ରାଏଲ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିବ ବୋଲି କହିଛି। ଏହି ଆଇନକୁ କେଉଁମାନେ ବିରୋଧ କରୁଛନ୍ତି ଆସନ୍ତୁ ଜାଣିବା।
ପାଲେଷ୍ଟାଇନର ବିରୋଧ
ପାଲେଷ୍ଟାଇନର ବୈଦେଶିକ ମନ୍ତ୍ରଣାଳୟ ଏହି ଆଇନକୁ ବିପଜ୍ଜନକକହି ନିନ୍ଦା କରିଛି।ଏହି ମାମଲାକୁ ଆହୁରି ବଢ଼ାଇବ ବୋଲି ମନ୍ତ୍ରଣାଳୟ କହିଛି। ସୋସିଆଲ୍ ମିଡିଆରେ ପୋଷ୍ଟ କରି ମନ୍ତ୍ରଣାଳୟ କହିଛି“ପାଲେଷ୍ଟାଇନୀ ଭୂମି ଉପରେ ଇସ୍ରାଏଲର କୌଣସି ସାର୍ବଭୌମତ୍ୱ ନାହିଁ।ଏହି ଆଇନ ପୁଣିଥରେ ଇସ୍ରାଏଲୀ ଉପନିବେଶବାଦୀ ବ୍ୟବସ୍ଥାର ପ୍ରକୃତିକୁ ସାମ୍ନାକୁ ଆଣିଛି,ଯାହା ଆଇନ ଢାଲ ତଳେ ବିଚାରବହିର୍ଭୁତ ହତ୍ୟାକୁ ବୈଧ କରିବାକୁ ଚାହୁଁଛି।”
କ’ଣ କହିଲା ହମାସ ?
ପାଲେଷ୍ଟାଇନୀ ଗ୍ରୁପ ହମାସ ଏହି ମୃତ୍ୟୁଦଣ୍ଡ ଆଇନକୁ ନିନ୍ଦା କରିଛି। ଇସ୍ରାଏଲୀ ଜେଲରେ ବନ୍ଦୀ ପାଲେଷ୍ଟାଇନୀମାନଙ୍କ ଜୀବନକୁ ବିପଦରେ ପକାଇବା ପାଇଁ ଏହା ଏକ ବିପଜ୍ଜନକ ଉଦାହରଣ ବୋଲି କହିଛି। ଇସ୍ରାଏଲ ଏହା କରି ଅନ୍ତର୍ଜାତୀୟ ନିୟମର ଅବମାନନା କରିଛି। ଇସ୍ରାଏଲର “କ୍ରୁରତା”ରୁ ପାଲେଷ୍ଟାଇନୀ ବନ୍ଦୀମାନଙ୍କୁ ସୁରକ୍ଷା ଦେବା ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ଏହି ଗୋଷ୍ଠୀ ଜାତିସଂଘ ଏବଂ ରେଡକ୍ରସର ଅନ୍ତର୍ଜାତୀୟ କମିଟି ସମେତ ଅନ୍ତର୍ଜାତୀୟ ସମୁଦାୟକୁ ଆହ୍ୱାନ କରିଛି।
ଜାତିସଂଘ ମାନବାଧିକାର କାର୍ଯ୍ୟାଳୟ
ପାଲେଷ୍ଟାଇନରେ ଥିବା ଜାତିସଂଘ ମାନବାଧିକାର କାର୍ଯ୍ୟାଳୟ ଇସ୍ରାଏଲକୁ ପକ୍ଷପାତପୂର୍ଣ୍ଣ ବୋଲି କହିବା ସହିତତୁରନ୍ତ ମୃତ୍ୟୁଦଣ୍ଡ ଆଇନକୁ ପ୍ରତ୍ୟାହାର କରିବାକୁ ଆହ୍ୱାନ ଦେଇଛି।ଏହି ପଦକ୍ଷେପ ଅନ୍ତର୍ଜାତୀୟ ଆଇନ ଅନୁଯାୟୀ ଦେଶର ଦାୟିତ୍ୱକୁ ଉଲ୍ଲଂଘନ କରୁଛି ବୋଲି ଜାତିସଂଘ କହିଛି।
ଏନେଇ ଜାତିଂସଘ ଏକ୍ସରେ ପୋଷ୍ଟ କରି ଲେଖିଛି“ଜାତିସଂଘ ସମସ୍ତ ପରିସ୍ଥିତିରେ ମୃତ୍ୟୁଦଣ୍ଡକୁ ବିରୋଧ କରେ। ଏହି ନୂଆ ଆଇନ କାର୍ଯ୍ୟକାରୀ ହେଲେ ଅନ୍ତର୍ଜାତୀୟ ଆଇନର ନିଷ୍ଠୁର,ଅମାନବୀୟ କିମ୍ବା ଅପମାନଜନକ ଦଣ୍ଡ ନିଷେଧ ଉଲ୍ଲଂଘନ ହେବ। ଏହା ବାଦ୍ଏହି ଆଇନ ଇସ୍ରାଏଲର ଜାତିଗତ ବିଭେଦ ଏବଂ ରଙ୍ଗଭେଦ ନିଷେଧ ଉଲ୍ଲଂଘନକୁ ଆହୁରି ବଳ ଦେବ। କାରଣ ଏହା କେବଳ ଅଧିକୃତ ପଶ୍ଚିମ ବ୍ୟାଙ୍କ ଏବଂ ଇସ୍ରାଏଲର ପାଲେଷ୍ଟାଇନୀମାନଙ୍କ ପାଇଁ ପ୍ରଯୁଜ୍ୟ ହେବ,ଯେଉଁମାନେ ପ୍ରାୟତଃ ଅନ୍ୟାୟ ବିଚାର ପରେ ଦୋଷୀ ସାବ୍ୟସ୍ତ ହୁଅନ୍ତି।”
Also Read- Iran War: ଇଟାଲୀରୁ ତୁର୍କୀ ପର୍ଯ୍ୟନ୍ତ, କେଉଁ କେଉଁ ଦେଶ ଇରାନ ଯୁଦ୍ଧରେ ଆମେରିକାକୁ ଦେଲେ ଧୋକା ?




