Iran thanked India for aid: ଧନ୍ୟବାଦ ଭାରତ, ତୁମର ଦୟାଳୁପଣ ଓ ମାନବିକତାକୁ ଆମେ କେବେ ଭୁଲିବୁ ନାହିଁ। ଯୁଦ୍ଧ ସମୟରେ ସହଯୋଗ ପାଇଁ ଭାରତକୁ ଏଭଳି କହି କୃତଜ୍ଞତା ଜ୍ଞାପନ କରିଛି ଇରାନ। ଯୁଦ୍ଧଗ୍ରସ୍ତ ଇରାନରେ ବର୍ତ୍ତମାନ ଚାରିଆଡ଼େ ଧ୍ୱଂସର ତାଣ୍ଡବ। ଆମେରିକା ଓ ଇସ୍ରାଏଲ ସହ ଏକାକୀ ଲଢୁଛି ଇରାନ। ଆଉ ଏହି ସମୟରେ ଭାରତ ପଠାଇଛି ସାହାଯ୍ୟ। ଯାହା ପାଇଁ ଇରାନ ହୃଦୟରୁ ଭାରତକୁ ଜଣାଇଛି ଅଶେଷ ଧନ୍ୟବାଦ ଓ କୃତଜ୍ଞତା।
ଭାରତ ପ୍ରତି କୃତଜ୍ଞତା ଜଣାଇ ନୂଆଦିଲ୍ଲୀରେ ଥିବା ଇରାନ ଦୂତାବାସ ପକ୍ଷରୁ ଏକ୍ସରେ ପୋଷ୍ଟ କରାଯାଇଛି। ଏଥିରେ ଲେଖା ଅଛି “ଧନ୍ୟବାଦ ଭାରତ, ତୁମର ଦୟାଳୁପଣ ଓ ମାନବିକତାକୁ କେବେ ଭୁଲିବୁ ନାହିଁ।”
ପ୍ରକୃତରେ ଆମେରିକା ଓ ଇସ୍ରାଏଲ୍ର ଆକ୍ରମଣରେ ଇରାନର ଅନେକ କ୍ଷୟକ୍ଷତି ହୋଇଛି। ଇସ୍ରାଏଲ୍ ଇରାନର ସ୍କୁଲ ଓ ଡାକ୍ତରଖାନାରେ ମିସାଇଲ୍ ମାଡ଼ କରି ଏକାଧିକ ଜୀବନ ନେଇଛି। ତେଣୁ ଏହି ବିପଦ ସମୟରେ ଭାରତ ଇରାନକୁ ମେଡିକାଲ ଉପକରଣ ସମେତ ଅନ୍ୟାନ୍ୟ ଜରୁରୀ ସାମଗ୍ରୀ ପଠାଇଛି।
ଖାଲି ଇରାନ ନୁହେଁ, ବିପଦ ସମୟରେ ଭାରତ ଏକାଧିକ ଦେଶକୁ ସାହାଯ୍ୟ ପଠାଇଛି। ଭାରତ ବସୁଧୈବ କୁଟୁମ୍ବକମ ମୂଲ୍ୟବୋଧ ଉପରେ ବିଶ୍ୱାସ କରୁଥିବାରୁ ପଡ଼ୋଶୀମାନଙ୍କୁ ଚିକିତ୍ସା ଉପକରଣ,ଖାଦ୍ୟ ସାମଗ୍ରୀ ପଠାଇ ମାନବିକତା ଦେଖାଇ ଆସିଛି। ସେ ତୁର୍କୀଏ ଭୂମିକମ୍ପ ହେଉ କିମ୍ବା ପାକିସ୍ତାନ ଆଟାକ୍ରେ କ୍ଷତିଗ୍ରସ୍ତ ହୋଇଥିବା ଆଫଗାନିସ୍ତାନକୁ ସହଯୋଗ ପଠାଇବା ହେଉ ସବୁଠି ଭାରତ ଦାୟିତ୍ୱ ନିର୍ବାହ କରିଛି।
ସେପଟେ ଇରାନ ଦୁଇ ଶକ୍ତିଶାଳୀ ଦେଶର ଆକ୍ରମଣରେ ଏବେବି ଏକାକୀ ଲଢ଼େଇ ଜାରି ରଖିଛି। ଶନିବାର ଯୁଦ୍ଧରେ ଇରାନର ମୃତ୍ୟୁ ସଂଖ୍ୟା ୧୫୦୦ ଅତିକ୍ରମ କରିଛି ବୋଲି ରାଷ୍ଟ୍ରାୟତ୍ତ ଗଣମାଧ୍ୟମ ଇରାନ ମନ୍ତ୍ରଣାଳୟର ତଥ୍ୟ ନେଇ ଖବର ପ୍ରକାଶ କରିଛି। ସେହିପରି ଇରାନ ଆକ୍ରମଣରେ ଇସ୍ରାଏଲରେ ୧୫ ଜଣଙ୍କର ମୃତ୍ୟୁ ହୋଇଛି। ଇସ୍ରାଏଲ ଅଧିକୃତ ପଶ୍ଚିମ ବ୍ୟାଙ୍କ ଏବଂ ଉପସାଗରୀୟ ଆରବ ରାଷ୍ଟ୍ରଗୁଡ଼ିକରେ ଏକ ଡଜନରୁ ଅଧିକ ସାଧାରଣ ନାଗରିକ ଆକ୍ରମଣରେ ପ୍ରାଣ ହରାଇଛନ୍ତି।
ଟ୍ରମ୍ପଙ୍କ ଧମକ ପରେ ଇରାନରପାଲଟା ଧମକ
ଇରାନ ଷ୍ଟ୍ରେଟ୍ ଅଫ ହରମୁଜ ବନ୍ଦ କରିଦେଇଥିବାରୁ ସାରା ବିଶ୍ୱରେ ବର୍ତ୍ତମାନ ଶକ୍ତି ସଂକଟ ଦେଖା ଦେଇଛି। ଅଶୋଧିତ ତେଲ ବ୍ୟାରେଲ ପ୍ରତି ୧୨୦ ଡଲାର ଅତିକ୍ରମ କରିଛି। ସ୍ଥିତି ଅଣାୟାତ ଦେଖି ୪୮ ଘଣ୍ଟା ମଧ୍ୟରେ ହରମୁଜ ଜଳପଥ ଖୋଳିବାକୁ ଟ୍ରମ୍ପ ଇରାନକୁ ଧମକ ଦେଇଛନ୍ତି। ନଖୋଲିଲେ ଆମେରିକାର ଇରାନ ବିଦ୍ୟୁତ କେନ୍ଦ୍ରଗୁଡ଼ିକ ଉପରେ ଆକ୍ରମଣ କରିବ ବୋଲି ଟ୍ରମ୍ପ ଧମକ ଦେଇଛନ୍ତି।
ଟ୍ରମ୍ପଙ୍କ ଧମକର ତୁରନ୍ତ ଉତ୍ତର ଦେଇଛି ଇରାନ। ଇରାନ ସଂସଦର ବାଚସ୍ପତି, ମହମ୍ମଦ ବାଘେର କାଲିବାଫ, ରବିବାର ଏକ୍ସରେ ପୋଷ୍ଟ କରି କହିଛନ୍ତି ଯେ ଯଦି ଇରାନର ବିଦ୍ୟୁତ୍ କେନ୍ଦ୍ର ଏବଂ ଭିତ୍ତିଭୂମିକୁ ଟାର୍ଗେଟ କରାଯାଏ, ତେବେ ସମଗ୍ର ଅଞ୍ଚଳରେ ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି – ଶକ୍ତି ଏବଂ ଡିସାଲିନେସନ୍ ସୁବିଧାକୁ ଟାର୍ଗେଟ୍ କରାଯିବ। ଏବେ ଏମିତି ଧ୍ୱଂସ କରାଯିବ ଯେ ଯାହା ତିଆରି କରିବା ମୁସ୍କିଲ ହୋଇଯିବ ବୋଲି ଇରାନ ବାଚସ୍ପତି ଧମକ ଦେଇଛନ୍ତି।




