ନୂଆଦିଲ୍ଲୀ ୧୪/୧୦: ହରିୟାଣା ଡିଜିପିଙ୍କୁ ଛୁଟିରେ ପଠାଗଲା । IPS ୱାଇ ପୁରନ କୁମାର ଆତ୍ମହତ୍ୟା ମାମଲାରେ ହରିୟାଣା ଡିଜିପିଙ୍କୁ ଛୁଟିରେ ଯିବାକୁ ନିର୍ଦ୍ଦେଶ । ହରିୟାଣା ଡିଜିପି ଶତ୍ରୁଜିତ କପୁରଙ୍କୁ ଛୁଟିରେ ପଠାଇଲେ ରାଜ୍ୟ ସରକାର । ଚଣ୍ଡିଗଡ଼ ସ୍ଥିତ ବାସଭବନରେ ଗତ ୭ରେ ଆତ୍ମହତ୍ୟା କରିଥିଲେ ପୁରନ କୁମାର । ସୁଇସାଇଡ୍ ନୋଟ୍ରେ ଡିଜିପିଙ୍କ ସମେତ ୭ ବରିଷ୍ଠ ଅଧିକାରୀଙ୍କୁ ଦାୟୀ କରଯାଇଥିଲା ।
ହରିୟାଣାର ଜଣେ ବରିଷ୍ଠ ଆଇପିଏସ୍ ଅଧିକାରୀ ୱାଇ ପୁରନ କୁମାର ଗତ ଅକ୍ଟୋବର ୭ ତାରିଖରେ ନିଜକୁ ଗୁଳି କରି ଆତ୍ମହତ୍ୟା କରିଥିଲେ । ଚଣ୍ଡିଗଡ଼ ସ୍ଥିତ ସେକ୍ଟର ୧୧ରେ ଥିବା ବାସଭବନରେ ସର୍ଭିସ ରିଭଲଭରରୁ ନିଜକୁ ଗୁଳି କରି ଜୀବନ ହାରିଥିଲେ ଆଇପିଏସ୍ ପୁରନ କୁମାର । ଏହି ଘଟଣାରେ ହରିୟାଣା ଡିଜିପି ଶତ୍ରୁଜିତ କପୁରଙ୍କୁ ଲମ୍ବା ଛୁଟିରେ ପଠାଇଛନ୍ତି ରାଜ୍ୟ ସରକାର । ସୁଇସାଇଡ୍ ନୋଟ୍ରେ ଡିଜିପିଙ୍କ ସମେତ ୧୩ ବରିଷ୍ଠ ଅଧିକାରୀଙ୍କ ନାମରେ ଅଭିଯୋଗ ଆଣିଥିଲେ ପୁରନ କୁମାର । ଏହି ଆଧାରରେ ଚଣ୍ଡିଗଡ଼ ପୋଲିସ ମାମଲା ଦାୟର କରି ତଦନ୍ତ ଜାରି ରଖିଛି । ଏହାରି ଭିତରେ ହରିୟାଣା ଡିଜିପିଙ୍କୁ ଛୁଟିରେ ପଠାଯାଇଛି ।
ଘଟଣାରେ ପୂର୍ବ ରୋହତକ ଏସ୍ପି ନରେନ୍ଦ୍ର ବିଜାରନିୟାଙ୍କୁ ଶନିବାର ପଦରୁ ହଟାଇ ଦିଆଯାଇଥିଲା । ତାଙ୍କ ସ୍ଥାନରେ ସୁରିନ୍ଦର ସିଂହ ଭୋରିୟାଙ୍କୁ ରୋହତକ ଏସପି ଦାୟିତ୍ୱ ମିଳିଛି । ବର୍ତ୍ତମାନ ସୁଦ୍ଧା ନରେନ୍ଦ୍ର ବିଜାରନିୟାଙ୍କୁ କୌଣସି ପଦରେ ନିୟୋଜିତ କରାଯାଇନାହିଁ । ଏବେ ଡିଜିପି ଶତ୍ରୁଜିତ କପରୁଙ୍କୁ ତଦନ୍ତ ଶେଷ ହେବା ଯାଏ ଲମ୍ବା ଛୁଟିରେ ପଠାଇଛନ୍ତି ରାଜ୍ୟ ସରକାର । ଡିଜିପି ଶତ୍ରୁଜିତ ୨୦୨୩ ଅଗଷ୍ଟ ୧୬ରେ ହରିୟାଣାର ଶୀର୍ଷ ପୋଲିସ୍ ଅଧିକାରୀ ଭାବେ କାର୍ଯ୍ୟଭାର ସମ୍ଭାଳିଥିଲେ । ଏହାପୂର୍ବରୁ ସେ ରାଜ୍ୟର ଦୁର୍ନୀତି ନିବାରଣ ବ୍ୟୁରୋର ନିର୍ଦ୍ଦେଶକ ଜେନେରଲ ଥିଲେ ।




