ଇନ୍ଦୋର: ମଧ୍ୟପ୍ରଦେଶର ଇନ୍ଦୋର ସ୍ଥିତ ରାଉ ଥାନା (Rau Police Station) ଅଞ୍ଚଳରେ ଏପ୍ରିଲ୍ ୧୨, ୨୦୨୬ ରେ ଘଟିଥିବା ଏକ ହତ୍ୟାକାଣ୍ଡର ପର୍ଦ୍ଦାଫାଶ କରିଛି ପୋଲିସ। ଏହା ଠିକ ସେହିପରି ଘଟଣା ଯାହା ନିକଟରେ ରାଜା ରଘୁବଂଶୀ ସାଙ୍ଗରେ ଘଟିଥିଲା, ଚଉଠୀ ରାତିରେ ପ୍ରମିକ ସହ ମିଶି କରାଯାଇଥିବା ଏହି ହତ୍ୟାକାଣ୍ଡ ସାରା ଦେଶକୁ ସ୍ତବ୍ଧ କରିଦେଇଥିଲା ତେବେ, ଏହି ସମ୍ବେଦନଶୀଳ ହତ୍ୟାକାଣ୍ଡ ମଧ୍ୟ ବୈଧ ପ୍ରେମ ସମ୍ପର୍କ ଏବଂ ପୂର୍ବ ଶତ୍ରୁତା କାରଣରୁ ଘଟିଥିବା ପୋଲିସ ଜାଣିବାକୁ ପାଇଛି। ଏହି ମାମଲାରେ ମୃତକଙ୍କ ପତ୍ନୀ ଏବଂ ତାଙ୍କ ପ୍ରେମିକଙ୍କ ସମେତ ମୋଟ ୪ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଆଉ ଜଣେ ଅଭିଯୁକ୍ତ ଏବେ ବି ଫେରାର ଅଛନ୍ତି। ପୋଲିସ ହତ୍ୟାକାଣ୍ଡରେ ବ୍ୟବହୃତ ଏକ ପଲସର୍ (Pulsar) ବାଇକ୍, ଦେଶୀ ପିସ୍ତଲ ଏବଂ ଗୁଳି ଜବତ କରିଛି।
କ’ଣ ଥିଲା ପୂରା ଘଟଣା?
ପୋଲିସର ସୂଚନା ଅନୁଯାୟୀ, ଗତ ଏପ୍ରିଲ୍ ୧୨ ତାରିଖ ରାତିରେ ରାଉ ଥାନାକୁ ଏକ ଫୋନ୍ କଲ୍ ଆସିଥିଲା ଯେ ନଖରାଲି ଢାଣି, କେଟ୍ ରୋଡ୍ ସାମ୍ନାରେ ଜଣେ ବ୍ୟକ୍ତି ଗୁରୁତର ଅବସ୍ଥାରେ ପଡ଼ିଛନ୍ତି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ବ୍ୟକ୍ତି ଜଣକୁ ଉଦ୍ଧାର କରିଥିଲା, କିନ୍ତୁ ପରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ମୃତକଙ୍କ ପରିଚୟ ନବୀନ ପାଟିଦାର ଭାବେ ଚିହ୍ନଟ କରାଯାଇଥିଲା।
- ପ୍ରଥମେ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା।
- କିନ୍ତୁ ଘଟଣାସ୍ଥଳରୁ ଖାଲି କାର୍ଟ୍ରିଜ୍ (ଗୁଳିର ଖୋକା) ମିଳିବା ଏବଂ ଆଖପାଖର ସିସିଟିଭି ଫୁଟେଜ୍ ଯାଞ୍ଚ କରିବା ପରେ ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ସ୍ପଷ୍ଟ ହୋଇଥିଲା।
- ଏହାପରେ ପୋଲିସ ହତ୍ୟା ମାମଲା ରୁଜୁ କରି ଏକ ସ୍ୱତନ୍ତ୍ର ଟିମ୍ ଗଠନ କରିଥିଲା।
୧୦୦ ରୁ ଅଧିକ ସିସିଟିଭି ଫୁଟେଜ୍ ଖୋଲିଲା ରାଜ୍
ତଦନ୍ତକାରୀ ଟିମ୍ ୧୦୦ ରୁ ଅଧିକ ସିସିଟିଭି ଫୁଟେଜ୍ ଯାଞ୍ଚ କରିବା ପରେ ନମ୍ବର ପ୍ଲେଟ୍ ନଥିବା ଏକ ସନ୍ଦିଗ୍ଧ ବାଇକ୍କୁ ଚିହ୍ନଟ କରିଥିଲା।
- ଗୁପ୍ତଚରଙ୍କ ସୂଚନା ଆଧାରରେ ପୋଲିସ ରାଉ ଅଞ୍ଚଳର ଗ୍ଲେମର ହିଲ୍ସ କଲୋନୀରେ ଚଢ଼ାଉ କରି ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା।
- ଗିରଫ ଅଭିଯୁକ୍ତମାନେ ହେଲେ- ମୁକେଶ କୁମାୱତ (ଉଜ୍ଜୈନ), ଅଜୟ ଧୋଲପୁରିଆ ଏବଂ ଶ୍ରୀରାମ ବଲାଇ (ଉଭୟ ଦେୱାସ ଜିଲ୍ଲାର)।
- ପଚରାଉଚରା ବେଳେ ମୁଖ୍ୟ ଅଭିଯୁକ୍ତ ମୁକେଶ ସ୍ୱୀକାର କରିଥିଲା ଯେ, ମୃତକଙ୍କ ପତ୍ନୀଙ୍କ ସହ ତାର ଅବୈଧ ସମ୍ପର୍କ ଏବଂ ପୁରୁଣା ଶତ୍ରୁତା କାରଣରୁ ସେମାନେ ୩ ବର୍ଷ ଧରି ନବୀନଙ୍କୁ ହତ୍ୟା କରିବାକୁ ଷଡ଼ଯନ୍ତ୍ର ରଚୁଥିଲେ।
ପତ୍ନୀ ବି ଷଡ଼ଯନ୍ତ୍ରରେ ସାମିଲ
ଏହି ହତ୍ୟାକାଣ୍ଡରେ ମୃତକ ନବୀନଙ୍କ ପତ୍ନୀ ଭାରତୀଙ୍କର ମଧ୍ୟ ସମ୍ପୃକ୍ତି ଥିବା ପୋଲିସ ଜାଣିବାକୁ ପାଇଛି। ପୋଲିସ ତାଙ୍କୁ ହେପାଜତକୁ ନେଇ ଅଧିକ ପଚରାଉଚରା କରୁଛି।
ମୁଖ୍ୟ ଅଭିଯୁକ୍ତ ମୁକେଶ କୁମାୱତ ଉଜ୍ଜୈନର ଜଣେ ଲିଷ୍ଟେଡ୍ ଅପରାଧୀ। ତାଙ୍କ ନାମରେ ପୂର୍ବରୁ ହତ୍ୟା, ହତ୍ୟା ଉଦ୍ୟମ, ବେଆଇନ ଅସ୍ତ୍ରଶସ୍ତ୍ର ରଖିବା ଏବଂ ମାରପିଟ୍ ଭଳି ଅନେକ ସଙ୍ଗୀନ ମାମଲା ରହିଛି। ଅନ୍ୟ ଅଭିଯୁକ୍ତଙ୍କର ମଧ୍ୟ ଅପରାଧିକ ରେକର୍ଡ ରହିଛି। ଏହି ଘଟଣାରେ ସମ୍ପୃକ୍ତ ଥିବା ଉଜ୍ଜୈନର ରାହୁଲ ଉଇକେ ନାମକ ଅନ୍ୟ ଜଣେ ଅଭିଯୁକ୍ତ ଏବେ ବି ଫେରାର ଅଛନ୍ତି। ପୋଲିସ ତାଙ୍କୁ ଧରିବା ପାଇଁ ପ୍ରୟାସ ଜାରି ରଖିବା ସହ ପୂରା ଘଟଣାର ଅଧିକ ଖୋଳତାଡ଼ କରୁଛି।




