ଆମେରିକାର ଟାରିଫ୍ ମାଡକୁ ନେଇ ଭାରତର ନୂଆ ପଦକ୍ଷେପ। ମୁକାବିଲା ପାଇଁ ଭାରତର ରଣନୀତି ଆରମ୍ଭ। ବିଦେଶୀ ରାଷ୍ଟ୍ରଙ୍କ ସହ ହୋଇଛି ଆଲୋଚନା ଜାରି।
ବୁଧବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ବିରୁଦ୍ଧରେ ଟାରିଫ୍କୁ ୨୫ ପ୍ରତିଶତରୁ ୫୦ ପ୍ରତିଶତକୁ ବୃଦ୍ଧି କରିଛନ୍ତି। ଭାରତ ବିରୁଦ୍ଧରେ ଆମେରିକାର ଏହି ନୂଆ ଟାରିଫ୍ ଅଗଷ୍ଟ ୨୭ ତାରିଖରୁ କାର୍ଯ୍ୟକାରୀ ହେବ। ଭାରତ ଆମେରିକାର ଏହି ପଦକ୍ଷେପକୁ ‘ଅନୁଚିତ’ ଏବଂ ‘ଅଯୁକ୍ତିକର’ ବୋଲି କହିଛି। ଭାରତ କହିଛି ଯେ ଆମେରିକାର ଟାରିଫ୍ ଭାରତୀୟ ରପ୍ତାନି ଏବଂ ଆର୍ଥିକ ପ୍ରଗତି ଉପରେ ବଡ଼ ପ୍ରଭାବ ପକାଇପାରେ। ଭାରତ ପ୍ରତିବର୍ଷ ଆମେରିକାକୁ ପ୍ରାୟ ୭.୨ ଲକ୍ଷ କୋଟି ଟଙ୍କା ମୂଲ୍ୟର ସାମଗ୍ରୀ ରପ୍ତାନି କରେ।
ଆମେରିକା ହେଉଛି ଭାରତର ସବୁଠାରୁ ବଡ଼ ରପ୍ତାନି ବଜାର। ଭାରତ ଏହାର ୧୮ ପ୍ରତିଶତ ସାମଗ୍ରୀ ଆମେରିକା ବଜାରକୁ ରପ୍ତାନି କରେ। ଏହା ଭାରତର GDPର ୨.୨ ପ୍ରତିଶତ। ୫୦ ପ୍ରତିଶତ ଶୁଳ୍କ ଲାଗୁ ହେଲେ ଭାରତର GDP ୦.୨ ରୁ ୦.୪ ପ୍ରତିଶତ ହ୍ରାସ ପାଇପାରେ।ଏହାର କିନ୍ତୁ ମୁକାବିଲା ପାଇଁ ଆମେରିକା ମୁହଁରେ ଚାପୁଡା ମାରି ଭାରତ ନୂଆ ରଣନୀତି ଆରମ୍ଭ କରିଛି। ଦେଶବାସୀଙ୍କ ସ୍ୱାର୍ଥ ସହ କୌଣସି ପ୍ରକାର ବୁଝାମଣା କରାଯିବ ନାହିଁ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରୋକ୍ ଠୋକ୍ କହିବା ସହ ବିଦେଶୀ ରାଷ୍ଟ୍ରଙ୍କ ସହ ଆଲୋଚନା ଆରମ୍ଭ କରିଛନ୍ତି।
ମୋଦୀ ବ୍ରାଜିଲ୍ ରାଷ୍ଟ୍ରପତି ଲୁଲା ଡି ସିଲ୍ଭାଙ୍କ ସହ କଥା ହୋଇଛନ୍ତି। ଦ୍ୱିପାକ୍ଷିକ ବାଣିଜ୍ୟ, ବୈଷୟିକ, ଶକ୍ତି, ପ୍ରତିରକ୍ଷା, କୃଷି ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ସମ୍ପର୍କ ଦୃଢ଼ କରିବାକୁ ଦୁଇ ଦେଶ ରାଜି ହୋଇଛନ୍ତି। କେବଳ ଏତିକି ନୁହେଁ, ପାରମ୍ପରିକ ବନ୍ଧୁ ରାଷ୍ଟ୍ର ରୁଷ୍ ସହିତ ଚୀନ ସହ ମଧ୍ୟ ଭାରତ ସମ୍ପର୍କ ବଢ଼ାଉଛି। ନିକଟରେ ଭାରତର ବୈଦେଶିକ ବ୍ୟାପାର ଓ ପ୍ରତିରକ୍ଷା ମନ୍ତ୍ରୀ ଚୀନ ଯାଇ ଦ୍ୱିପାକ୍ଷିକ ସମ୍ପର୍କ ବୃଦ୍ଧି ନେଇ ଆଲୋଚନା କରିଛନ୍ତି।
Also Read
ଚଳିତବର୍ଷ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାରତ ଆସିବାର ସମ୍ଭାବନା ଅଛି। ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଖୁବଶୀଘ୍ର ଚୀନ୍ ଗସ୍ତ କରିବେ। ବ୍ରାଜିଲ ସମେତ ଅନ୍ୟ ବ୍ରିକ୍ସ ରାଷ୍ଟ୍ର ଏବଂ ବିଭିନ୍ନ ବିକାଶଶୀଳ ରାଷ୍ଟ୍ରଙ୍କ ସହ ଦ୍ୱିପାକ୍ଷିକ ସମ୍ପର୍କ ବଢ଼ାଇବା ପାଇଁ ଭାରତ ଚେଷ୍ଟା କରୁଛି।




