Heavy Rain: ବର୍ଷାରେ କଲବଲ ଦିଲ୍ଲୀରୁ ହିମାଚଳ, ରାଜରାସ୍ତାରେ ଲହଡି ଭାଙ୍ଗୁଛି ପାଣି

heavy-rain:-ବର୍ଷାରେ-କଲବଲ-ଦିଲ୍ଲୀରୁ-ହିମାଚଳ,-ରାଜରାସ୍ତାରେ-ଲହଡି-ଭାଙ୍ଗୁଛି-ପାଣି

ପ୍ରବଳ ବର୍ଷାରେ ଦିଲ୍ଲୀ-ଏନସିଆର ଓ ମୁମ୍ବାଇ ସମେତ ପଞ୍ଜାବ, ହିମାଚଳ ପ୍ରଦେଶ ଏବଂ ଉତ୍ତରାଖଣ୍ଡ ଓ ଉତ୍ତର ପ୍ରଦେଶରେ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡିଛି। ହିମାଚଳ ପ୍ରଦେଶରେ ପୋଲ ଭୁଶୁଡି ପଡିଛି। କେତେକ ଅଞ୍ଚଳ ବାହ୍ୟ ଜଗତରୁ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇ ଯାଇଛି।

ଗୁରୁବାର ଦିନ ପ୍ରବଳ ବର୍ଷା ହେବା ଫଳରେ ଦିଲ୍ଲୀ-ଏନସିଆର, ଉତ୍ତର ଭାରତର କିଛି ଅଞ୍ଚଳ ଏବଂ ମୁମ୍ବାଇରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ଜାତୀୟ ରାଜଧାନୀ ଦିଲ୍ଲୀ ପାଇଁ ରେଡ ଆଲର୍ଟ ଜାରି କରାଯାଇଛି। ଦିଲ୍ଲୀରେ ରାଜରାସ୍ତାଗୁଡ଼ିକ ଜଳମଗ୍ନ ହୋଇଛି। ସେହିପରି ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତୀୟ (ଆଇଜିଆଇ) ବିମାନବନ୍ଦର ଏକ ଅପଡେଟରେ କହିଛି ଯେ ଉଡ଼ାଣ କାର୍ଯ୍ୟକ୍ରମ ସାଧାରଣ ରହିଛି। ବିମାନବନ୍ଦରର ପରାମର୍ଶ ଅନୁଯାୟୀ, “ଦିଲ୍ଲୀରେ ପାଗ ଖରାପ ରହିଛି। ତଥାପି, ବର୍ତ୍ତମାନ ଉଡ଼ାଣ କାର୍ଯ୍ୟକ୍ରମ ସାଧାରଣ ରହିଛି।”

ଦିଲ୍ଲୀ-ଏନସିଆର, ଚଣ୍ଡୀଗଡ଼, ପଞ୍ଜାବ, ହିମାଚଳ ପ୍ରଦେଶ ଏବଂ ଉତ୍ତରାଖଣ୍ଡରେ ଆଗାମୀ ଦିନମାନଙ୍କରେ ଆହୁରି ବର୍ଷା ହେବାର ପୂର୍ବାନୁମାନ ରହିଛି। ଦିଲ୍ଲୀ, ନୋଏଡା ଓ ଗୁରୁଗ୍ରାମରେ ଦିନ ସାରା ହାଲୁକାରୁ ମଧ୍ୟମ ବର୍ଷା ହେବାର ସମ୍ଭାବନା ରହିଛି। ଆର୍ଥିକ ରାଜଧାନୀ ମୁମ୍ବାଇରେ ମଧ୍ୟ ଗୁରୁବାର ପ୍ରବଳ ବର୍ଷା ହୋଇଛି। ପାଣିପାଗ ବିଭାଗ ଆଜି ମୁମ୍ବାଇ ପାଇଁ ଏକ ୟେଲୋ ଆଲର୍ଟ ଜାରି କରିଛି।

ଉତ୍ତର ପ୍ରଦେଶର ଲକ୍ଷ୍ନୌ ଏବଂ ମେରଠରେ ମଧ୍ୟ ସକାଳୁ ପ୍ରବଳ ବର୍ଷା ହୋଇଛି ଏବଂ ଅନେକ ଜିଲ୍ଲାରେ ସ୍କୁଲ ବନ୍ଦ ରହିଛି। ପାଣିପାଗ ବିଭାଗ କନୌଜ, ମୋରାଦାବାଦ, ବରେଲୀ ଏବଂ ଝାନ୍ସୀ ସମେତ ୫୮ଟି ଜିଲ୍ଲା ପାଇଁ ପ୍ରବଳ ବର୍ଷା ଆଲର୍ଟ ଜାରି କରିଛି।

Also Read

ଉତ୍ତରାଖଣ୍ଡରେ ମଧ୍ୟ ବର୍ଷାର ତୀବ୍ରତା ବୃଦ୍ଧି ପାଇଛି, ଏବଂ ଧରାଲୀରେ ପ୍ରବଳ ବର୍ଷା ହୋଇଛି। ସମଗ୍ର ଉତ୍ତରାଖଣ୍ଡ ପାଇଁ ଏକ ଅରେଞ୍ଜ ଆଲର୍ଟ ଜାରି ହୋଇଥିବା ବେଳେ, କିଛି ଅଞ୍ଚଳ ପାଇଁ ରେଡ ଆଲର୍ଟ ରହିଛି। ପିଥୋରାଗଡ଼, ଉତ୍ତରକାଶୀ, ହରିଦ୍ୱାର, ଟେହରୀ ଏବଂ ଦେହରାଦୂନରେ ସମସ୍ତ ସ୍କୁଲ ଗୁରୁବାର ବନ୍ଦ ରହିଛି

ତେବେ ବର୍ଷାରେ ସବୁଠୁ କ୍ଷତିଗ୍ରସ୍ତ ହୋଇଛି ହିମାଚଳ ପ୍ରଦେଶ। ରାଜ୍ୟରେ ବୁଧବାରଠାରୁ ନୂଆ ବାଦଲ ଫଟା ଓ ଆକସ୍ମିକ ବନ୍ୟା ପରେ ଶିମଲା ଓ ଲାହୁଲ ସ୍ପିଟି ଜିଲ୍ଲାରେ ଅନେକ ପୋଲ ଭୁଶୁଡି ପଡିଛି। ରାଜ୍ୟରେ ମୋଟ ୩୨୫ଟି ରାସ୍ତା NH-305 ଓ NH-505 ରାଜରାସ୍ତା ବନ୍ଦ ରହିଛି। କେବଳ ମଣ୍ଡିରେ ୧୭୯ଟି ରାସ୍ତା ଓ କୁଲୁରେ ୭୧ଟି ରାସ୍ତା ବନ୍ଦ ହୋଇଛି। ପୋଲ ଭୁଶୁଡି ପଡିବାରୁ ଶିମଲାର କୁଟ ଓ କ୍ୟାଭ ପଞ୍ଚାୟତ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଛି। ଲାହୁଲ ଓ ସ୍ପିଟି ଜିଲ୍ଲାରେ ମଧ୍ୟ ଦୁଇଟି ପୋଲ ଭାଙ୍ଗିଛି। ବନ୍ୟାରେ କେତେକ ସ୍ଥାନରେ ଘର ମଧ୍ୟ ଭାଙ୍ଗି ଯାଇଛି। କେତେକ ଅଞ୍ଚଳରେ ପ୍ରବଳ ବର୍ଷା ପାଇଁ ଅରେଞ୍ଜ ଆଲର୍ଟ ଜାରି କରିଛି ଏବଂ ଶୁକ୍ରବାରଠାରୁ ରବିବାର ପର୍ଯ୍ୟନ୍ତ ଚାରିରୁ ଛଅଟି ଜିଲ୍ଲାରେ ପ୍ରବଳ ବର୍ଷା ପାଇଁ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ।

ଅଧିକ ପଢନ୍ତୁ: ଲଘୁଚାପ ଆଣୁଛି ବଡ଼ ବର୍ଷା, ସାରା ରାଜ୍ୟରେ ପ୍ରବଳ ବର୍ଷିବ

ଓଟିଭି ହ୍ଵାଟ୍ସଅପ

Scroll to Top