H

h

ଟପ୍ ମାଓନେତା ହିଡମା ସଫା। ଆଜି ଭୋରରୁ ଆନ୍ଧ୍ର ପ୍ରଦେଶ ଗ୍ରେ ହାଉଣ୍ଡଙ୍କ ଗୁଳିରେ ଟଳିଛି 25ରୁ ଅଧିକ ଜଘନ୍ୟ ଆନ୍ତରାଜ୍ୟ ମାଓ ନରସଂହାରରେ ସଂପୃକ୍ତ ଥିବା ଟପ୍ ମାଓ ନେତା ହିଡମା। ପତ୍ନୀ ରାଜେ ସହ ଅନ୍ୟ 4 କ୍ୟାଡର ମାଓବାଦୀ ବି ସଫା ହୋଇଛନ୍ତି।

author-image

HIDMA-KILLED

HIDMA-KILLED Photograph: (OTV)

ଟପ୍ ମାଓନେତା ହିଡମା ସଫା। ଆଜି ଭୋରରୁ ଆନ୍ଧ୍ର ପ୍ରଦେଶ ଗ୍ରେ ହାଉଣ୍ଡଙ୍କ ଗୁଳିରେ ଟଳିଛି 25ରୁ ଅଧିକ ଜଘନ୍ୟ ଆନ୍ତରାଜ୍ୟ ମାଓ ନରସଂହାରରେ ସଂପୃକ୍ତ ଥିବା ଟପ୍ ମାଓ ନେତା ହିଡମା। ପତ୍ନୀ ରାଜେ ସହ ଅନ୍ୟ 4 କ୍ୟାଡର ମାଓବାଦୀ ବି ସଫା ହୋଇଛନ୍ତି। ଛତିଶଗଡରେ ବ୍ୟାପକ ମାଓ ବିରୋଧୀ ଅଭିଯାନ ପରେ ଆନ୍ଧ୍ର ପଳାଯାଉଥିବା ବେଳେ ଗ୍ରେ ହାଉଣ୍ଡ ଯବାନଙ୍କୁ ମୁକାବିଲା କରି ନପାରି ଶେଷରେ ନିହତ ହୋଇଛି କୋଟିଏ ଟଙ୍କାର ପୁରସ୍କାର ଘୋଷଣା ଥିବା ମାଓ ନେତା ମାଡଭି ହିଡମା।…

ମାଓବାଦ ମୂଳପୋଛ ଦିଗରେ ସୁରକ୍ଷା ବାହିନୀକୁ ଆଉ ଏକ ବିରାଟ ସଫଳତା। ଲାଲ ବାହିନୀର କଳ, ବଳ ଓ କୌଶଳକୁ ଶକ୍ତ ଧକ୍କା। କୁଖ୍ୟାତ ତଥା ଦୁର୍ଦ୍ଦଶ ମାଓବାଦୀ ନେତା ହିଡିମା ମାଡଭି ଓରଫ୍ ସନ୍ତୋଷ ଏକଦମ୍ ସଫା। ସମୟ ମଙ୍ଗଳବାର ମଧ୍ୟରାତ୍ରୀ। ଛତିଶଗଡ଼ ସୁକମା ଜିଲ୍ଲାସୀମାନ୍ତ ଜଙ୍ଗଲରୁ ଆନ୍ଧ୍ର ପ୍ରଦେଶର ଆଲୁରୀ ସିତାରାମ ରାଜୁ ଜିଲ୍ଲାର ଘଞ୍ଚ ମାରେଡମିଲି ଜଙ୍ଗଲରେ 6 ଜଣ ମାଓବାଦୀ ପ୍ରବେଶ କରୁଥିବା ସୂଚନା ପାଇଥିଲା ଆନ୍ଧ୍ର୍ ଗ୍ରେ ହାଉଣ୍ଡ୍।

ଏପଟେ ହିଡମାକୁ କାବୁ କରିବାକୁ ପୂର୍ବରୁ ଜାଲ ବିଛାଇ ସାରିଥିଲେ 4 ଜିଲ୍ଲାର ସୁରକ୍ଷା ବାହିନୀ। ମାରେଡମିଲିର ଦୁର୍ଗମ ଜଙ୍ଗଲରେ ପତ୍ନୀ ରାଜି ଓ ଅନ୍ୟ 4 ସାଥୀ ମାଓବାଦୀଙ୍କ ଖସି ଯାଉଥିବା ବେଳେ ଆକ୍ରମଣ କରିଥିଲେ ଆନ୍ଧ୍ର ଗ୍ରେ ହାଉଣ୍ଡ୍। ହିଡମା ଟିମ ବି ପାଲାଟା ଯବାବ ଦେଇଥିଲା। ପ୍ରାୟ ଅଧଘଣ୍ଟାର ଗୁଳି ବିନିମୟ ପରେ ଶେଷରେ ଗ୍ରେ ହାଉଣ୍ଡର ଗର୍ଜୁଥିବା ବନ୍ଧୁକ ଆଗରେ ଆଉ ବେଶୀ ସମୟ ତିଷ୍ଠି ପାରିନଥିଲା ହିଡମା। ପତ୍ନୀ ଓ 4 ସାଥୀଙ୍କ ସହ ସେଇଠି ଟଳି ପଡ଼ିଥିଲା। ହିଡମା ସହ ସଫା ହୋଇଥିବା ଅନ୍ୟ ମାଓବାଦୀଙ୍କ ମଧ୍ୟରେ ମାଓ କମାଣ୍ଡର ଚେଲୁରୀ ନାରାୟଣ ରାଓ ଓରଫ୍ ଆଜାଦ ଓ ଟେକ୍ ଶଙ୍କର ମଧ୍ୟ ଥିବା କୁହାଯାଉଛି। ଗ୍ରେ ହାଉଣ୍ଡ ଟିମ୍ ଘଟଣାସ୍ଥଳରୁ ଦୁଇଟି ଏକେ 47 ବନ୍ଧୁକ ସହ ଆଉ କିଛି ଅସ୍ତ୍ରଶସ୍ତ୍ର ଜବତ କରିଛି।…

କିଏ ଏହି ହିଡମା ?

ଛତିଶଗଡ଼ ସୁକମା ଜିଲ୍ଲାର ମୂଳ ନିବାସୀ ହିଡମା ଥିଲା ମାଓବାଦୀଙ୍କ ଘାତକ ଆକ୍ରମଣ ପାଇଁ ପରିଚିତ ପିପୁଲ୍ସ ଲିବରେସନ୍ ଗରିଲା ଆର୍ମୀ ବା PLGA ବାଟାଲିୟନ 1ର ମୁଖ୍ୟ। ଖୁବ୍ କମ ବୟସରେ ସେ ହୋଇଥିଲା ସିପିଆଇ କେନ୍ଦ୍ରୀୟ କମିଟିର ସଦସ୍ୟ। ପରେ ସେ ଦଣ୍ଡକାରଣ୍ୟ ସ୍ପେଶାଲ ଜୋନାଲ କମିଟିର ସଦସ୍ୟ ଭାବେ କାର୍ଯ୍ୟ କରି ସୁରକ୍ଷା ବାହିନୀ ଉପରେ ଏକାଧିକ ଆକ୍ରମଣର ବ୍ଲୁ ପ୍ରିଣ୍ଟ୍ ପ୍ରସ୍ତୁତ କରୁଥିଲା।

ଗରିଲା ଯୁଦ୍ଧରେ ମାହିର ଥିବା ହିଡମା ଗଲା ଦୁଇ ଦଶନ୍ଧି ଭିତରେ ଦେଶରେ ଘଟିଥିବା ବହୁ ବଡ଼ ବଡ଼ ଆନ୍ତଃରାଜ୍ୟ ମାଓ ହମଲାରେ ମୁଖ୍ୟ ଭୂମିକା ତୁଲାଉଥିଲା। 2017 ସୁକମା ଆକ୍ରମଣ, 2013ରେ ଛତିଶଗଡ଼ର କଂଗ୍ରେସ ନେତାଙ୍କୁ ମିଶାଇ 27 ଜଣଙ୍କୁ ହତ୍ୟା କରାଯାଇଥିିବା ଝିରମ୍ ଉପତ୍ୟକା ନରସଂହାର, 2010ରେ 76 ସିଆରପିଏଫ୍ ଯବାନଙ୍କ ହତ୍ୟା କରାଯାଇଥିବା ଦାନ୍ତେୱାଡ଼ା ବର୍ବରତା ଏବଂ 2021 ସୁକମା-ବିଜାପୁର ଏନକାଉଣ୍ଟରରେ 22 ସୁରକ୍ଷାକର୍ମୀଙ୍କୁ ହତ୍ୟା ମାମଲାରେ ଥିଲା ହିଡମାର ସଂପୃକ୍ତି। ଏଥିପାଇଁ ଛତିଶଗଡ଼, ଆନ୍ଧ୍ର, ଓଡ଼ିଶା, ତେଲେଙ୍ଗାନା ଓ ମହାରାଷ୍ଟ୍ର ପୋଲିସ ପାଇଁ ହିଡମା ଥିଲା ମୋଷ୍ଟ ୱାଣ୍ଟେଡ୍। ତା ମୁଣ୍ଡ ପାଇଁ ସରକାର ଘୋଷଣା କରିଥିଲେ କୋଟିଏ ଟଙ୍କାର ପୁରସ୍କାର।…

ଆସନ୍ତା 2026 ମାର୍ଚ୍ଚ 31 ସୁଦ୍ଧା ଦେଶକୁ ମାଓ ମୁକ୍ତ କରିବାକୁ ଆହ୍ବାନ ଦେଇଛନ୍ତି କେନ୍ଦ୍ର ସରକାର। ସେହି ଆଧାରରେ ଏବେ ଦେଶବ୍ୟାପୀ ଜୋରଦାର ମାଓବାଦ ବିରୋଧୀ ଅଭିଯାନ ଚାଲିଥିବାରୁ ଟଳୁଛନ୍ତି ଜଣକ ପରେ ଜଣ ଟପ୍ ମାଓନେତା।…

Scroll to Top