H

h

ଦେଶରେ କମୁଛି ରାଜ୍ୟରେ ବଢୁଛି ମାନବ ଚାଲାଣ। ଯାହାକୁ ନେଇ ଚିନ୍ତାରେ ଓଡ଼ିଶା ପୋଲିସ। ଏବର୍ଷ ଫେବୃଆରୀ ୨୪ରୁ ଅଗଷ୍ଟ ୨୨ ମଧ୍ୟରେ ୯୦୨୫ ଉଦ୍ଧାର। ମାନବ ଚାଲାଣ ରୋକିବା ନେଇ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ।

author-image

Human Trafficking

Human Trafficking Photograph: (OTV)

ମାନବ ଚାଲାଣ (Human Trafficking)କୁ ନେଇ ଚିନ୍ତାରେ ଓଡ଼ିଶା ପୋଲିସ। କାରଣ ଦେଶରେ କମୁଛି, ରାଜ୍ୟରେ ବଢୁଛି। ମାନବ ଚାଲାଣ ରୋକିବା ପାଇଁ ଘନ ଘନ ବୈଠକ। ପୋଲିସ ପକ୍ଷରୁ ସ୍ପେଶାଲ ଟିମ ଗଠନ କରାଯିବା ସହ ମାନବ ଚାଲାଣ ରୋକିବା ନେଇ ବ୍ଲୁ ପ୍ରିିଣ୍ଟ ପ୍ରସ୍ତୁତ। ଦାଦନ ଶ୍ରମିକ ଚାଲାଣ ରୋକିବା, ମହିଳାଙ୍କୁ ସେକ୍ସ ରାକେଟ ପାଇଁ ବାହାର ରାଜ୍ୟ ଓ ବିଦେଶକୁ ଚାଲାଣ ସହ ଶିଶୁ ଚୋରା ଚାଲାଣକୁ କିଭଳି ରୋକା ଯାଇପାରିବ ତାକୁ ନେଇ ରାଜ୍ୟ ପୋଲିସ ଭବନରେ ହୋଇଛି ମାନସମନ୍ଥନ।
କଟକ ଜିଲ୍ଲା ବୈଦେଶ୍ବର ଥାନା ପରିସରରେ ନିଜ ଝିଅ ଫଟୋ ଧରି ଛିଡା ହୋଇଛନ୍ତି ମୋହନ ଚନ୍ଦ୍ର ସିଂହ । ବାଙ୍କୀ ବ୍ଲକ୍ ଜୟମଙ୍ଗଳ ଗାଁର ମୋହନଙ୍କ ୩୦ ବର୍ଷୀୟା ବିଧବା ଝିଅ ଗଲା ୫ ମାସ ହେବ ନିଖୋଜ ହୋଇଯାଇଛନ୍ତି । ଏ  ନେଇ ସେ ଥାନାରେ ଅଭିଯୋଗ ବି କରିଛନ୍ତି । ଝିଅର ସନ୍ଧାନ ପାଇବା ପାଇଁ ସବୁଦିନ ଥାନାକୁ ଦୌଡୁଛନ୍ତି । ହେଲେ ଏ ପର୍ଯ୍ୟନ୍ତ କୌଣସି ଖବର ମିଳୁନାହିଁ । ଝିଅକୁ ଚାଲାଣ କରି ଦିଆଯାଇଥିବା ସେ ସନ୍ଦେହ କରୁଛନ୍ତି । ଏଣେ ପୁରୀ ଜିଲା ଡେଲାଙ୍ଗ ଥାନାରେ ପିପିଲି ଏସଡିପିଓଙ୍କ ସହ ଚାଲିଛି କୁଞ୍ଜର ଗାଁ ଲୋକଙ୍କ ଯୁକ୍ତିତର୍କ (ଆମ୍ବିଆନ୍ସ)। ଗାଁର ଦୁଇ ନାବାଳକ ଭାଇ ଗଲା ମାସ ୩୦ ତାରିଖରୁ ନିରୁଦ୍ଦିଷ୍ଟ  ହୋଇଯାଇଥିଲେ ହେଁ ସେମାନଙ୍କ ଏ ପର୍ଯ୍ୟନ୍ତ ଖୋଜ୍ ଖବର ମିଳିପାରିନାହିଁ । ପୋଲିସ ତଦନ୍ତରେ ଶିଥିଳତା ଅଭିଯୋଗ କରି ଗ୍ରାମବାସୀ ଥାନାରେ ଧାରଣା ଦେଇଛନ୍ତି । ଖାଲି ଏତିକି ନୁହେଁ ନିକଟରେ ଜଣେ ଝାଡଖଣ୍ଡର ନାବାଳିକାଙ୍କୁ ରାଜଧାନୀ ଭୁବନେଶ୍ବରର ଆଣି ସେକ୍ସ ରାକେଟରେ ନିୟୋଜିତ କରାଯାଇଥିଲା ।  ଘଟଣା ସାମ୍ନାକୁ ଆସିବା ପରେ ଏବେ ଚାଲିଛି ତନାଘନା । 
ରାଜ୍ୟ ତଥା ରାଜ୍ୟ ବାହାରେ ଏଭଳି ମାନବ ଚାଳାଣକୁ ନେଇ ଉଦବେଗ ପ୍ରକାଶ ପାଇଥିବା ବେଳେ ଏହାକୁ ରୋକିବା ଲାଗି ଏଣେ ଚାଲିଛି ମାନସ ମନ୍ଥନ । ଭୁବନେଶ୍ବର ପୋଲିସ ଭବନରେ ଏ ନେଇ ରାଜ୍ୟସ୍ତରୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଛି । ମାନବ ଚାଳାଣ ରୋକିବା ଲାଗି ରାଜ୍ୟଗୁଡିକ ସହ ସମନ୍ୱୟ ରକ୍ଷା, ପ୍ରଯୁକ୍ତି ବିଦ୍ୟାର ବ୍ୟବହାର, ଡିଜିଟାଲ ଟ୍ରାକିଂ, ଡାଟା ଅନାଲିସିସ ଉପରେ ଏଥିରେ ଗୁରୁତ୍ୱାରୋପ କରାଯାଇଛି । ମୁଖ୍ୟତଃ ଶ୍ରମିକ ଚାଲାଣକୁ ରୋକିବା ପାଇଁ ପୁନର୍ବାସ ଆଇନ ଯୋଗାଇଦେବାରେ ଏନଜିଓର ଭୂମିକା ସମ୍ପର୍କରେ ଆଲୋଚନା ହୋଇଛି ।
ସେପଟେ ମାନବ ଚାଲାଣ ବିଶେଷ କରି ନାବାଳିକା ଓ ମହିଳା ଚାଳାଣ ରୋକିବା ଦିଗରେ ରାଜ୍ୟ ପୋଲିସ ମଧ୍ୟ ଆରମ୍ଭ କରିଛି ଅପରେସନ୍ ଅନ୍ବେଷଣ । ଡିଜିପି ୱାଇ.ବି. ଖୁରାନିଆଙ୍କ ନିର୍ଦ୍ଦେଶ କ୍ରମେ ହୋଇଥିବା ଏହି  ଅପରେସନ ଅନ୍ୱେଷଣର ଉଦ୍ଦେଶ୍ୟ ଥିଲା ନିଖୋଜ ନାବାଳିକା ଓ ମହିଳାଙ୍କୁ ଉଦ୍ଧାର କରିବା । ଚଳିତ ବର୍ଷ ଫେବୃଆରୀ ୨୪ ରୁ ଅଗଷ୍ଟ ୨୨ ମଧ୍ୟରେ ସମୁଦାୟ ୧୩୧ ଜଣ ପୁଅ, ୧ ହଜାର ୭୮ ଜଣ ଝିଅ, ୧୨ ଶହ ୯ ଜଣ ଶିଶୁ ଓ ୬ ହଜାର ୬ ଶହ ୭ ଜଣ ମହିଳାଙ୍କୁ ଉଦ୍ଧାର କରାଯାଇଛି ଥିବା ଜଣାପଡିଛି ।
ସେହିପରି ଦାଦନ ଚାଲାଣ ରୋକିବ ଲାଗି ମଧ୍ୟ କଡା ନିର୍ଦ୍ଦେଶ ଦେଇଛନ୍ତି ଡିଜିପି। କଳାହାଣ୍ଡି, ବଲାଙ୍ଗୀର, ନବରଙ୍ଗପୁର, ରାୟଗଡ଼ା ଓ ନୂଆପଡ଼ା ଭଳି ଜିଲ୍ଲାରୁ ପ୍ରତ୍ୟେକ ବର୍ଷ ଦାଦନ ଶ୍ରମିକ ଚାଲାଣ ହେଉଛି। ତେଣୁ ଏହା ଉପରେ କଡା ନଜର ରଖିବା ସହ ଦଲାଲଙ୍କ ଉପରେ କଠୋର ଆକ୍ସନ ନେବାକୁ ଏହି ଜିଲ୍ଲାର ଏସପିଙ୍କୁ କୁହାଯାଇଛି। 

Scroll to Top