Government Neglect: ସାତ ସପନ ସରକାରୀ ସୁବିଧା: ନାହିଁ ପୋଲ, ଅନ୍ଧାରରେ ସାରା ଗାଁ

government-neglect:-ସାତ-ସପନ-ସରକାରୀ-ସୁବିଧା:-ନାହିଁ-ପୋଲ,-ଅନ୍ଧାରରେ-ସାରା-ଗାଁ

ଠୁରକାଟୋଲି ଗାଁକୁ ସବୁ ଦିନିଆ ରାସ୍ତା ନାହିଁ କି ବିଜୁଳି ନାହିଁ। ମାତ୍ର ପ୍ରଶାସନର ଏଥିପ୍ରତି ନିଘା ନାହିଁ।

ସୁନ୍ଦରଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ନୂଆଗାଁ ପଞ୍ଚାୟତ ଅନ୍ତର୍ଗତ ଗୋପୁର ସଂଲଗ୍ନ ଠୁରକାଟୋଲି ଗାଁ। ସ୍ୱାଧୀନତାର ୭୯ ବର୍ଷ ପରେ ମଧ୍ୟ ଏ ଗାଁକୁ ଆସିଲେ ଲାଗିବ ଏଠି ସରକାର ବୋଲି କିଛି ନାହିଁ। ନାଳ ଉପରେ ପୋଲଟିଏ ନଥିବାରୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି। ଗାଁକୁ ସବୁଦିନିଆ ରାସ୍ତା ନାହିଁ। ଫଳରେ ଗାଁକୁ ଆସିପାରୁନି ଆମ୍ବୁଲାନ୍ସ। ଫଳରେ ରୋଗୀକୁ ଖଟିଆରେ ବୋହିବାକୁ ପଡ଼େ।

ଠୁରକାଟୋଲି ଗାଁରେ ବସବାସ କରନ୍ତି ୧୫ରୁ ଅଧିକ ପରିବାର। ମାସକ ତଳେ ଗାଁର ଟ୍ରାନ୍ସଫର୍ମରଟି ପୋଡ଼ି ଯିବା ପରେ, ସେବେଠୁ ଆଉ ମରାମତି ହୋଇନି। ଫଳରେ ସାରା ଗାଁ ଏବେ ଅନ୍ଧାରରେ ରହୁଛି। ରାତି ଅନ୍ଧାରରେ ସାପ, ବିଛା ଓ ହାତୀକୁ ଡର। ଅନ୍ଧାର ଯୋଗୁ ପିଲାଙ୍କ ପାଠପଢାରେ ଡୋରି ବନ୍ଧା ହୁଏ।

ବର୍ଷା ଦିନେ ନାଳ ପାରି ହେବା ବେଳେ ବାଜି ଲାଗୁଛି ଜୀବନ। ମାତ୍ର ପ୍ରଶାସନର ଏଥିପ୍ରତି ନିଘା ନାହିଁ। ବର୍ଷା ଆସିଲେ ନାଳ ଭରି ଯିବା ଯୋଗୁ ଗାଁକୁ ଏକ ପ୍ରକାର ଯୋଗାଯୋଗ ବିଛିନ୍ନ ହୋଇଯାଏ।

Also Read

ନାଳରେ ପ୍ରବାହିତ ପ୍ରବଳ ପାଣି ସ୍ରୋତରେ ନାଳ ପାରି ହୁଅନ୍ତି ଗାଁ ଲୋକେ। ବୃଦ୍ଧ, ମହିଳା ଓ ପିଲାଙ୍କ ପାଇଁ ଏପରି ବିପଜ୍ଜନକ ଅବସ୍ଥାରେ ନାଳ ପାରି ହେବା ଜିଲ୍ଲା ପ୍ରଶାସନର ବାବୁମାନେ ଜାଣନ୍ତି କି ନାହିଁ କେଜାଣି। ନାଳରେ ଅତ୍ୟଧିକ ପାଣି ଭରିଗଲେ ସ୍କୁଲ ଯାଇ ପାରନ୍ତି ନି ଛାତ୍ରଛାତ୍ରୀ। ଗାଁକୁ ଖଣ୍ଡିଏ ଭଲ ରାସ୍ତା ଓ ନାଳରେ ଏକ ବ୍ରିଜ ତିଆରି ପାଇଁ ୨୫ ବର୍ଷ ହେଲା ସରକାରୀ ସହାୟତାକୁ ଅପେକ୍ଷା କରି ରହିଛନ୍ତି। ଏନେଇ ପଞ୍ଚାୟତ ଓ ବ୍ଲକଠାରୁ ଆରମ୍ଭ କରି ନେତା ମନ୍ତ୍ରୀଙ୍କୁ ଲିଖିତ ଅଭିଯୋଗ କରିଛନ୍ତି। କିନ୍ତୁ କୋଣସି ସୁଫଳ ମିଳିପାରି ନାହିଁ।

ଏହି ସମସ୍ୟା ବିଷୟରେ ଆମେ ନୂଆଗାଁ ବ୍ଲକ ବିଡିଓ ଜ୍ୟୋତି ବିକାଶ ଦାସ କହିଛନ୍ତି ଏହି ସମସ୍ୟା ତାଙ୍କ ନଜରରେ ରହିଛି, ପିଇବା ପାଣି ବ୍ୟବସ୍ଥା ଯେତେ ଶୀଘ୍ର ହୋଇପାରିବ କରାଯିବ।

ତେବେ ଏଠି ପ୍ରଶ୍ନ ଉଠୁଛି ଯେ, ସରକାରୀ ସୁବିଧା କାହା ପାଇଁ, ଏହି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ କାହିକିଁ ଆଜିଯାଏ ପହଁଚି ପାରିନି ସରକାରୀ ସୁବିଧା। ପଞ୍ଚାୟତ, ବ୍ଲକଠୁ ଆରମ୍ଭ କରି ନେତା ମନ୍ତ୍ରୀଙ୍କୁ ନେହୁରା ହୋଇ ଆଶା ହରାଇଲେଣି ଗ୍ରାମ ବାସୀ। କେବେ ରାଜ୍ୟ ସରକାରଙ୍କ ଦୃଷ୍ଟି ଏହି ଗାଁ ଉପରେ ପଡିବ ଦେଖିବାକୁ ବାକି ରହିଲା।

Scroll to Top