Gaganyaan: ଆଉ ପାଦେ ଆଗେଇଲା ଇସ୍ରୋ, ମହାକାଶକୁ ଯିବ ଭାରତର ପ୍ରଥମ ଅର୍ଦ୍ଧମାନବ ରୋବୋଟ୍

gaganyaan:-ଆଉ-ପାଦେ-ଆଗେଇଲା-ଇସ୍ରୋ,-ମହାକାଶକୁ-ଯିବ-ଭାରତର-ପ୍ରଥମ-ଅର୍ଦ୍ଧମାନବ-ରୋବୋଟ୍

ଗଗନୟାନର ଅଂଶ ଭାବରେ “ବ୍ୟୋମମିତ୍ର” ନାମକ ଏକ ଅର୍ଦ୍ଧମାନବ ରୋବୋଟ୍ ମହାକାଶକୁ ଯିବ। ଏହି ମିଶନ କେବଳ ଟେକ୍ନୋଲୋଜିର ପ୍ରଦର୍ଶନ ନୁହେଁ, ବରଂ ଭାରତର ସ୍ୱପ୍ନ ଏବଂ ଆତ୍ମବିଶ୍ୱାସର ଏକ ଉଡ଼ାଣ।

ମଣିଷ ଜାଗାରେ ରୋବୋଟ୍। ମହାକାଶ ଯିବ ହାଫ୍-ହ୍ୟୁମାନାଏଡ୍। ଶେଷ ପର୍ଯ୍ୟାୟରେ ଗଗନୟାନ ମିଶନ। ଏମିତି କହିଛନ୍ତି ଇସ୍ରୋ ମୁଖ୍ୟ ଭି. ନାରାୟଣନ୍। ସେ କହିଛନ୍ତି ଯେ “ବ୍ୟୋମମିତ୍ର” ନାମକ ଏକ ଅର୍ଦ୍ଧମାନବ ରୋବୋଟ୍ ଏହି ଡିସେମ୍ବରରେ ଗଗନୟାନର ପ୍ରଥମ ଅନକ୍ରୁଡ୍ ଟେଷ୍ଟ୍ ମିଶନ ପରିଚାଳନା କରିବ। ଏହି ମିଶନକୁ G1 କୁହାଯିବ। “ବ୍ୟୋମମିତ୍ର” କେବଳ ଏକ ରୋବୋଟ୍ ନୁହେଁ, ବରଂ ମହାକାଶ ଯାତ୍ରା ପାଇଁ ଭାରତର ପ୍ରଥମ ରାଷ୍ଟ୍ରଦୂତ ହେବ।

ଏହି ମିଶନ କହିବ ଯେ, ମହାକାଶ ଯାତ୍ରା ପାଇଁ ଭାରତ କେତେ ପ୍ରସ୍ତୁତ। ଏହାର ଉଦ୍ଦେଶ୍ୟ ହେଉଛି, ମହାକାଶକୁ ମଣିଷ ପଠାଇବା ଏବଂ ସୁରକ୍ଷିତ ଭାବରେ ଫେରାଇବା ପାଇଁ ଆବଶ୍ୟକ ସିଷ୍ଟମଗୁଡ଼ିକର ପରୀକ୍ଷା କରିବା।

ନାରାୟଣନଙ୍କ ଅନୁଯାୟୀ, ଯଦି ଏହି ଉଡ଼ାଣ ସଫଳ ହୁଏ, ତେବେ ଆସନ୍ତା ବର୍ଷ ଆଉ ଦୁଇଟି ମାନବହୀନ ମିଶନ ଶେଷ ହେବ। ଭାରତ ତା’ପରେ ଏହାର ପ୍ରଥମ ମହାକାଶଚାରୀଙ୍କୁ ମହାକାଶକୁ ପଠାଇବ ଏବଂ ୨୦୨୭ ଆରମ୍ଭରେ ସୁରକ୍ଷିତ ଭାବେ ଫେରାଇ ଆଣିବ। ମହାକାଶଚାରୀମାନଙ୍କୁ ପୂର୍ବରୁ ଚୟନ କରାଯାଇ ସାରିଛି ଏବଂ ସେମାନେ ଏବେ ତାଲିମ ନେଉଛନ୍ତି ବୋଲି ସେ କହିଛନ୍ତି।

Also Read

ତେବେ “ବ୍ୟୋମମିତ୍ର”ର ସ୍ୱତନ୍ତ୍ରତା ହେଉଛି ଏହା ଅର୍ଦ୍ଧ-ନାରୀ ଭଳି ଦେଖାଯାଉଥିବା ବେଳେ ଏହାର କୌଣସି ତଳ ଅଙ୍ଗ ନାହିଁ। ଏହା ସଂପୂର୍ଣ୍ଣ AI-ସପୋଟେଡ୍। ଉଡ଼ାଣ ସମୟରେ କମ୍ପନ ଏବଂ ଝଟ୍‌କାକୁ ସହିବା ଭଳି ଏହାକୁ ଡିଜାଇନ୍ କରାଯାଇଛି। ସବୁଠାରୁ ବଡ କଥା ହେଲା ଏହାର ହାବଭାବ ଆଉ ଦେଖିବାର କ୍ଷମତା ମଧ୍ୟ ମଣିଷ ପରି।

ଏହା ଏପରି ଟେକ୍ନୋଲୋଜିରେ ତିଆରି ଯାହା ମହାକାଶର ଅନେକ ଅପରେସନକୁ ବୁଝିବାରେ ସାହାଯ୍ୟ କରିବ, ଏବଂ ଯେକୌଣସି ତ୍ରୁଟିକୁ ଚିହ୍ନଟ କରିବା ସହ ସଂଶୋଧନ କରିବାରେ ସହଯୋଗ ହେବ। ଖାଲି ସେତିକି ନୁହେଁ, ଏହି ରୋବୋଟ୍ ମଣିଷ ପରି ମହାକାଶଚାରୀଙ୍କ ସହ ଯୋଗାଯୋଗ କରିପାରିବ, ସେମାନଙ୍କୁ ଚିହ୍ନିପାରିବ ଆଉ ପ୍ରଶ୍ନର ଉତ୍ତର ମଧ୍ୟ ଦେଇପାରିବ।

ତେବେ ଏହି ମିଶନ କେବଳ ଟେକ୍ନୋଲୋଜିର ପ୍ରଦର୍ଶନ ନୁହେଁ, ବରଂ ଭାରତର ସ୍ୱପ୍ନ ଏବଂ ଆତ୍ମବିଶ୍ୱାସର ଏକ ଉଡ଼ାଣ। ଡିସେମ୍ବରରେ ଯେତେବେଳେ ‘ବ୍ୟୋମମିତ୍ର’ ମହାକାଶକୁ ଯିବ, ଏହା ଭବିଷ୍ୟତର ଭାରତୀୟ ମହାକାଶଚାରୀମାନଙ୍କ ପାଇଁ ପଥ ପ୍ରଶସ୍ତ କରିବ। ଯେତେବେଳେ ଭାରତର ପ୍ରଥମ ମହାକାଶଚାରୀ ୨୦୨୭ରେ ମହାକାଶରୁ ତ୍ରିରଙ୍ଗା ଉଡାଇବେ, ଏହି ମୁହୂର୍ତ୍ତ ସମଗ୍ର ବିଶ୍ୱ ପାଇଁ ଭାରତର ଶକ୍ତି ଏବଂ ଦକ୍ଷତାର ପ୍ରମାଣ ଦେବ।

ଅଧିକ ଦେଖିବା ପାଇଁ କ୍ଲିକ୍ କରନ୍ତୁ:

Scroll to Top