ନୂଆଦିଲ୍ଲୀ ୨୮।୧: ଭାରତ ଓ ୨୭ ଦେଶଙ୍କ ୟୁରୋପୀୟ ସଂଘ (ଇୟୁ) ମଧ୍ୟରେ ହୋଇଥିବା ଫ୍ରି ଟ୍ରେଡ ଏଗ୍ରିମେଣ୍ଟ (ଏଫଟିଏ)କୁ ନେଇ କଂଗ୍ରେସ ମୋଦି ସରକାରଙ୍କୁ ଟାର୍ଗେଟ୍ କରିଛି। କଂଗ୍ରେସ ଏହି ରାଜିନାମା ଉପରେ ପ୍ରଶ୍ନ ଉଠାଇଛି। କହିଛି ଯେ ଟାରିଫରେ କରାଯାଇଥିବା ହ୍ରାସ ଯୋଗୁ ଭାରତର ଟ୍ରେଡ ଡେଫିସିଟ୍ ଉପରେ ପଡିବାକୁ ଥିବା ପ୍ରଭାବ ଉପରେ କଡ଼ା ନଜର ରଖିବାକୁ ପଡିବ।
ପାର୍ଟି ସାଧାରଣ ସମ୍ପାଦକ ଜୟରାମ ରମେଶ ବୁଧବାର କହିଛନ୍ତି ଯେ କାର୍ବନ ବର୍ଡର ଆଡଜଷ୍ଟମେଣ୍ଟ ମେକାନିଜିମ (ସିବିଏଏମ) ରେ ଭାରତର ଆଲୁମିନିୟମ ଓ ଷ୍ଟିଲ ନିର୍ମାତାଙ୍କୁ ରିହାତି ଦେବାରେ ମୋଦି ସରକାର ବିଫଳ ହୋଇଛନ୍ତି, ଯାହା କଂଗ୍ରେସ ପାଇଁ ସବୁଠୁ ବଡ଼ ଚିନ୍ତାର କାରଣ। ଏ ନେଇ ଜୟରାମ ରମେଶ ଏକ୍ସ ରେ ଏକ ପୋଷ୍ଟ କରିଛନ୍ତି ଓ କହିଛନ୍ତି ଯେ ବହୁ ପ୍ରଚାରିତ ଏଫଟିଏରେ ଭାରତ ସରକାର ଇୟୁ ପ୍ରତି ଅବଲମ୍ବନ କରୁଥିବା କୋହଳ ନୀତି ସବୁଠୁ ବଡ଼ ବ୍ୟାପାରିକ ଢିଲା। ଏହାଦ୍ୱାରା ଇୟୁରୁ ଭାରତର ଆମଦାନୀ ଦୁଇଗୁଣ ହେବ ବୋଲି ଅନୁମାନ କରାଯାଉଛି। ଏହାର ପରିଣାମ ସ୍ୱରୂପ ଭାରତର ଟ୍ରେଡ ଡେଫିସିଟ ଉପରେ ପଡିବାକୁ ଥିବା ପ୍ରଭାବ ଉପରେ ନଜର ରଖିବାକୁ ପଡିବ।
India and the 27-nation European Union first started negotiations for a Free Trade Agreement in June 2007. 16 rounds of negotiations took place but were suspended in May 2013 because of lack of agreement on many important issues. Talks on an FTA remained suspended till June 2022…
— Jairam Ramesh (@Jairam_Ramesh) January 28, 2026
ଭାରତରୁ ଇୟୁ କୁ ଆଲୁମିନିୟମ ଓ ଷ୍ଟିଲ ରପ୍ତାନୀ ୭ ବିଲିୟନ ଡଲାରରୁ ହ୍ରାସ ହୋଇ ଏବେ ୫ ବିଲିୟନ ଡଲାରକୁ ପହଞ୍ଚିଛି। ଏଥିରେ ସିବିଏଏମ କାରଣରୁ ଚଳିତ ବର୍ଷ ଏହା ଆହୁରି ହ୍ରାସ ହେବ ବୋଲି ରମେଶ କହିଛନ୍ତି। ସେ କହିଛନ୍ତି ଯେ ସମୟ ସହିତ ସିବିଏଏମର ପରିସର ଭାରତର ଅନ୍ୟ ଔଦ୍ୟୋଗିକ ରପ୍ତାନୀ ଉପରେ ମଧ୍ୟ ପଡିବ, ଏଥିରେ ଏଫଟିଏରୁ ଭାରତକୁ ମିଳିବାକୁ ଥିବା ଲାଭକୁ ସମାପ୍ତ କରାଯାଇ ପାରେ। ରମେଶ ଏହା ମଧ୍ୟ କହିଛନ୍ତି ଯେ ଇୟୁର କଡ଼ା ସ୍ୱାସ୍ଥ୍ୟ ଓ ସୁରକ୍ଷା କୁ ନେଇ ମଧ୍ୟ ଚିନ୍ତା ରହିଛି, ଯାହା ଏଫଟିଏ ପରେ ବି ଭାରତୀୟ ରପ୍ତାନୀ ଉପରେ ଲାଗୁ ରହିବ।
ଇୟୁ ସହିତ ଏଫଟିଏରେ ଅଟୋମୋବାଇଲ ସେକ୍ଟରକୁ ଖୋଲିବାକୁ ନିଷ୍ପତ୍ତିକୁ ନେଇ କଂଗ୍ରେସ ମୋଦି ସରକାରଙ୍କୁ ସତର୍କ କରିଛି। ଜୟରାମ ରମେଶ କହିଛନ୍ତି ଯେ ଇଲେକ୍ଟ୍ରିକ ବାହାନ (ଇଭି) ଏକବିଂଶ ଶତାବ୍ଦୀରେ ସବୁଠୁ ଗୁରୁତ୍ୱପୂର୍ଣ୍ଣ ଟେକ୍ନୋଲଜି ମଧ୍ୟରେ ଅନ୍ୟତମ। ଏଥିରେ ଏଫଟିଏ ଯୋଗୁ ଭାରତର ଇଭି ଉଦ୍ୟୋଗ ଯେପରି ପଛେଇ ନ ଯାଏ ଏଥି ପାଇଁ ସବୁଠୁ ଅଧିକ ସାବଧାନତା ଅବଲମ୍ବନ କରିବାକୁ କହିଛନ୍ତି।
ଭାରତ ଓ ୟୁରୋପୀୟ ୟୁନିୟନ ମଙ୍ଗଳବାର ଗୁରୁତ୍ୱପୂର୍ଣ୍ଣ ଫ୍ରି ଟ୍ରେଡ ଏଗ୍ରିମେଣ୍ଟରେ ସ୍ୱାକ୍ଷର କରିଛନ୍ତି। ଏହାକୁ ସବୁଠୁ ବଡ଼ ବୁଝାମଣା ବୋଲି କୁହାଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ୟୁରୋପୀୟ ସଂଘର ଶୀର୍ଷ ନେତୃତ୍ୱ ବାଣିଜ୍ୟ ଓ ପ୍ରତିରକ୍ଷା ବୁଝାମଣାରେ ପାରସ୍ପରିକ ସମ୍ପର୍କକୁ ମଜଭୁତ କରିବା ତଥା ନିୟମ ଆଧାରିତ ବିଶ୍ୱ ବ୍ୟବସ୍ଥା ଦିଗରେ କାମ କରିବା ପାଇଁ ଏକ ବ୍ୟାପକ କାର୍ଯ୍ୟକ୍ରମ ଉପସ୍ଥାପନ କରିଛନ୍ତି।




