ଚୀନର ଗୁଇନ୍ଦା ସଂସ୍ଥାମାନେ କିପରି ସୋସିଆଲ ମିଡିଆ ଏବଂ ଚାକିରି ପ୍ଲାଟଫର୍ମ ବ୍ୟବହାର କରି ପାଶ୍ଚାତ୍ୟ ଦେଶର ଅଧିକାରୀମାନଙ୍କୁ ଟାର୍ଗେଟ କରୁଛନ୍ତି, ସେନେଇ ‘ଫାଇଭ୍ ଆଇଜ୍’ (Five Eyes) ଗୁଇନ୍ଦା ମିଳିତ ମଞ୍ଚ ଏକ ଗୁରୁତ୍ୱପୂର୍ଣ୍ଣ ସତର୍କବାଣୀ ଜାରି କରିଛି।
Published By: abinash – Prameya-News7 Bureau | June 04, 2026 06:45 PM
NEWS7

ନୂଆଦିଲ୍ଲୀ: ଚୀନର ଗୁଇନ୍ଦା ସଂସ୍ଥାମାନେ କିପରି ସୋସିଆଲ ମିଡିଆ ଏବଂ ଚାକିରି ପ୍ଲାଟଫର୍ମ ବ୍ୟବହାର କରି ପାଶ୍ଚାତ୍ୟ ଦେଶର ଅଧିକାରୀମାନଙ୍କୁ ଟାର୍ଗେଟ କରୁଛନ୍ତି, ସେନେଇ ‘ଫାଇଭ୍ ଆଇଜ୍’ (Five Eyes) ଗୁଇନ୍ଦା ମିଳିତ ମଞ୍ଚ ଏକ ଗୁରୁତ୍ୱପୂର୍ଣ୍ଣ ସତର୍କବାଣୀ ଜାରି କରିଛି। ‘ଫାଇଭ୍ ଆଇଜ୍’ (ଆମେରିକା, ବ୍ରିଟେନ, ଅଷ୍ଟ୍ରେଲିଆ, କାନାଡା ଏବଂ ନ୍ୟୁଜିଲ୍ୟାଣ୍ଡ) ଗୁଇନ୍ଦା ଏଜେନ୍ସିଗୁଡ଼ିକ ମିଳିତ ଭାବେ ଏକ ସୁରକ୍ଷା ସତର୍କତା ଜାରି କରିଛନ୍ତି।
ଏଥିରେ ଚେତାବନୀ ଦିଆଯାଇଛି ଯେ, ଚୀନର ସାମରିକ ଗୁଇନ୍ଦା ସଂସ୍ଥାମାନେ LinkedIn, Indeed, ଏବଂ Upwork ଭଳି ବୃତ୍ତିଗତ ନେଟୱର୍କିଂ ଏବଂ ଚାକିରି ପ୍ଲାଟଫର୍ମର ଅପବ୍ୟବହାର କରୁଛନ୍ତି। ଏମାନେ ନକଲି କେତେବେଳେ ନିଜକୁ ନିଯୁକ୍ତିଦାତା କେତେବେଳେ ଆର୍ଥିକ ଲୋଭ ଦେଖାଇ ବିଭିନ୍ନ ଦେଶର ସରକାର ତଥ୍ୟ ଚୋରି କରିବାକୁ ଚେଷ୍ଟା କରୁଛନ୍ତି ବୋଲି ପାଇଭ୍ ଆଇଜ୍ କହିଛି।
ଚୀନ ଗୁଇନ୍ଦା ସଂସ୍ଥାର କାର୍ଯ୍ୟଶୈଳୀ ବି ବେଶ ଚତୁରତାପୂର୍ଣ୍ଣ। ଏମାନେ ପ୍ରଥମେ ଲୋକଙ୍କୁ ଫସାଇବା ପରେ ଲୋଭ ଦେଖାଉଛନ୍ତି। ଲୋଭରେ ପଡ଼ିଲା ପରେ ସେମାନଙ୍କ ଠାରୁ ଉକ୍ତ ଦେଶର ସରକାରୀ ତଥ୍ୟ ସବୁ ଚୋରି କରି ନେଉଛନ୍ତି।
ଏମିତି କାମ କରୁଛନ୍ତି ଚୀନ ଗୁଇନ୍ଦା.:
- ନକଲି ନିଯୁକ୍ତିଦାତା: ଚୀନର ଗୁଇନ୍ଦା ଅଧିକାରୀମାନେ ନିଜକୁ ଏଚ୍.ଆର୍ (HR) ପରାମର୍ଶଦାତା କିମ୍ବା ବେସରକାରୀ ଥିଙ୍କ୍ ଟ୍ୟାଙ୍କ୍ର କର୍ମଚାରୀ ଭାବେ ପରିଚୟ ଦେଉଛନ୍ତି। ଏବଂ ଯେଉଁ ସଂସ୍ଥାର କର୍ମଚାରୀ ବୋଲି ପରିଚୟ ଦିଅନ୍ତି ସେହି ସଂସ୍ଥାଗୁଡ଼ିକ ଚୀନ୍ ବାହାରେ ଅବସ୍ଥିତ ବୋଲି କୁହାଯାଏ, ଯାହା ସମ୍ପୂର୍ଣ୍ଣ ନକଲି ଓ ଭୁଲ୍।
- ସରକାରୀ ଚାକିରିଆ ଓ ସାମ୍ବାଦିକ ମୁଖ୍ୟ ଟାର୍ଗେଟ୍: ଯେଉଁମାନଙ୍କ ପାଖରେ ସମ୍ବେଦନଶୀଳ ସରକାରୀ, ସାମରିକ କିମ୍ବା ଆର୍ଥିକ ତଥ୍ୟ ଅଛି, ସେମାନଙ୍କୁ ମୁଖ୍ୟତଃ ଟାର୍ଗେଟ କରାଯାଏ। ଏମାନଙ୍କ ମଧ୍ୟରେ ସାମରିକ କର୍ମଚାରୀ, ସିକ୍ୟୁରିଟି କ୍ଲିୟରାନ୍ସ ଥିବା ବ୍ୟକ୍ତି, ସାମ୍ବାଦିକ, ଏବଂ ଶିକ୍ଷାବିତ୍ମାନେ ସାମିଲ ଅଛନ୍ତି।
- ତଥ୍ୟ ଚୋରି: ଚାକିରି ଦେବା ବାହାନାରେ ପ୍ରଥମେ ଛୋଟ ରିପୋର୍ଟ ଲେଖିବାକୁ କୁହାଯାଏ। ପରେ ଚାକିରି ପାଇଁ ଆଶାୟୀଙ୍କୁ ସରକାରୀ ବା ଗୁପ୍ତ ତଥ୍ୟ ଦେବା ପାଇଁ ଚାପ ପ୍ରୟୋଗ କରାଯାଏ। ଏଥିପାଇଁ ସେମାନଙ୍କୁ ପ୍ରଲୋଭନ ଦିଆଯାଏ ଏବଂ ଏନକ୍ରିପ୍ଟେଡ୍ ମେସେଜିଂ ପ୍ଲାଟଫର୍ମ ମାଧ୍ୟମରେ କଥାବାର୍ତ୍ତା କରାଯାଏ।
- ଆର୍ଥିକ ଲାଭ: ପ୍ରାରମ୍ଭିକ ରିପୋର୍ଟ ପାଇଁ ଅଳ୍ପ ଅର୍ଥ ଦିଆଯାଏ, କିନ୍ତୁ ଅଧିକ ଗୁପ୍ତ ତଥ୍ୟ ବଦଳରେ ବଡ଼ ଧରଣର ଅର୍ଥ ପ୍ରଦାନ କରାଯାଏ।
କାହିଁକି ଏହା ଚିନ୍ତାର ବିଷୟ? ଫାଇଭ୍ ଆଇଜ୍ ମୁତାବକ, ଏହା ଜରିଆରେ ଚୀନ୍ ସାମରିକ, ରାଜନୈତିକ ଏବଂ ଆର୍ଥିକ କ୍ଷେତ୍ରରେ ପାଶ୍ଚାତ୍ୟ ଦେଶଗୁଡ଼ିକ ଉପରେ ରଣନୈତିକ ସୁବିଧା ହାସଲ କରିବାକୁ ଚାହୁଁଛି। ଏଥିରେ ଧରାପଡ଼ିଥିବା ବ୍ୟକ୍ତିମାନଙ୍କୁ ଅପରାଧିକ ମାମଲା, ଚାକିରି ହରାଇବା ଏବଂ ସିକ୍ୟୁରିଟି କ୍ଲିୟରାନ୍ସ ବାତିଲ ହେବାର ସମ୍ମୁଖୀନ ହେବାକୁ ପଡ଼ିପାରେ।
ଚୀନର ପ୍ରତିକ୍ରିୟା: ଚୀନ୍ ଏହି ଅଭିଯୋଗକୁ ସମ୍ପୂର୍ଣ୍ଣ ରୂପେ ଖଣ୍ଡନ କରିଛି। ବ୍ରିଟେନରେ ଥିବା ଚୀନ୍ ଦୂତାବାସ ଏହାକୁ “ମିଥ୍ୟା” ଏବଂ “ଦୁର୍ଭାବନାପୂର୍ଣ୍ଣ ଅପବାଦ” ବୋଲି ବର୍ଣ୍ଣନା କରିଛି।




