ବଡ଼ପୁଅକୁ ପୋଡ଼ି ମାରିଦେଲେ ବାପା-ମାଆ ଆଉ ଭାଇ। ଭୁବନେଶ୍ବର ଉପକଣ୍ଠ ବାଲିପାଟଣାରେ ଯୁବକ ଜଳିଯିବା ଘଟଣାର ପର୍ଦ୍ଦାଫାସ୍। ଏମ୍ସରେ ସଂକଟାପନ୍ନ ଜ୍ୟୋତି ରଞ୍ଜନ ମାଠିଆଙ୍କର ମୃତ୍ୟୁ ହୋଇଥିବାବେଳେ ଘଟଣାର ଭିଲେନ୍ ବାପା, ସାବତ ମାଆ ଏବଂ ଭାଇକୁ ବାନ୍ଧିଛି ପୋଲିସ୍। ଜ୍ୟୋତିଙ୍କ ମୃତ୍ୟୁ ପୂର୍ବର ଶେଷ ବୟାନ୍ ଓ ପାରିପାର୍ଶ୍ବିକ ପ୍ରମାଣ ଆଧାରରେ ସାଇଣ୍ଟିଫିକ୍ ଟିମ୍ ସହାୟତାରେ ଖୋଳତାଡ଼ ଚାଲିଛି। ଏସବୁ ଭିତରେ ହତ୍ୟାକାଣ୍ଡରେ ଆଉକିଛି ଲୋକଙ୍କ ସଂପୃକ୍ତି ଅଭିଯୋଗ ଆଣିଛନ୍ତି ମୃତକଙ୍କ ପତ୍ନୀ।
ପୁଅକୁ ପୋଡ଼ିଦେଲା ପରିବାର । ସମ୍ପତ୍ତି ପାଇଁ ଜଳିଗଲା ସମ୍ପର୍କ। ପେଟ୍ରୋଲ୍ ଢାଳି ଜାଳିଦେଲେ ବାପା, ସାବତ ମାଆ ଆଉ ଭାଇ। ଭୁବନେଶ୍ବର ଉପକଣ୍ଠ ବାଲିପାଟଣା ସାରିପୁର ଗାଁରେ ବର୍ବରକାଣ୍ଡର ଇଏ ସେହି ତିନି ଜହ୍ଲାଦ। ବାପା ସୁରେନ୍ଦ୍ର ମାଠିଆ, ସାବତ ମାଆ ପ୍ରଭାତୀ ମାଠିଆ ଆଉ ସାବତ ଭାଇ ପ୍ରଶାନ୍ତ କୁମାର। ଗତକାଲି ସ୍ବାଧୀନତା ଦିବସରେ ଖୋଦ୍ ଘରର ବଡ଼ ପୁଅକୁ ଘରକୁ ଡାକି ଜାଳିଦେଇଥିଲେ ଏମାନେ। ଆଜି ଏମ୍ସରେ ୪୨ ବର୍ଷୀୟ ଜ୍ୟୋତି ରଞ୍ଜନ ମାଠିଆଙ୍କ ମୃତ୍ୟୁ ପରେ ଏ ତିନି ଅଭିଯୁକ୍ତଙ୍କୁ ବାନ୍ଧିଛି ପୋଲିସ୍। ସମସ୍ତଙ୍କ ବିରୋଧରେ ପୋଲିସ୍ ପାଇଛି ଠୋସ୍ ପ୍ରମାଣ। ଘରର ସମ୍ପତ୍ତି ବିବାଦରୁ ହିଁ ଜଘନ୍ୟ କାଣ୍ଡ ଘଟିଥିବା ଜଣାପଡ଼ିଛି। ଆବଶ୍ୟକ ପଡ଼ିଲେ ଦୋଷୀଙ୍କୁ ରିମାଣ୍ଡରେ ନେଇ ଅଧିକ ତଦନ୍ତ କରାଯିବ ବୋଲି କହିଛି ପୋଲିସ୍ । …
ହେଲେ କାହିଁକି ପୁଅ ପାଇଁ ଯମ ପାଲଟିଗଲା ଜନ୍ମକଲା ବାପା ? କାହିଁକି ସଇତାନ୍ ସାଜିଲା ସାବତ ମାଆ ? ଭାଇକୁ ଜାଳିଦେବାକୁ କେମିତି ହାତ ଗଲା ଭାଇର ? ଗ୍ରାମବାସୀଙ୍କ କହିବା ଅନୁସାରେ, ମୃତ ଜ୍ୟୋତିରଞ୍ଜନଙ୍କୁ ସମ୍ପତ୍ତିର ଭାଗ ଦେଉନଥିଲା ପରିବାର। ଦୁଇ ଭାଇଙ୍କ ଭିତରେ ସମ୍ପତ୍ତି ଭାଗ କରିବା ବଦଳରେ ସାନ ତଥା ସାବତ ଭାଇ ପ୍ରଶାନ୍ତ ନାଁରେ ଜମିବାଡ଼ି କରିଦେଇଥିଲେ ବାପା ସୁରେନ୍ଦ୍ର । ଏମିତିକି ଜ୍ୟୋତିଙ୍କୁ ଭଲ ଘର ଖଣ୍ଡେ ବି ଦେଇନଥିଲେ। ଯେଉଁଥିପାଇଁ ଦୀର୍ଘବର୍ଷ ଧରି ପରିବାରରେ ବିବାଦ ଲାଗି ରହିଥିଲା। ଗତକାଲି ସମ୍ପତ୍ତି ବାବଦରେ କଥା ହେବାକୁ ଜ୍ୟୋତିଙ୍କୁ ଘରକୁ ଡାକି, ସେଠାରେ ଯୋଜନାବଦ୍ଧ ଭାବେ ପେଟ୍ରୋଲ୍ ଢାଳି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ସେପଟେ ନିର୍ଯାତନାର କାହାଣୀ କହିବା ସହ ଘଟଣା ପଛରେ ଆଉ କିଛି ଲୋକଙ୍କ ଭୂମିକା ଥିବା କହିଛନ୍ତି ମୃତକଙ୍କ ପତ୍ନୀ ।
Also Read
ସେପଟେ ମୃତ୍ୟୁ ପୂର୍ବରୁ ମେଡିକାଲ ବେଡରେ ସଂଘାତିକ ବୟାନ ରଖିଛନ୍ତି ଜ୍ୟୋତିରଞ୍ଜନ। ଆତ୍ମାହୁତି ନୁହେଁ ବରଂ ବାପା, ଭାଇ ଓ ବୋଉ ମିଶି ପେଟ୍ରୋଲ ପକାଇ ଜାଳି ଦେଇଥିବା ଅଭିଯୋଗ କରିଛନ୍ତି।
ମୃତ ଜ୍ୟୋତିଙ୍କ ଘରକୁ ଯାଇ ଛାନଭିନ୍ କରୁଛି ସାଇଣ୍ଟିଫିକ୍ ଟିମ୍। ଘଟଣାସ୍ଥଳରୁ ଜବତ ହୋଇଛି ପେଟ୍ରୋଲ୍ ବୋତଲ। ପଡ଼ୋଶୀ ଓ ଗ୍ରାମବାସୀଙ୍କୁ ଘଟଣା ସମ୍ପର୍କରେ ପଚରାଉଚରା କରାଯାଉଛି । ଆଉ କେଉଁମାନଙ୍କର ଏଥିରେ ସଂପୃକ୍ତି ରହିଛି ନା ନାହିଁ ସେନେଇ ବି ଚାଲିଛି ଖୋଳତାଡ଼।




