କାଶୀଅଭିରାମପୁର ଗାଁର ଗୋଲକ ପରିଡାଙ୍କ ପୁଅ ମନୋଜ ପରିଡା ଗତ ବର୍ଷେ ହେଲା ସେ କୁଆଡେ ଚାଲିଯାଇଛନ୍ତି। ପୁଅକୁ ଝୁରି ଝୁରି ମାଆ ପାଗେଳି ହୋଇଗଲାଣି। ବାପା ପୁଅର ଫଟୋ ଧରି ଗାଁ ଗାଁ ବୁଲି ଖୋଜୁଛନ୍ତି।
![]()
/odishatv-khabar/media/media_files/2025/11/10/bhadrak-son-missing-2025-11-10-09-22-44.jpg)
Bhadrak-Son-missing Photograph: (OTV)
ହଜିଲା ପୁଅର ଫଟୋ ଧରି ଗାଁ ଗାଁ ବୁଲି ଖୋଜୁଛି ବୁଢା ବାପା । ବଜାରଘାଟ, ବସଷ୍ଟାଣ୍ଡ, ଏ ସହରରୁ ସେ ସହର, ବୁଲି ବୁଲି ନୟାନ୍ତ ହେଲେଣି । ତଥାପି ମିଳୁନି ପୁଅ । ପୁଅକୁ ଝୁରି ଝୁରି ମାଆ ପାଗେଳି ହୋଇଗଲାଣି । ଆଉ ଏ ବୁଢା ବାପାର ଅବସ୍ଥା ତ ଆପଣ ଦେଖୁଥିବେ । ପୁଅକୁ ନ ପାଇ ବାପା ବି ପାଗଳ ପ୍ରାୟ ।
ପରିଣତ ବୟସରେ ସାହାରା ହୋଇଥାନ୍ତା ପୁଅ । ବାପାମାଆଙ୍କ ଦୁଃଖ ସୁଖ ବୁଝିଥାନ୍ତା । ହେଲେ ବର୍ଷେ ହେଲାଣି କୁଆଡେ ଚାଲିଯାଇଛି ୩୫ ବର୍ଷର ଭେଣ୍ଡିଆ ପୁଅ । ବହୁତ ଖୋଜାଖୋଜି କରିସାରିଲେଣି । ହେଲେ କିଛି ବି ମିଳୁନି ଖୋଜଖବର । ହାତରେ ଫଟୋଟିଏ ଧରି ଏଣେତେଣେ ବୁଲି ପୁଅକୁ ଖୋଜୁଛନ୍ତି ଅସହାୟ ବାପା । ଆଉ ଯାହାକୁ ଦେଖୁଛନ୍ତି, ଫୋଟ ଦେଖାଇ ମୋ ପୁଅକୁ ଦେଖିଛି କି ବୋଲି କାନ୍ଦି କାନ୍ଦି ପଚାରୁଛନ୍ତି ।
ଭଦ୍ରକ ନାୟକାଣିଡିହି ଥାନା କାଶୀଅଭିରାମପୁର ଗାଁର ଗୋଲକ ପରିଡାଙ୍କ ପୁଅ ମନୋଜ ପରିଡା । ବାପାଙ୍କ କହିବା ଅନୁସାରେ ମନୋଜଙ୍କ ମାନସିକ ସ୍ୱାସ୍ଥ୍ୟ ସମସ୍ୟା ଥିଲା । ଗତ ବର୍ଷେ ହେଲା ସେ କୁଆଡେ ଚାଲିଯାଇଛନ୍ତି । ଏନେଇ ବାପା ଗୋଲକ ଥାନାରେ ଅଭିଯୋଗ ବି କରିଛନ୍ତି । କିନ୍ତୁ ଏ ପର୍ଯ୍ୟନ୍ତ ନିଖୋଜ ପୁଅକୁ ଠାବ କରିପାରିନି ପୋଲିସ । ଶେଷରେ ହତାଶ ହୋଇ ପୁଅର ଫଟୋଟିଏ ଧରି ଗାଁ ଗଣ୍ଡା, ବଜାରଘାଟ ଖୋଜି ବୁଲୁଛନ୍ତି ବୁଢା ବାପା । ଯଦି କେହି ପୁଅର ସନ୍ଧାନ ପାଆନ୍ତି ତାହେଲେ ତାଙ୍କ ଠିକଣାରେ ନହେଲେ ଥାନାରେ ଜଣାଇବାକୁ ଅନୁରୋଧ କରିଛନ୍ତି ।




