ରାଜ୍ୟରେ କ୍ରମାଗତ ବଢୁଥିବା ସଂଗଠିତ ଅପରାଧରେ ବ୍ରେକ୍ ଦେବାକୁ ସରକାର ଆଣିପାରନ୍ତି ସ୍ବତନ୍ତ୍ର ଆଇନ୍। ଗତକାଲି ସ୍ବାଧୀନତା ଦିବସରେ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତାରୁ ବଢିଛି ଚର୍ଚ୍ଚା। ଗତମାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ୟୁପି ଭଳି ଓଡ଼ିଶାରେ ମଧ୍ୟ ଅନୁରୂପ ଗୁଣ୍ଡା ଓ ଆଣ୍ଟିସୋସିଆଲ୍ ଆଣିବାକୁ ଦାବି କରିଥିଲେ ଉପବାଚସ୍ପତି। ତେବେ ଯଦି ଓଡ଼ିଶାରେ ଏଇ ସ୍ବତନ୍ତ୍ର ଆଇନ୍ ଆସେ, କ’ଣ ହେବ ତା’ର ରୂପରେଖ, ଏନକାଉଣ୍ଟର ପାଇଁ ପୋଲିସକୁ ମିଳିବ କି ସ୍ବତନ୍ତ୍ର କ୍ଷମତା?
ସାବାଡ୍ ହେବେ ଅସାମାଜିକ ଓ ଅପରାଧୀ । ବର୍ତ୍ତିପାରିବେନି ସଂଗଠିତ ଅପରାଧ ମାନସିକତାର ବ୍ୟକ୍ତି। ଚାଲିପାରିବନି ବାଲିଘାଟଠୁ ନେଇ ଖଣିଖାଦାନ୍ । ପରିବହନ ଓ ରିଅଲ ଇଷ୍ଟେଟ୍ କ୍ଷେତ୍ରରେ ଦାଦାବଟି କାରବାର । ଉପବାଚସ୍ପତିଙ୍କ ଦାବି ପରେ କାଲି ମୁଖ୍ୟମନ୍ତ୍ରୀ ଦେଲେ ସଂକେତ । ଓଡ଼ିଶାରେ ଖୁବଶୀଘ୍ର ଆସିପାରେ ଗୁଣ୍ଡା ନିରୋଧୀ ଆଇନ୍ । ୟୁପି ଓ ବିହାର ଢାଞ୍ଚା ଅନୁକରଣରେ ଆଇନ ଆଣିପାରନ୍ତି ରାଜ୍ୟ ସରକାର।
ଜୁଲାଇ ୨୪ ତାରିଖରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ୟୁପି ଗ୍ୟାଙ୍ଗଷ୍ଟାର୍ ଆଣ୍ଡ ଆଣ୍ଟିସୋସିଆଲ୍ ଆକ୍ଟ ୧୯୮୬ ଭଳି ଓଡ଼ିଶାରେ ଏକ ଆଇନ୍ କରିବାକୁ ଦାବି କରିଥିଲେ ଉପବାଚସ୍ପତି ଭବାନୀ ଶଙ୍କର ଭୋଇ। ଯୁକ୍ତି ଦର୍ଶାଇଥିଲେ- ରାଜ୍ୟରେ ଦାଦାବଟି, କଣ୍ଟ୍ରାକ୍ଟ କିଲିଂ, ବେଆଇନ୍ ଖଣିଠୁ ନେଇ ନିଶା କାରବାର ଭଳି ଅପରାଧ ବଢ଼ିଚାଲିଛି। ତେଣୁ ଏହାର ଦମନ ପାଇଁ ୟୁପି ଢାଞ୍ଚାରେ ଆଇନ୍ ଆସିବା ଦରକାର। ଆଉ ଗତକାଲି ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ ପାଳନ ମଞ୍ଚରୁ ଏନେଇ ବଡ଼ ସୂଚନା ଦେଇ ଏଦିଗରେ ନିଜ ସରକାରର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି ମୁଖ୍ୟମନ୍ତ୍ରୀ। କହିଛନ୍ତି ଗାଁଠୁ ରାଜଧାନୀ ଯାଏଁ ଗୁଣ୍ଡାରାଜକୁ ମୂଳପୋଛ ପାଇଁ ଆବଶ୍ୟକ ପଡ଼ିଲେ ଆସିବ ସ୍ବତନ୍ତ୍ର ଆଇନ୍। ଆଇନମନ୍ତ୍ରୀ ବି କହିଛନ୍ତି ଏଦିଗରେ ପଦକ୍ଷେପ ନେବାର ପ୍ରକ୍ରିୟା ସରକାର ଆରମ୍ଭ କରିଦେଇଛନ୍ତି।…
ତେବେ ଯଦି ଓଡ଼ିଶାରେ ଏମିତି ଆଇନ ଆସେ କଣ ହେବ ତାର ରୂପରେଖ ? କେଉଁଦିଗ ପ୍ରତି ଦିଆଯିବ ଅଧିକ ଗୁରୁତ୍ବ ? କୁହାଯାଉଛି ଜେନେରାଲ କ୍ରିମିନାଲ ଲ’ ଠାରୁ ଏହି ସ୍ବତନ୍ତ୍ର ଆଇନରେ ରହିପାରେ କଠୋର ଦଣ୍ଡବିଧାନ ବ୍ୟବସ୍ଥା। ତ୍ବରିତ ଗିରଫଦାରୀ ସାଙ୍ଗକୁ ଜଘନ୍ୟ ଅପରାଧୀଙ୍କୁ ଏନକାଉଣ୍ଟର ପାଇଁ ବି ପୋଲିସକୁ କ୍ଷମତା ଦିଆଯାଇପାରେ। ଆଇନଜୀବୀଙ୍କ ମତରେ ଓଡ଼ିଶାରେ ଗ୍ୟାଙ୍ଗଷ୍ଟାର ଅପେକ୍ଷା ସଂଗଠିତ ଏବଂ ଦାଦାବଟି ସମ୍ପର୍କିତ ଅପରାଧ ହାର ଅଧିକ। ବାଲିଘାଟ, ଖଣିଖାଦାନ, ପରିବହନ ଓ ରିଅଲିଷ୍ଟେଟ୍ କ୍ଷେତ୍ରରେ ଦାଦାବଟିକୁ ନେଇ ଅଧିକ ଅପରାଧ ସଂଗଠିତ ହେଉଛି। ଏହାପଛରେ ସରକାରୀ ଅଧିକାରୀଙ୍କର ନେକ୍ସସ୍ ମଧ୍ୟ ରହିଛି। ସରକାର ସେ ଦିଗରେ ଯଥେଷ୍ଟ ଧ୍ୟାନ ଦେବା ଆବଶ୍ୟକ।…
Also Read
ଏବେ ଅପେକ୍ଷା ଅପରାଧୀ ତତ୍ତ୍ବକୁ ଦମନ କରିବାକୁ ସରକାର କେବେ ଓ କିଭଳି ଢଙ୍ଗରେ ସ୍ବତନ୍ତ୍ର ଆଇନ୍ ଆଣୁଛନ୍ତି ଓ ଏହାର କି ପ୍ରଭାବ ପଡୁଛି।…




