Dark Reality of Student Harassment: ଉଚ୍ଚ ଶିକ୍ଷାନୁଷ୍ଠାନରେ ଛାତ୍ରୀ ନିର୍ଯାତନାର ସଂଗୀନ ତଥ୍ୟ, ଗୁମର ଫିଟାଇଲା ବିଧାନସଭାରେ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଉତ୍ତର

dark-reality-of-student-harassment:-ଉଚ୍ଚ-ଶିକ୍ଷାନୁଷ୍ଠାନରେ-ଛାତ୍ରୀ-ନିର୍ଯାତନାର-ସଂଗୀନ-ତଥ୍ୟ,-ଗୁମର-ଫିଟାଇଲା-ବିଧାନସଭାରେ-ଉଚ୍ଚଶିକ୍ଷା-ମନ୍ତ୍ରୀଙ୍କ-ଉତ୍ତର

ଶିକ୍ଷାନୁଷ୍ଠାନରେ ବଢୁଛି ନିର୍ଯାତନା। ମାନସିକ, ଶାରିରୀକ ଓ ଯୌନ ନିର୍ଯାତନାର ଶିକାର ହେଉଛନ୍ତି ଛାତ୍ରଛାତ୍ରୀ। ଏଭଳି ଘୃଣ୍ୟ ଓ କୁତ୍ସିତ ମାନସିକତାରୁ ବାଦ ପଡ଼ିନି ରାଜ୍ୟର ଜଣାଶୁଣା ଓ ବଡ଼ ବଡ଼ ବିଶ୍ବବିଦ୍ୟାଳୟ। ବିଧାନସଭାରେ ଏମିତି କିଛି ଚମକାଇଦେଲା ଭଳି ତଥ୍ୟ ରଖିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ।

୨୦୨୪ ଜୁନରୁ ଆଜି ଯାଏଁ ବିଶ୍ବବିଦ୍ୟାଳୟରେ ୧୯ଟି ନିର୍ଯାତନା ମାମଲା ହୋଇଛି। ଏଥିରେ ରହିଛି ୬ଟି ଯୌନ ନିର୍ଯାତନା କେସ୍। ଉତ୍କଳ ବିଶ୍ବବିଦ୍ୟାଳୟରେ ସର୍ବାଧିକ ମାମଲା ରହିଛି। ମନ୍ତ୍ରୀଙ୍କ ଉତ୍ତର ପରେ ଜୋର ଧରିଛି ରାଜନୈତିକ ବୟାନବାଜି।

ଶିକ୍ଷାର ମନ୍ଦିରରେ ନିର୍ଯାତନା । ବିଶ୍ବବିଦ୍ୟାଳୟରେ ବି ଅସୁରକ୍ଷିତ ଛାତ୍ରୀ । କେତେବେଳେ ଶାରୀରିକ, ପୁଣି କେବେ ମାନସିକ । ଆଉ କେତେବେଳେ ଯୌନ ଶୋଷଣର ଶିକାର । ଗୁମର ଫିଟାଇଲା ବିଧାନସଭାରେ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଉତ୍ତର ।ଏହି କଳଙ୍କ ଟିକା ପିନ୍ଧିଛନ୍ତି ରାଜ୍ୟର ନାଁକରା ଶିକ୍ଷାନୁଷ୍ଠାନ ।

Also Read

ବିଭିନ୍ନ ସମୟରେ ଛାତ୍ରୀଙ୍କୁ ନିର୍ଯାତନା ଅଭିଯୋଗ ଆସୁଥିବା ବେଳେ ବିଧାନସଭାରେ ଏହାର ତଥ୍ୟ ରଖିଛନ୍ତି ବିଭାଗୀୟ ମନ୍ତ୍ରୀ। ବିଧାୟକ ତୁଷାରକାନ୍ତି ବେହେରାଙ୍କ ପ୍ରଶ୍ନରେ ମନ୍ତ୍ରୀ ଯେଉଁ ଉତ୍ତର ରଖିଛନ୍ତି ତାହା ଉଦବେଗଜନକ। ୨୦୨୪ ଜୁନ୍ ୧୨ ତାରିଖରୁ ବର୍ତ୍ତମାନ ସୁଦ୍ଧା ବିଶ୍ବବିଦ୍ୟାଳୟରେ ଘଟିଥିବା ଶାରୀରିକ, ମାନସିକ ଓ ଯୌନ ନିର୍ଯାତନାର ତଥ୍ୟ ଦେଇଛନ୍ତି ମନ୍ତ୍ରୀ। ଯେଉଁଥିରେ ରାଜ୍ୟର ୧୭ଟି ବିଶ୍ବବିଦ୍ୟାଳୟରେ ଶାରୀରିକ, ମାନସିକ ଓ ଯୌନ ନିର୍ଯାତନା ମାମଲାରେ ତଦନ୍ତ ସହ କଣ ଆକ୍ସନ ହୋଇଛି ଉଲ୍ଲେଖ ରହିଛି। ମୋଟ୍ ୧୯ଟି ଅଭିଯୋଗ ହୋଇଛି।

ଏଥିରେ ରହିଛି ୬ ଜଣ ଯୌନ ନିର୍ଯାତନା ମାମଲା। ୯ ଜଣ ଛାତ୍ରୀଙ୍କୁ ମାନସିକ ନିର୍ଯାତନା ଦିଆଯାଇଥିବା ବେଳେ ଦୁଇ ଜଣ ଛାତ୍ରୀଙ୍କୁ ଅଭଦ୍ରୋଚିତ ବ୍ୟବହାର କରାଯାଇଛି। ଉତ୍କଳ ବିଶ୍ବବିଦ୍ୟାଳୟରେ ରହିଛି ସର୍ବାଧିକ ୭ଟି ମାମଲା। ଯେଉଁଥିରେ ୩ଟି ଯୌନ ନିର୍ଯାତନା, ଗୋଟିଏ ମାନସିକ ଓ ଆଉ ଗୋଟିଏ ଅଶ୍ଳୀଳ ଭାଷା ପ୍ରୟୋଗ ମାମଲା ରହିଛି।

ସେହିପରି ଚଳିତବର୍ଷ ରାଜ୍ୟରେ ଛାତ୍ରୀ ଆତ୍ମଦାହ ଘଟଣାକୁ ନେଇ ଚର୍ଚ୍ଚାରେ ରହିଥିବା ବାଲେଶ୍ବର ଫକୀର ମୋହନ ବିଶ୍ବବିଦ୍ୟାଳୟରେ ରହିଛି ୩ଟି ମାନସିକ ନିର୍ଯାତନା ମାମଲା। ସମ୍ବଲପୁର ଜିଏମ୍ ବିଶ୍ବବିଦ୍ୟାଳୟ, ବ୍ରହ୍ମପୁର ବିଶ୍ବବିଦ୍ୟାଳୟରେ ରହିଛି ଗୋଟିଏ ଲେଖାଏଁ ଯୌନ ନିର୍ଯାତନା କେସ୍। ନିର୍ଯାତନାର ଏ ନିଆଁରୁ ବର୍ତ୍ତିନି ଓଡ଼ିଶାର ଏକକ ମହିଳା ବିଶ୍ୱବିଦ୍ୟାଳୟ ରମାଦେବୀ।ଏଠାରେ ବି ଜଣେ ଛାତ୍ରୀ ଯୌନ ନିର୍ଯାତନା ଯୋଗୁଁ ମାନସିକ ନିର୍ଯାତନାର ଶିକାର ହୋଇଥିବା ଜଣା ପଡ଼ିଛି।

ରେଭେନ୍ସା ବିଶ୍ବବିଦ୍ୟାଳୟରେ ୩ଟି ମାନସିକ ନିର୍ଯାତନା ଅଭିଯୋଗ ଥିବା ବେଳେ ବଲାଙ୍ଗିର ରାଜେନ୍ଦ୍ର ବିଶ୍ବବିଦ୍ୟାଳୟରେ ରହିଛି ଗୋଟିଏ ଲେଖାଏଁ ମାନସିକ ନିର୍ଯାତନା ଓ ଅସଦାଚରଣ ମାମଲା। ମନ୍ତ୍ରୀଙ୍କ ଉତ୍ତର ପରେ ମହିଳା ନିର୍ଯାତନା କଥା କହି ସରକାରଙ୍କୁ ନିଶାନା କରିଛନ୍ତି ବିରୋଧୀ ବିଜେଡି ଓ କଂଗ୍ରେସ। ଅନ୍ୟପଟେ ବିଜେପି କହିଛି, ମୋହନ ସରକାର ମହିଳା ନିର୍ଯାତନା କ୍ଷେତ୍ରରେ ତୁରନ୍ତ ଆକ୍ସନ ନେଉଛନ୍ତି। …
ବିଶ୍ୱବିଦ୍ୟାଳୟରେ ଛାତ୍ରୀ ନିର୍ଯାତନାର ଉଦବେଗଜନକ ଚିତ୍ର ସାମ୍ନାକୁ ଆସିଥିବା ବେଳେ ବଡ଼ ବିଶ୍ବବିଦ୍ୟାଳୟରେ ଲାଗିଛି ନିର୍ଯାତନାର ଦାଗ।

ବାଲେଶ୍ବର ଏଫଏମ୍ ପୀଡ଼ିତା ଆତ୍ମାହୂତି ପରେ କ୍ୟାମ୍ପସରେ ନିର୍ଯାତନା ରୋକିବା ଓ ଛାତ୍ରୀଙ୍କ ସୁରକ୍ଷା ନେଇ ବିରାଟ ପ୍ରଶ୍ନବାଚୀ ଉଠିଥିଲା। ଏହାପରେ ଉଚ୍ଚଶିକ୍ଷା ବିଭାଗ ସମସ୍ତ କଲେଜରେ ଆଭ୍ୟନ୍ତରୀଣ ଅଭିଯୋଗ କମିଟି-ICC କାର୍ଯ୍ୟକାରିତାକୁ ନେଇ କଠୋର ହୋଇଛନ୍ତି। ବିଭିନ୍ନ କଲେଜ କାନ୍ଥରେ ହେଲ୍ପଲାଇନ ନମ୍ବର, ICC ସଦସ୍ୟଙ୍କ ନାମ ବିବରଣୀ ଓ ଯୋଗାଯୋଗ ନମ୍ବର ଆଦି ଲଗାଯାଇଥିବା ବେଳେ, ସଚେତନତା କର୍ମଶାଳା ଆଦି ଆୟୋଜନ ହେଉଛି। …

ଅଧିକ ପଢ଼ନ୍ତୁ: ସାର ସଙ୍କଟକୁ ନେଇ ମାଇଲେଜ୍ ପଲିଟିକ୍ସ ! ମୁଲତବି ଆଲୋଚନାରେ ଭାଗ ନେଲାନି ବିଜେଡି

Scroll to Top