ଲିଟରେ କ୍ଷୀର ପାଇଁ ଦେଇଦେଲେ ୧୮ ଲକ୍ଷ…ଅନଲାଇନ ଆପ୍ରୁ କରୁଥିଲେ କ୍ଷୀର ଅର୍ଡର, ଆକାଉଣ୍ଟ ହୋଇଗଲା ଖାଲି । ଏକା ଥରେ ତିନି ତିନିଟା ଆକାଉଣ୍ଟକୁ ପୋଛିନେଲା ଅଦୃଶ୍ୟ ଠକ ସାଇବର ଠକେଇ । ଜଣେ ୭୧ ବର୍ଷୀୟା ବୃଦ୍ଧା ମହିଳା ଅନଲାଇନରୁ ଏକ ଲିଟର କ୍ଷୀର ଅର୍ଡର କରୁଥିବା ବେଳେ ତାଙ୍କ ଆକାଉଣ୍ଟରୁ ୧୮ ଲକ୍ଷ ୫୦ ହଜାର ଟଙ୍କା ଖାଲି ହୋଇଯାଇଛି ।
Credit: OTV
cyber fraud
ଜଣେ ୭୧ ବର୍ଷୀୟା ବୃଦ୍ଧା ମହିଳା ଅନଲାଇନରୁ ଏକ ଲିଟର କ୍ଷୀର ଅର୍ଡର କରୁଥିବା ବେଳେ ତାଙ୍କ ଆକାଉଣ୍ଟରୁ ୧୮ ଲକ୍ଷ ୫୦ ହଜାର ଟଙ୍କା ଲୁଟି ନେଇଛନ୍ତି ସାଇବର ଠକ । ଘଟଣା ଅଗଷ୍ଟ ୪ ତାରିଖର । ବୃଦ୍ଧା ମହିଳାଙ୍କୁ ଏକ କଲ୍ ଆସିଲା । କଲ୍ କରିଥିବା ବ୍ୟକ୍ତି ନିଜକୁ ଏକ କ୍ଷୀର କମ୍ପାନୀର ଅଧିକାରୀ ଭାବେ ପରିଚୟ ଦେଲା । ନିଜ ନାଁ ଦୀପକ କହିଲା । ଏହାପରେ ସେ ବୃଦ୍ଧାଙ୍କ ଫୋନ୍କୁ ଏକ ଲିଙ୍କ ପଠାଇଲା । ସେଇ ଲିଙ୍କ୍ରେ କ୍ଲିକ୍ କରି ନିଜର ପର୍ସନାଲ ଡିଟେଲ୍ସ ଦେଇ କ୍ଷୀର ଅର୍ଡର କରିବାକୁ କହିଲା ।
ସିଏ ଯେମିତି କହିଲା ମହିଳା ବି ସେମିତି କଲେ । ପ୍ରାୟ ଘଣ୍ଟାଏ ପର୍ଯ୍ୟନ୍ତ ଫୋନ୍ରେ ରହି ସେ ନିଜର ସବୁ ଡିଟେଲ୍ସ ଦେଇଥିଲେ । ତା’ ପରଦିନ ପୁଣି ମହିଳାଙ୍କୁ କଲ୍ କରି ଆଉ କିଛି ଡିଟେଲ୍ସ ମାଗିଥିଲା ଠକ ।
ଏହାର କିଛି ଦିନ ପରେ ବ୍ୟାଙ୍କ ଯାଇଥିଲେ ମହିଳା । ଆଉ ସେଠି ଆକାଉଣ୍ଟ ଦେଖିବା ପରେ ଉଡିଗଲା ହୋସ୍ । ତାଙ୍କର ଗୋଟିଏ ଆକାଉଣ୍ଟରୁ ଲକ୍ଷେ ୭୦ ହଜାର ଟଙ୍କା ଉଠାଣ ହୋଇଥିଲା । ଚେକ୍ କରିବାରୁ ଆଉ ଦୁଇଟି ଆକାଉଣ୍ଟରୁ ବି ସବୁତକ ଟଙ୍କା ଗାଏବ ହୋଇସାରିଥିଲା । ମହିଳାଙ୍କୁ ଲିଙ୍କ୍ ପଠାଇ ମୋଟ ୧୮ ଲକ୍ଷ ୫୦ ହଜାର ଟଙ୍କା ଲୁଟି ନେଇଯାଇଥିବା ସାଇବର ଠକ । ଏନେଇ ଥାନାରେ ଅଭିଯୋଗ ପରେ ତଦନ୍ତ ଆରମ୍ଭ କରିଛି ପୋଲିସ ।
Also Read
ତେବେ ଦେଶରେ ଦିନକୁ ଦିନ ବଢିଚାଲିଛି ସାଇବର ଠକେଇ । କୌଣସି ଅଜଣା ଲିଙ୍କ୍ କ୍ଲିକ୍ ନକରିବାକୁ, କାହାରିକୁ ପର୍ସନାଲ ବ୍ୟାଙ୍କିଂ ଡିଟେନ୍ସ ନ ଦେବାକୁ, ଅଜଣା ଆପ୍ ଡାଉନଲୋଡ ନକରିବାରୁ ବାରମ୍ବାର ଲୋକଙ୍କୁ ସଚେତନ କରୁଛି ପୋଲିସ । ତଥାପି ନୂଆ ନୂଆ ଚାଲ୍ ଚଲାଇ ସାଧାରଣ ଲୋକଙ୍କ ଜୀବନଯାକର ପୁଞ୍ଜି ପୋଛି ନେଉଛନ୍ତି ସାଇବର ଠକ ।





