ମୂଳାଷ୍ଟମୀ ଠାରୁ ଆରମ୍ଭ ହୋଇଛି ଶକ୍ତି ପୀଠରେ ଷୋଡ଼ଶ ଉପଚାର ପୂଜା। କଟକର ଅଧିଷ୍ଠାତ୍ରୀ ଦେବୀ ମା କଟକ ଚଣ୍ଡୀ ମନ୍ଦିରରେ ଆଜିଠାରୁ ମା ଙ୍କ ଘଟ ସ୍ଥାପନ ସହ ପୂଜା ଆରମ୍ଭ ହୋଇଛି। ତେବେ ଅଧାଗଢା ମନ୍ଦିରରେ ଆରମ୍ଭ ହୋଇଛି ମା’ଙ୍କ ଷୋଡ଼ଶ ଉପଚାର ପୂଜା ।
Credit: OTV
ଅଧାଗଢ଼ା ମନ୍ଦିରରେ ଷୋଡ଼ଶ ଉପଚାର ପୂଜା
ଅଧାଗଢା ମନ୍ଦିରରେ ଆରମ୍ଭ ହୋଇଛି କଟକର ଆରାଧ୍ୟ ଦେବୀ ମା କଟକ ଚଣ୍ଡୀ ଙ୍କ ଷୋଡ଼ଶ ଉପଚାର ପୂଜା। ବର୍ଷ ପରେ ବର୍ଷ ବିତୁଛି ହେଲେ ଶେଷ ହେଉନାହିଁ ଚଣ୍ଡୀ ମନ୍ଦିର କାମ। ଆଜିଠାରୁ ଶକ୍ତି ପୀଠରେ ଷୋଡ଼ଶ ଉପଚାର ପୂଜା ସହ ପ୍ରତିଦିନ ଦୁର୍ଲଭ ବେଶରେ ଦର୍ଶନ ଦେବେ ମା କଟକ ଚଣ୍ଡୀ। ହଜାର ହଜାର ଭକ୍ତ ପ୍ରତ୍ୟେକ ଦିନ ଦର୍ଶନ ପାଇଁ ଆସିବେ। ହେଲେ ଦେଖନ୍ତୁ ମନ୍ଦିର ଅବସ୍ଥା, ଅଧାପନ୍ତରିଆ ଅବସ୍ଥାରେ ମା ଙ୍କୁ ପୂଜା କରାଯାଉଛି। ମା ଙ୍କ ସିଂହାସନ ବେଦୀ ନିର୍ମାଣ କାମ ଶେଷ ହୋଇ ନପାରିବାରୁ ଅସ୍ଥାୟୀ ପାଲ ଟାଣି ସେଠାରେ ମା ଙ୍କୁ ରଖାଯାଇଛି। ଆଉ ଏବେ ମନ୍ଦିରର ପ୍ରବେଶ ପଥକୁ ଦେଖନ୍ତୁ ପାଣି କାଦୁଅରେ ପଚପଚ ହୋଇଛି, ତା ସାଙ୍ଗକୁ ପୁଣି ଖାଲଖମା। ଏମିତିକି ପାର୍କିଂ ସୁବିଧା ନଥିବାରୁ ମନଇଚ୍ଛା ଯିଏ ଯେଉଁଠି ପାଇଲା ଗାଡି ରଖିଲା। ଏ ତ ଥିଲା ମନ୍ଦିର ବାହାରର ଦୃଶ୍ୟ ଏବେ ଟିକେ ଦେଖନ୍ତୁ ମନ୍ଦିର ବେଢାର ଅବସ୍ଥା। ପଟୁ ମାଟି ପଡିରହିଛି ଏମିତିକି ଗୋଡ ପଶି ଯାଉଛି। ଯଜ୍ଞମଣ୍ଡପ , ରୋଶଶାଳା ମଧ୍ୟ ହୋଇନାହିଁ ଫଳରେ ପୂଜା କରିବାରେ ମଧ୍ୟ ସମସ୍ୟା ହେବ।
Also Read
୨୦୨୨ରେ କଟକ ଚଣ୍ଡୀ ମନ୍ଦିରର ସମ୍ପ୍ରସାରଣ ଓ ଉନ୍ନତିକରଣ କାର୍ଯ୍ୟ ପାଇଁ ୭୦ କୋଟି ଟଙ୍କା ବ୍ୟୟ ବରାଦ ହୋଇଥିଲା । ଏହାର ନିର୍ମାଣ ଦାୟିତ୍ବ ଓବିସିସିକୁ ଦିଆଯାଇଥିଲା। ୩ ବର୍ଷ ବିତିଗଲାଣି, ଡେଡ୍ ଲାଇନ୍ ଘୁଞ୍ଚୁଛି ପ୍ରକଳ୍ପ କାମ କିନ୍ତୁ ସରୁନାହିଁ। ଏମିତିକି କାମ ବିଳମ୍ବ, ନିର୍ମାଣରେ ତ୍ରୁଟି, ଅନିୟମିତତା ହେଉଥିବା ଦର୍ଶାଇ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର ମଧ୍ୟ ହୋଇଛି। ମନ୍ଦିରର ଏଭଳି ଅବସ୍ଥାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଭକ୍ତ। ନିର୍ମାଣ କରୁଥିବା ସଂସ୍ଥା ପକ୍ଷରୁ କୁହାଯାଇଛି ପୂଜାକୁ ଦୃଷ୍ଟିରେ ରଖି ଆମେ ସମସ୍ତ ବ୍ୟବସ୍ଥା କରିଛୁ ଯେପରି ଭକ୍ତଙ୍କ ଅସୁବିଧା ହେବନାହିଁ ସେଥିପାଇଁ ଧ୍ୟାନ ଦେବୁ। l ତେବେ କଟକ ଚଣ୍ଡୀ ମନ୍ଦିରର କାମ କେବେ ସରିବ ତାକୁ ହିଁ ଅପେକ୍ଷା।
କଟକରୁ କ୍ୟାମେରା ପର୍ସନ ସୁବାସ ଙ୍କ ସହ ଦେବାଶିଷ ମହାନ୍ତି ଓଟିଭି
- Reported by:
- DEBASHISH MOHANTY





