CSKରେ ଟ୍ରେଡ୍ ହେଲେ ସାମସନ୍? ପ୍ରତିବଦଳରେ ରାଜସ୍ଥାନ ଯିବେ ଜାଡେଜା ବା ଗାଏକୱାଡ

cskରେ-ଟ୍ରେଡ୍-ହେଲେ-ସାମସନ୍?-ପ୍ରତିବଦଳରେ-ରାଜସ୍ଥାନ-ଯିବେ-ଜାଡେଜା-ବା-ଗାଏକୱାଡ

ମୁମ୍ବାଇ, ୧୪/୦୮: ଲୋକପ୍ରିୟ ଆଇପିଏଲ ଷ୍ଟାର୍‌ ସଞ୍ଜୁ ସାମସନ । ଆଗାମୀ ଆଇପିଏଲ୍‌ ପୂର୍ବରୁ ରାଜସ୍ଥାନ ରୟାଲ୍ସ ଛାଡ଼ିବା ନିଶ୍ଚିତ ହୋଇଯାଇଛି । ଏହି ଘଟଣା ଉପରେ ଉଭୟ ପକ୍ଷ ନିରବ ରହିଥିଲେ ହେଁ ରାଜସ୍ଥାନ ରୟାଲ୍ସ ଟ୍ରେଡ୍‌ ପାଇଁ ବିଭିନ୍ନ ଫ୍ରାଞ୍ଚାଇଜ୍‌ ସହ ଯୋଗାଯୋଗ ଚଳାଇଛି । ସାମସନଙ୍କୁ ନେବା ପାଇଁ ମଧ୍ୟ ଅନେକ ଫ୍ରାଞ୍ଚାଇଜ୍‌ ପ୍ରୟାସ ଚଳାଇଛନ୍ତି ।  
ଚେନ୍ନାଇ ସୁପରକିଙ୍ଗ୍‌ସ ସାମସନଙ୍କୁ ନେବା ପାଇଁ ଆଗ୍ରହୀ ରହିଥିଲେ ହେଁ ରାଜସ୍ଥାନ ରୟାଲ୍ସର ସର୍ତ୍ତରେ ରାଜି ହେଉ ନାହିଁ । ଟ୍ରେଡିଂରେ ରାଜସ୍ଥାନ ରୟାଲ୍ସ ସାମସନଙ୍କ ବଦଳରେ ୨ଜଣ ଖେଳାଳି ଚାହୁଁଛି । ପ୍ରଥମ ଖେଳାଳି  ଭାବେ ରବିନ୍ଦ୍ର ଜାଡ଼େଜା ଓ ଦ୍ୱିତୀୟ ଖେଳାଳି ଭାବେ ଋତୁରାଜ ଗାଏକୱାଡ୍‌ ଓ ଶିବମ ଦୁବେଙ୍କ ମଧ୍ୟରୁ ଜଣଙ୍କୁ ଚୟନ କରିଛି ରାଜସ୍ଥାନ ରୟାଲ୍ସ । ଏହି ୩ଜଣ ଯାକ ଖେଳାଳି ସୁପରକିଙ୍ଗ୍‌ସର ମେରୁଦଣ୍ଡ । ଦୁବେ ପୂର୍ବରୁ ରାଜସ୍ଥାନ ରୟାଲ୍ସ ପକ୍ଷରୁ ଖେଳି ସାରିଛନ୍ତି ।  

ମିଳିଥିବା ତଥ୍ୟ ଅନୁଯାୟୀ ସୁପରକିଙ୍ଗ୍‌ସ  କୌଣସି ଖେଳାଳିଙ୍କୁ ଛାଡ଼ିବାକୁ ଚାହୁଁନାହିଁ ।  ସୂଚନାଯୋଗ୍ୟ, ଆଗାମୀ ସିଜନ  ପୂର୍ବରୁ ତାଙ୍କୁ ଟ୍ରେଡ୍‌ କିମ୍ବା ରିଲିଜ କରିବା  ପାଇଁ ସାମସନ ଗତ ୧୩ ତାରିଖରେ ରାଜସ୍ଥାନ ରୟାଲ୍ସକୁ ଅନୁରୋଧ କରିଥିଲେ ।  ଏହି ଘଟଣା ପ୍ରକାଶ ପାଇବା ପରେ ଉଭୟ ପକ୍ଷ ମଧ୍ୟରେ  ଅନେକ ଘଟଣାକୁ ନେଇ  ମତ ପାର୍ଥକ୍ୟ ରହିଥିବା ସ୍ପଷ୍ଟ ହୋଇଥିଲା । ବିଶେଷ କରି ଗତ ମେଗା ନିଲାମପୂର୍ବରୁ ଜୋସ ବଟଲରଙ୍କୁ ରିଲିଜ କରିବାର  ନିଷ୍ପତ୍ତିକୁ ସାମସନ ବିରୋଧ କରିଥିଲେ ।  

ମାତ୍ର ଫ୍ରାଞ୍ଚାଇଜ୍‌ ତାଙ୍କ କଥା ରଖି ନଥିଲା । ନିକଟରେ ସାମସନ ଏକ ପୋଡକାଷ୍ଟ  ଅବସରରେ ଏହି ଘଟଣା ପ୍ରକାଶ  କରିଥିଲେ । ଏପରିକି ଇଂଲଣ୍ଡ ବିପକ୍ଷ ଗତ  ଘରୋଇ ସୀମିତ ଓଭର ସିରିଜ ସମୟରେ  ସେ ବଟଲରଙ୍କୁ ସାକ୍ଷାତ କରି ଏ ବିଷୟରେ  ଜଣାଇଥିଲେ । ମେଗା ନିଲାମରେ  ଗୁଜରାଟ ଟାଇଟନ୍ସ ୧୫.୭୫ କୋଟି  ଟଙ୍କାରେ ବଟଲରଙ୍କୁ କିଣିଥିଲା । ସେ ଦଳ  ପକ୍ଷରୁ ୫୩୮ ରନ ସଂଗ୍ରହ କରିଥିଲେ ।

Scroll to Top